ଭୁବନେଶ୍ବର, ୨୨/୧୧ : ତେଜିଲା ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ କଳି। ଡିସିପିଙ୍କ ଅଫିସ ଆଗରେ ଦୁଇ ଅଭିନେତା ମୁହାଁମୁହିଁ। ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ। ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କୁ ଡିସିପିଙ୍କ ଅଫିସକୁ ଡକାଯାଇଥିଲା। ଉଭୟ ପକ୍ଷଙ୍କୁ ଏବେ କମିଶନରଙ୍କ କାର୍ଯ୍ୟାଳୟକୁ ଡାକି ବୈଠକ ଆରମ୍ଭ ହୋଇଛି। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ମିଳାମିଶା ନହେଲେ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ ପୋଲିସ।
ସୂଚନାନୁଯାୟୀ, ରାଣ୍ଡି ପୁଅ ଅନନ୍ତା ଫିଲ୍ମ ଟାଇଟେଲକୁ ନେଇ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବିବାଦ ହୋଇଥିଲା। ଉଭୟଙ୍କୁ ବୁଝାମଣା ପାଇଁ ପୋଲିସ ଡାକିଥିଲା। ବବି ଇସଲାମ ଥାନାରେ ହାଜର ହୋଇଥିଲେ ମଧ୍ୟ ମନୋଜ ମିଶ୍ର ଥାନାକୁ ଯାଇନଥିଲେ। ଏହାରି ପରେ ବିବାଦ ଆଗକୁ ବଢିଥିଲା।
ବବି ଇସଲାମଙ୍କ କହିବା ଅନୁସାରେ, ମଙ୍ଗଳବାର ଏକ ଟିଭି ଶୋ’ରେ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ରାଣ୍ଡି ପୁଅ ଅନନ୍ତାର ଅର୍ଥ ପଚରାଯାଇଥିଲା। ସେ ମନୋଜ ମିଶ୍ରଙ୍କ ଉଦାହରଣ ଦେଇଥିଲେ। ଯାହାପରେ ତାଙ୍କୁ କଲ୍ ଜରିଆରେ ଧମକ ଦିଆଯାଇଥିଲା। ମନୋଜ ମିଶ୍ର ଓ ତାଙ୍କ ବନ୍ଧୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବବି ଇସଲାମ ଅଭିଯୋଗ କରିଥିଲେ।