ମୁମ୍ବାଇ,୨୨/୧୧: ବଲିଉଡର ମହା ମହା ରଥିଙ୍କୁ ନଚେଇଥିବା ଜଣାଶୁଣା ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ । ଯିଏକି ତାଙ୍କ କ୍ୟାରିୟରେ ଅନେକ ସୁପରହିଟ ଗୀତର କୋରିଓଗ୍ରାଫି କରିଛନ୍ତି । ମାଧୁରୀ, ଶ୍ରୀଦେବୀ ସମସ୍ତେ ତାଙ୍କ କୋରିଓଗ୍ରାଫିରେ ନାଚିଛନ୍ତି । ବଲିଉଡରେ ଜଣେ ସଫଳ ନାମ ସରୋଜ । ତାଙ୍କର ଏହି ଲମ୍ବା ଯାତ୍ରା ସହଜ ନଥିଲା । ଅନେକ ସଂଘର୍ଷ ଓ ସମସ୍ୟା ଦେଇ ନାମ କମାଇଥିଲେ ସରୋଜ । ଆସନ୍ତୁ ଜାଣିବା ତାଙ୍କ ଜୀବନ କିଛି ଅକୁହା କଥା...
ବଲିଉଡର ଏକାଧିକ ସୁପରହିଟ ଗୀତରେ କୋରିଓଗ୍ରାଫି କରିଛନ୍ତି ସରୋଜ ଖାନ । ତାଙ୍କ କ୍ୟାରିୟରରେ ବଡ ବଡ ସୁପରଷ୍ଟାରଙ୍କୁ ନଚେଇଛନ୍ତି । ୧୯୭୪ରେ ରିଲିଜ ହୋଇଥିବା ଫିଲ୍ମ 'ଗୀତା ମେରା ନାମ'ରୁ ସରୋଜଙ୍କୁ କୋରିଓଗ୍ରାଫି ଭାବରେ ପରିଚୟ ମିଳିଥିଲା । ଏହା ପରେ ପରେ ମିଷ୍ଟର ଇଣ୍ଡିଆ, ନାଗିନ, ଚାନ୍ଦିନୀ, ତେଜାବ, ଥାନେଦାର ଓ ବେଟା ଭଳି ଅନେକ ସୁପହିଟ ଫିଲ୍ମ ଗୀତରେ କୋରିଓଗ୍ରାଫି କରିଛନ୍ତି ସରୋଜ ଖାନ । ଦେଶର ସବୁଠୁ ବଡ କୋରିଓଗ୍ରାଫର ଭାବେ ନାମ କମାଇଥିଲେ ସେ। ବଲିଉଡ ଡ୍ରିମଗାର୍ଲ ମାଧୁରୀ ଦୀକ୍ଷିତ୍, ଶ୍ରୀଦେବୀ ତାଙ୍କୁ ନୃତ୍ୟଗୁରୁ ମାନିଥିଲେ । ୪୦ ବର୍ଷର ଲମ୍ବା କ୍ୟାରିୟରରେ ସରୋଜ ଖାନ୍ ୩ଥର ନ୍ୟାସନାଲ ଆୱାର୍ଡ ଜିତିଥିଲେ । ପ୍ରେଫସନାଲ କ୍ୟାରିୟରେ ସେ ସଫଳତା ହାସଲ କରିଥିଲେ ସତ ହେଲେ ବ୍ୟକ୍ତିଗତ ଜୀବନରେ ବହୁ ସମସ୍ୟା ରହିଥିଲା । ମାତ୍ର ୧୩ ବର୍ଷ ବୟସରେ ବିବାହ କରିଥିଲେ ଧର୍ମ ବି ବଦଳାଇଥିଲେ ସରୋଜ ।
ପ୍ରକୃତ ନାମ ନଥିଲା ସରୋଜ ଖାନ- ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ନାମ ଥିଲା ନିର୍ମଳା ନାଗପାଲ ଥିଲା । ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ । ଏହା ପରେ ମାତ୍ର ୩ ବର୍ଷ ବୟସରେ ଶିଶୁ କଳାକାର ଭାବେ କାମ କରିଥିଲେ । ଏହିଠାରୁ ତାଙ୍କର ୪୦ ବର୍ଷର କ୍ୟାରିଅରର ମୂଳଦୁଆ ପଡିଥିଲା ।
୧୩ ବର୍ଷ ବୟସରେ ହୋଇଥିଲା ବିବାହ-ବହୁତ କମ ବୟସରେ ବିବାହ କରିଥିଲେ ସରୋଜ ଖାନ । ସ୍କୁଲ ଯିବା ବୟସରେ ସଂସାର କରିଥିଲେ ସରୋଜ । ମାତ୍ର ୧୩ ବର୍ଷ ବୟସରେ ତାଙ୍କ ଡ୍ୟାନ୍ସ ମାଷ୍ଟର ସୋହନଲାଲଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ମଧ୍ୟରେ ଅଧିକ ବୟସ ବ୍ୟବଧାନ ଥିଲା । ସୋହନଲାଲଙ୍କୁ ୩୦ ବର୍ଷ ହୋଇଥିବାବେଳେ ସରୋଜଙ୍କୁ ୧୩ ବର୍ଷ ବୟସ ହୋଇଥିଲା । ଖୁବ କମ ବୟସରୁ ବିବାହ କରିଥିବାରୁ ଏହା ସରୋଜଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲା ।
ବଦଳାଇଥିଲେ ଧର୍ମ- ସରୋଜଙ୍କ ପ୍ରଥମ ବିବାହ ସଫଳ ହୋଇନଥିଲା । ଏହାପରେ ସେ ଦ୍ବିତୀୟ ବିବାହ କରିଥିଲେ । ୧୯୭୫ରେ ସରଦାର ରୋଶନ ଖାନଙ୍କ ହାତ ଧରିଥିଲେ ସରୋଜ । ଏହା ପରେ ସେ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଅଛନ୍ତି । ତାଙ୍କ ନାମ ସୁକେନା ଖାନ । ଇସଲାମ ଧର୍ମ ଗ୍ରହଣକୁ ନେଇ ଦିନ ସରୋଜ କହିଥିଲେ, ମୋ ଉପରେ କୌଣସି ଚାପ ପଡିନାହିଁ । ମୁଁ ମୋର ଇଚ୍ଛାରେ ଇସଲାମ ଆପଣେଇଛି । ମୋତେ ଏହି ଧର୍ମରୁ ପ୍ରେରଣା ମିଳେ । ୨୦୨୦ ମସିହା ଜୁଲାଇ ୩ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ ସରୋଜ । ଆଜି ସେ ନାହାନ୍ତି ସତ ହେଲେ ବଲିଉଡ ତାଙ୍କୁ ସବୁବେଳେ ମନେ ରଖିବ ।