ନୂଆଦିଲ୍ଲୀ: ଶନିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ । ହେଲେ ଏହା ପୂର୍ବରୁ ମହୁୟୁତିରେ ଚାପ ରାଜନୀତି ଆରମ୍ଭ ହୋଇଛି । ବାରାମାଟିରେ ଅଜିତ୍ ପାଓ୍ବାରଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ କରି ସମର୍ଥକ ମାନେ ପୋଷ୍ଟର ଲଗାଇଛନ୍ତି । ଏଥିରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ରାଜ୍ୟର ପରବର୍ତ୍ତୀ ସିଏମ୍ କରାଯିବା ଉଚିତ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ପଠାଇବାକୁ ଚେଷ୍ଟା କରାଯାଇଛି।
ବାରାମାଟିରେ ରଖାଯାଇଥିବା ପୋଷ୍ଟର ମାଧ୍ୟମରେ ଏହା ଦର୍ଶାଯାଇଛି ଯେ, ଦଳ ତଥା ଏହାର ସମର୍ଥକ ମାନେ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଜଣେ ଦୃଢ ପ୍ରତିଯୋଗୀ ଭାବରେ ବିଚାର କରୁଛନ୍ତି । ବର୍ତ୍ତମାନ ଏହି ପୋଷ୍ଟର ଗୁଡ଼ିକୁ ହଟାଇ ଦିଆଯାଇଛି । ଏହି ସମୟରେ ପୋଷ୍ଟର ଲଗାଇଥିବା ଏନସିପି ନେତା ସନ୍ତୋଷ ନାଗରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଅଜିତ ଦାଦା ମହାରାଷ୍ଟ୍ରର ଜଣେ ସାଧାରଣ ନେତା। ସେ ଯାହା କହନ୍ତି ତାହା କରନ୍ତି। ”
ସେ ଆହୁରି ମଧ୍ୟ କହିଛନ୍ତି,“ଅଜିତ ପାୱାର ମହାରାଷ୍ଟ୍ରର ବିକାଶ ବିଷୟରେ କୁହନ୍ତି । ସେଥିପାଇଁ ତାଙ୍କ ପରି ନେତାଙ୍କୁ ଏନସିପିର ସମସ୍ତ କର୍ମୀ ଏବଂ ଯୁବକ ମାନେ ପସନ୍ଦ କରନ୍ତି। ଆମେ ଅନୁଭବ କରୁଛୁ ଯେ ଏଥର ସେ ମୁଖ୍ୟମନ୍ତ୍ରୀ ହେବା ଉଚିତ, ତେଣୁ ଆମେ ଏହି ବ୍ୟାନର ଗୁଡ଼ିକୁ ଏକ ସ୍ବେଚ୍ଛାକୃତ ପ୍ରୟାସ ଭାବରେ ଲଗାଇଛୁ। ଆମେ ନିଶ୍ଚିତ ଯେ ଦାଦା ପ୍ରାୟ ୧ ଲକ୍ଷ ଭୋଟରେ ଜିତିବେ।
ତେବେ ମହାୟୁତି ମିଳିତ ମଞ୍ଚରେ ସିଏମ୍ ଚେହେରା ଘୋଷଣା କରାଯାଇ ନାହିଁ। ନିର୍ବାଚନ ପୂର୍ବରୁ ଏହି ସହଯୋଗୀ ଦଳର ସମସ୍ତ ନେତା କହିଛନ୍ତି ଯେ, ଫଳାଫଳ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନିଆଯିବ। ସୂଚନାଥାଉକି ଯେ ବୁଧବାର (ନଭେମ୍ବର ୨୦) ରାଜ୍ୟର ସମସ୍ତ ୨୮୮ଟି ଆସନରେ ମତଦାନ ଶେଷ ହେବା ପରେ, ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇଥିଲା । ଅଧିକାଂଶ ଏକଜିଟ୍ ସର୍ଭେରେ ମହାୟୁତି ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଛି ।