ଇମ୍ଫାଲ - ଜାତିଗତ ହିଂସା ସହ ଜଡ଼ିତ ମଣିପୁରରେ ଆଇନ ଓ ବ୍ୟବସ୍ଥା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ୧୦,୦୦୦ରୁ ଅଧିକ ଅତିରିକ୍ତ ଯବାନଙ୍କୁ ସେଠାକୁ ପଠାଉଛନ୍ତି। ଏହି ପଦକ୍ଷେପରେ ରାଜ୍ୟରେ କେନ୍ଦ୍ରୀୟ ଫୋର୍ସର ମୋଟ ମୁତୟନ ୨୮୮ଟି କମ୍ପାନୀ ଯାଏ ପହଞ୍ଚି ଯିବ। ମଣିପୁରର ମୁଖ୍ୟ ସୁରକ୍ଷା ପରାମର୍ଶଦାତା କୁଳଦୀପ ସିଂହ ଇମ୍ଫାଲରେ ମିଡ଼ିଆକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି କି, ୯୦ଟି କମ୍ପାନୀ, ଅର୍ଥାତ୍ ପାଖାପାଖି ୧୦,୮୦୦ ଯବାନ, ରାଜ୍ୟରେ ମୁତୟନ କରାଯାଉଛି। ଏଥିରୁ ଅଧିକାଂଶ ଇମ୍ଫାଲରେ ପହଞ୍ଚି ସାରିଛନ୍ତି। ସେ କହିଛନ୍ତି, ଆମେ ଏହି ଯବାନଙ୍କୁ ନାଗରିକଙ୍କ ଜୀବନ ଓ ସଂପତ୍ତିର ସୁରକ୍ଷା କରିବା ଓ ସମ୍ୱେଦନଶୀଳ କ୍ଷେତ୍ର ଓ ପ୍ରମୁଖ ସ୍ଥାନର ନିରୀକ୍ଷଣ ପାଇଁ ମୁତୟନ କରିଛୁ। ସବୁ କ୍ଷେତ୍ରକୁ କିଛି ଦିନରେ କଭର କରି ନିଆଯିବ।
କୁଳଦୀପ ସିଂହ ଆହୁରି କହିଛନ୍ତି, ସୁରକ୍ଷା ପ୍ରବନ୍ଧକୁ ସଂପୂର୍ଣ୍ଣ ରୂପେ କଡ଼ାକଡ଼ି କରାଯାଇଛି। ପ୍ରତି ଜିଲ୍ଲାରେ ନୂଆ ସମନ୍ୱୟ ପ୍ରକୋଷ୍ଠ ଓ ସଂଯୁକ୍ତ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରାଯିବ। ସେ କହିଛନ୍ତି, ଯେଉଁ ନିୟନ୍ତ୍ରଣ କକ୍ଷ ପୂର୍ବରୁ କାର୍ଯ୍ୟରତ,ଏହାର ସମୀକ୍ଷା କରାଯାଇ ସାରିଛି ଏବଂ ତାର ଦକ୍ଷତାକୁ ବଢାଇବାକୁ ପ୍ରୟାସ କରାଯାଉଛି।
ମଣିପୁରରେ ଗତ କିଛି ମାସରୁ ଜାତିଗତ ହିଂସାକାଣ୍ଡର ଘଟଣା ଗୁଡ଼ିକ ଲଗାତାର ସାମନାକୁ ଆସୁଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଶି ସ୍ଥିତିକୁ ସାଧାରଣ କରିବାକୁ ପ୍ରୟାସ କରୁଛନ୍ତି। ରାଜ୍ୟରେ ହିଂସା ବଢି ଯାଇଛି ଏବଂ ଗତ ସପ୍ତାହରେ ପାହାଡ଼ିଆ ଜିଲ୍ଲା ଜିରିବାନରେ କଂଗ୍ରେସ ଓ ବିଜେପିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ସୁରକ୍ଷା ବାହିନୀ ଶନିବାର ସନ୍ଧ୍ୟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ପୈତୃକ ଆବାସ ଉପରେ ଆନ୍ଦୋଳନକାରୀଙ୍କ ଆକ୍ରମଣ ଉଦ୍ୟମକୁ ସୁରକ୍ଷାବାହିନୀ ବିଫଳ କରି ଦେଇଛି।