ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହେଉଛି ‘ଜନଜାତୀୟ ଗୌରବ ଦିବସ’ ଭାବରେ । ଆଦିବାସୀଙ୍କ ଅଧିକାର ସହିତ ରୀତିନୀତି, ସାମାଜିକ ମୂଲ୍ୟବାଧକୁ ଏକାଠି କରିପାରିଥିଲେ ସେ । ମହାତ୍ମା ଗାନ୍ଧିଙ୍କ ପରି ନ୍ୟାୟ ଓ ସତ୍ୟର ଅନ୍ୱେଷଣ ଥିଲା ତାଙ୍କ ସଂଗ୍ରାମର ମୂଳ ଲକ୍ଷ୍ୟ । ‘ଧରତୀ ଆବା’ ଭାବରେ ସମ୍ମାନିତ ଭଗବାନ ବିର୍ସା ବ୍ରିଟିଶ ଅତ୍ୟାଚାର ବିରୋଧରେ ସଂଗଠିତ କରିଥିଲେ ‘ଉଲଗୁଲାନ’ ବା ମୁଣ୍ଡା ବିଦ୍ରୋହ । ଏହି ମହାନ୍ ସଂଗ୍ରାମୀ ଜଣେ ଉତ୍ତମ ଚିକିତ୍ସକ ବି ଥିଲେ ।
ଇତିହାସର ପ୍ରତି କାଳଖଣ୍ଡରେ ଆମ ମାତୃଭୂମିର କୋଳ ମଣ୍ଡନ କରିଛନ୍ତି ଅନେକ ବୀର ପୁରୁଷ ଓ ବୀରା ରମଣୀ । ସେମାନେ ନିଜର ଅସାଧାରଣ ପ୍ରତିଭା ବଳରେ ଭାରତୀୟତାର ଭାବନାକୁ ପରିପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଆମ ସପ୍ତର୍ଷିମଣ୍ଡଳର ତାରକାଙ୍କ ପରି ଆମକୁ ଅହର୍ନିଶି ବାଟ କଢ଼ାଇ ଚାଲିଛନ୍ତି । ଭାରତ ଆକାଶର ସପ୍ତର୍ଷିମଣ୍ଡଳର ଏହିପରି ଜଣେ ଉଜ୍ଜ୍ୱଳ ତାରକା ଥିଲେ ଭଗବାନ ବିର୍ସା ମୁଣ୍ଡା । ତାଙ୍କରି ଆଲୋକରେ ଏ ଦେଶର ଗତିପଥ ଏବେ ମଧ୍ୟ ଆଲାକିତ । ଭାରତ ଇତିହାସର ଏହି ମହାନାୟକଙ୍କ ୧୫୦ତମ ଜନ୍ମବାର୍ଷିକୀରେ ବର୍ଷବ୍ୟାପୀ ଦେଶରେ ଉତ୍ସବ ଶୁଭାରମ୍ଭ ହେଉଥିବା ଅବସରରେ ତାଙ୍କ ପୁଣ୍ୟ ସ୍ମୃତି ପ୍ରତି ମୁଁ କୃତଜ୍ଞତାପୂର୍ବକ ସମ୍ମାନ ଜ୍ଞାପନ କରୁଛି ।
ପିଲାଦିନେ ଭଗବାନ ବିର୍ସା ମୁଣ୍ଡାଙ୍କ କଥା ଶୁଣି ମୁଁ ଏବଂ ମୋର ସାଙ୍ଗମାନେ କିପରି ଆମ ପରମ୍ପରା ପାଇଁ ଗର୍ବ ଅନୁଭବ କରୁଥିଲୁ, ତାହା ମୋର ମନେପଡ଼ୁଛି । ମାତ୍ର ୨୫ ବର୍ଷର ସ୍ୱଳ୍ପ ଆୟୁଷ ଥିଲା ତାଙ୍କର । ଆଜିର ଝାଡ଼ଖଣ୍ଡର ଉଲିହାତୁରେ ତାଙ୍କର ଜନ୍ମ । କୈଶାରରୁ ହିଁ ସେ ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ୱ ନେଇଥିଲେ । ଯେତେବେଳେ ବ୍ରିଟିଶ ସରକାର ଏବଂ ସ୍ଥାନୀୟ ଜମିଦାରମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ, ସେମାନଙ୍କ ଭୂମି ହରଣ କରୁଥିଲେ ଏବଂ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ, ସେତେବେଳେ ଭଗବାନ ବିର୍ସା ଏହି ସାମାଜିକ ଓ ଆର୍ଥିକ ଅନ୍ୟାୟ ବିରୋଧରେ ଠିଆ ହୋଇ ନିଷ୍ପେଷିତ ଲୋକମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲେ । “ଧରତୀ ଆବା’ ଭାବରେ ସମ୍ମାନିତ ଭଗବାନ ବିର୍ସା ୧୮୯୦ ଦଶକର ଶେଷ ଭାଗରେ ବ୍ରିଟିଶ ଅତ୍ୟାଚାର ବିରୋଧରେ “ଉଲଗୁଲାନ’ ବା ମୁଣ୍ଡା ବିଦ୍ରୋହ ସଂଗଠିତ କରିଥିଲେ । ଉଲଗୁଲାନ କେବଳ ଏକ ବିଦ୍ରୋହ ନ ଥିଲା । ଏହା ଆଦିବାସୀଙ୍କ ନ୍ୟାୟ ଓ ସାଂସ୍କୃତିକ ପରିଚୟର ସଂଗ୍ରାମ ପାଲଟିଥିଲା ।
ଭଗବାନ ବିର୍ସା ମୁଣ୍ଡା ନିଜ ବୋଧଶକ୍ତି ବଳରେ ଗୋଟିଏ ପଟେ ଆଦିବାସୀଙ୍କ ଜମିର ମାଲିକାନା ଓ ଜମି ଚାଷ ଅଧିକାର ଏବଂ ଅନ୍ୟପଟେ ଆଦିବାସୀ ରୀତିନୀତି ଓ ସାମାଜିକ ମୂଲ୍ୟବାଧକୁ ଏକାଠି କରିପାରିଥିଲେ । ମହାତ୍ମା ଗାନ୍ଧିଙ୍କ ପରି ନ୍ୟାୟ ଓ ସତ୍ୟର ଅନ୍ୱେଷଣ ଥିଲା ତାଙ୍କ ସଂଗ୍ରାମର ପଥ-ପ୍ରଦର୍ଶକ । ପୀଡ଼ିତଙ୍କ ଚିକିତ୍ସା କରିବା ଥିଲା ତାଙ୍କ ଜୀବନର ବ୍ରତ । ସେ ଜଣେ ଚିକିତ୍ସକ ଭାବରେ ତାଲିମ ପାଇଥିଲେ । ବିଭିନ୍ନ ଘଟଣାରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଈଶ୍ୱର ତାଙ୍କୁ ଏପରି ହାତଟିଏ ଦେଇଛନ୍ତି, ଯେଉଁ ହାତ ଲାଗିଲା କ୍ଷଣି ରୋଗୀର ରୋଗ ଭଲ ହୋଇଯାଏ । ରୋଗୀଙ୍କୁ ତାଙ୍କ ପାଖକୁ ଆଣିବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଉଥିଲେ । ସେ ମଧ୍ୟ କହୁଥିଲେ, “ଯଦି ରୋଗୀ ମୋ ପାଖକୁ ଆସି ନ ପାରିବ, ମୁଁ ନିଜେ ରୋଗୀ ପାଖକୁ ଯାଇ ତା’ର ସେବା କରିବି ।’ ସେ ଗାଁ ଗାଁ ବୁଲି ରୋଗୀମାନଙ୍କୁ ଭେଟୁଥିଲେ ଏବଂ ନିଜର ଚିକିତ୍ସା ବିଦ୍ୟା ଓ ହାତର ସ୍ପର୍ଶରେ ଅଗଣିତ ଲୋକଙ୍କୁ ରୋଗମୁକ୍ତ କରୁଥିଲେ । ତାଙ୍କ ବଳିଦାନର ଗାଥା ଭାରତର ଆଦିବାସୀ ସମ୍ପ୍ରଦାୟର ମହାନ ବିପ୍ଳବୀମାନଙ୍କ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ।
ଆଦିବାସୀମାନଙ୍କ ସଂଘର୍ଷ ସୂଚାଏ ଯେ ଏ ମାଟିର ଏପରି ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯେଉଁଠାରେ କୌଣସି ସମାଜ ବା ସମ୍ପ୍ରଦାୟ ମୁଖ୍ୟସ୍ରୋତ ଠାରୁ ପୃଥକ୍ ନୁହନ୍ତି । ଅଧୁନା ଅନୁସୂଚିତ ଜନଜାତି ବର୍ଗ ଅନ୍ତର୍ଭୁକ୍ତ ବନବାସୀଗଣ ସର୍ବଦା ଭାରତୀୟ ସମୂହର ଅଂଶ ହୋଇ ରହି ଆସିଛନ୍ତି । ଦିନ ଥିଲା, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ବିପ୍ଳବୀଗଣ ଆମ ଇତିହାସର “ଅନାଲୋଚିତ ନାୟକ’ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ସାମ୍ପ୍ରତିକ ସମୟରେ ସେମାନଙ୍କ ପରାକ୍ରମ ଓ ବଳିଦାନ ଅଧିକରୁ ଅଧିକ ପ୍ରଶଂସିତ ହେଉଛି । “ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଆମେ ଭାରତର ସଂସ୍କୃତି ଓ ସଫଳତାର ଗୌରବମୟ ଇତିହାସ ସ୍ମରଣ କରିଥିଲୁ । ଏହା ଦ୍ୱାରା ଅପେକ୍ଷାକୃତ କମ୍ ଜଣାଶୁଣା, ଭାରତର ମହାନ ଦେଶଭକ୍ତମାନଙ୍କ ଅବଦାନ ବିଷୟରେ ଆମ ଲୋକମାନେ, ବିଶେଷ କରି ଯୁବପିଢ଼ି ଅଧିକ ଜାଣିବାର ସୁଯୋଗ ପାଇଛନ୍ତି । ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୦୨୧ରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ “ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଆମର ଇତିହାସ-ମନସ୍କତା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ ଦ୍ୱାରା ସ୍ୱଳ୍ପାଲୋଚିତ ଆଦିବାସୀ ଇତିହାସ ଭାରତ ଇତିହାସର କେନ୍ଦ୍ରବିନ୍ଦୁ ପାଲଟିଛି ।
ଇତିହାସର ଏହି ଅଧ୍ୟାୟ ଆଜି ଅଧିକ ପ୍ରାସଙ୍ଗିକ, କାରଣ ଏହା ଆଧୁନିକ ସମାଜକୁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ଜୀବନଯାପନ କରିବା ଏବଂ ପରିବେଶ ସଂରକ୍ଷଣକୁ ପ୍ରାଧାନ୍ୟ ଦେବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ । ପିଲାଦିନେ ମା’-ବାପାଙ୍କୁ ଜାଳେଣି ପାଇଁ ଶୁଖିଲା କାଠଝାଟ ସଂଗ୍ରହ ପୂର୍ବରୁ ପ୍ରକୃତିକୁ କ୍ଷମା ମାଗୁଥିବାର ମୁଁ ଦେଖିଛି । ସେ କଥା ଆଜି ବି ମୋର ମନେ ଅଛି । ସାଧାରଣତଃ ଆଦିବାସୀମାନେ ବ୍ୟକ୍ତି-ସ୍ୱାର୍ଥ ଠାରୁ ସମୂହ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହା ସେମାନଙ୍କ ସୁଖ-ସନ୍ତୋଷର କାରଣ । ମାନବ ଜାତିର ଉତ୍ତମ ଭବିଷ୍ୟତ ନିମନ୍ତେ ଜନଜାତି ସମାଜର ଏହି ବିରଳ ବୈଶିଷ୍ଟ୍ୟକୁ ଉଜ୍ଜୀବିତ ରଖିବାର ଆବଶ୍ୟକତା ରହିଛି । ଭାରତର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱକୁ ଯଥାଯଥ ସ୍ୱୀକୃତି ଦେବା ନିମନ୍ତେ ସରକାର ଗତ ଏକ ଦଶନ୍ଧି ଧରି ଚଳାଇଥିବା ବ୍ୟାପକ ପ୍ରୟାସ ପଛର ଏହା ହିଁ କାରଣ । ଜନମଙ୍ଗଳକୁ ସ୍ଲୋଗାନ ମଧ୍ୟରେ ସୀମିତ ନ ରଖି ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନାମାନ ଘୋଷଣା କରିଛନ୍ତି ।
ଆଦିବାସୀଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣପୂର୍ବକ ଗତ ମାସରେ ପ୍ରାୟ ୬୩,୦୦୦ ଆଦିବାସୀ ଗ୍ରାମରେ ସାମାଜିକ ଭିତ୍ତିଭୂମିର ଅଭାବ ପୂରଣ କରିବା ପାଇଁ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହାବ୍ୟତୀତ ଜନମଙ୍ଗଳକାରୀ ପଦକ୍ଷେପକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍-ଜନମନ) ୧୧ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରାଧାନ୍ୟ ଦେଉଛି । ମୋର ବିଶ୍ୱାସ, ଆଦିବାସୀ ବର୍ଗର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ହିଁ ଭଗବାନ ବିର୍ସା ମୁଣ୍ଡା ଏବଂ ଅନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ରାଷ୍ଟ୍ରପତି ଭବନ ଅନୁସୂଚିତ ଜନଜାତି ବର୍ଗର ନିକଟତର ହେବା ପାଇଁ ମଧ୍ୟ ନୂଆ ନୂଆ ପଦକ୍ଷେପ ନେଇ ଆସୁଛି ଏବଂ ଏଥିରେ ମୁଁ ବେଶ୍ ସନ୍ତୋଷ ଅନୁଭବ କରିଛି । ରାଷ୍ଟ୍ରପତି ଭବନ ସଂଗ୍ରହାଳୟର ଅଂଶ ସ୍ୱରୂପ, ଆଦିବାସୀଙ୍କ ସମୃଦ୍ଧ କଳା, ସଂସ୍କୃତି ତଥା ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମ୍ପ୍ରଦାୟର ଅବଦାନର ନିଦର୍ଶନ ବହନ କରୁଥିବା ‘ଜନଜାତୀୟ ଦର୍ପଣ’ ଗ୍ୟାଲେରୀକୁ ଉଦ୍ଘାଟନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ଥିଲା । ମୁଁ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ମାସରେ ରାଜ୍ୟପାଳ ସମ୍ମିଳନୀ ଅବସରରେ ଆଦିବାସୀ-ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ସମ୍ବଳର ଉତ୍ତମ ବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲି ।
ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ୭୫ଟି ଆଦିମ ଜନଜାତି (ପିଭିଟିଜି) ବର୍ଗର ପ୍ରତିନିଧିମାନଙ୍କ ସହିତ ବିସ୍ତୃତ ବାର୍ତ୍ତାଳାପ କରିବା ମୋ ପାଇଁ ଏକ ସୁଖଦ ଅନୁଭୂତି ଥିଲା । ସେମାନେ ମୋ ସହିତ ନିଜ ନିଜର ସୁଖଦୁଃଖ ବାଣ୍ଟିଥିଲେ । ଏହା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅବସ୍ଥାପିତ ହେବାକୁ ଆମ ଆଦିବାସୀ ଭାଇଭଉଣୀମାନେ ଏକ ଅଭୂତପୂର୍ବ ସ୍ୱୀକୃତି ବୋଲି ମନେ କରୁଛନ୍ତି । ଏକ ମହତ ଭାବନା ନେଇ ଆମେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବର ଶୁଭାରମ୍ଭ କରୁଛୁ ଏବଂ ଆମେ ସମସ୍ତେ ଏ ଭାବନାର ଜଣେ ଜଣେ ଅଂଶୀଦାର । ମୋର ବିଶ୍ୱାସ, ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ କେବଳ ଆଦିବାସୀ ସମ୍ପ୍ରଦାୟର ଯୁବବର୍ଗଙ୍କ ପାଇଁ ନୁହେଁ, ଦେଶର ସବୁ ଯୁବବର୍ଗଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ । ସ୍ୱାଧୀନତା, ନ୍ୟାୟ, ପରିଚୟ ଏବଂ ମର୍ଯ୍ୟାଦା– ତାଙ୍କର ଏ ସମସ୍ତ ମହତ୍ତ୍ୱାକାଂକ୍ଷା ଆମ ଦେଶର ଯୁବପିଢ଼ି ନିମନ୍ତେ ଏକ ବଳିଷ୍ଠ ପ୍ରେରଣା ହୋଇ ରହୁ ।