ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସବୁ ସୀମା ଟପିସାରିଛି । ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଗ୍ରାପ୍-୪ ନିୟମ ଲାଗୁ ହୋଇଛି । ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅବହେଳା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଶୁକ୍ରବାର ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ଉପରେ ଶୁଣାଣି ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ଜବାବ ସୁପ୍ରିମକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ରାଜ୍ୟ ସରକାରଙ୍କ ଯୁକ୍ତି ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ କୋର୍ଟରେ କହିଛନ୍ତି, ବାରଣ ହୋଇଥିବା ଟ୍ରକଗୁଡ଼ିକ ଲାଞ୍ଚ ଦେଇ ରାଜଧାନୀରେ ପ୍ରବେଶ କରୁଛନ୍ତି । ଏହା ଶୁଣି ସୁପ୍ରିମକୋର୍ଟ ତାଜୁବ ହୋଇଥିବା ବେଳେ ୧୧୩ଟି ପ୍ରବେଶ ଦ୍ବାରରେ ପୋଲିସ ଅଧିକାରୀ ମୁତୟନ କରିବାକୁ କେନ୍ଦ୍ର ସରକାରଙ୍କୁ କହିବେ ବୋଲି କହିଛନ୍ତି । ସେପଟେ ଦିଲ୍ଲୀ ସରକାରଙ୍କ ଦାବି ଯେ, ସବୁ ପ୍ରବେଶ ଦ୍ବାରରେ ପରିବହନ ବିଭାଗର ଅଧିକାରୀ ଆଲର୍ଟ ରହିଛନ୍ତି । ଏହା ଉପରେ କୋର୍ଟ କହିଛନ୍ତି, କେତୋଟି ଚେକ୍ ପଏଣ୍ଟ କରାଯାଇଛି ସେନେଇ ରେକର୍ଡରେ ସ୍ପଷ୍ଟ ସୂଚନା ନାହିଁ । ଗ୍ରାପ୍-୪ ଅନୁସାରେ, ଆବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍ ବ୍ୟତୀତ ଅନ୍ୟ ଟ୍ରକ୍ଗୁଡ଼ିକୁ ଦିଲ୍ଲୀକୁ ପ୍ରବେଶ ଅନୁମତି ମିଳିବ ନାହିଁ ।
ସୁପ୍ରିମକୋର୍ଟ ସବୁ ଚେକ୍ ପୋଷ୍ଟକୁ ଯୁବ ଓକିଲଙ୍କୁ ପଠାଇବେ । ସେମାନେ ରିପୋର୍ଟ ତିଆରି କରି କୋର୍ଟରେ ଦାଖଲ କରିବେ । ସିସିଟିଭି ଫୁଟେଜ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପଟେ କେତୋଟି ପ୍ରବେଶ ଦ୍ବାର ଅଛି ଏବଂ କେଉଁଠି କେତେ ଅଧିକାରୀ ଅଛନ୍ତି ସେନେଇ ଦିଲ୍ଲୀ ସରକାର ସ୍ପଷ୍ଟ ସୂଚନା ଦେଇପାରି ନାହାନ୍ତି । ଦିଲ୍ଲୀ ସରକାରଙ୍କ ଜବାବ ସନ୍ତୋଷଜନକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଆମିକସ କ୍ୟୁରିଙ୍କ ଅନୁସାରେ, ୧୧୩ଟି ଏଣ୍ଟ୍ରି ପଏଣ୍ଟ ଥିବା ବେଳେ ୧୩ଟି ସ୍ଥାନରେ ସିସିଟିଭି ରହିଛି । ଏମିତି ଲାଗୁଛି ବାକି ୧୦୦ଟି ଚେକ୍ ପଏଣ୍ଟରେ ଯାଞ୍ଚ ହେଉନାହିଁ ବୋଲି କହି ଦିଲ୍ଳୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି । ସେହିଭଳି ସ୍କୁଲ ବନ୍ଦ ଥିବାରୁ ଗରିବ ଲୋକମାନେ କାମ କରିବାକୁ ନଯାଇ ଘରେ ପିଲାଙ୍କ ସହ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଅନ୍ୟ ଜଣେ ଓକିଲ ଯୁକ୍ତି ବାଢ଼ିଛନ୍ତି । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଏବେ ଗ୍ରାପ୍-୪ ଲାଗୁ ହୋଇଛି । ପରବର୍ତ୍ତୀ ଶୁଣାଣି ସୋମବାର ହେବ ।