ପୁରୀ,୨୨/୦୩ : ପୁଣି ମହାପ୍ରଭୁଙ୍କୁ ଅସମ୍ମାନ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଇ-ଅଟୋରେ ବାନ୍ଧି ନିଆଯାଇଛି । ହରିରାଜପୁର ମେଳଣ ପଡ଼ିଆକୁ ନିଆଯାଉଥିବା କହିଛନ୍ତି ଅଟୋ ଚାଳକ । ଏଭଳି ଦୃଶ୍ୟ ଜାତୀୟ ରାଜପଥରେ ଶହ ଶହ ବାଟୋଇଙ୍କ ଭାବାବେଗକୁ ଆଘାତ ଦେଇଛି ।
ଗତ ୧୯ ତାରିଖ ଅପରାହ୍ନ ସାଢ଼େ ୨ଟା । ରାଜପଥରେ ଯାଉଥିଲା ଇ-ଅଟୋ(ଓଡି-୧୩ୟୁ-୧୧୪୯) । ଅଟୋର ଛାତ ଉପରେ କପଡ଼ା ଗୁଡ଼ାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉପରକୁ ମୁହଁ କରି ବାନ୍ଧି ଦିଆଯାଇଥିଲା । ଅଟୋ ଭିତରେ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସାମ୍ନାକୁ ମୁହଁ କରି ସିଟ୍ ଉପରେ ବସାଇ ବନ୍ଧା ଯାଇଥିଲା । ସିଟ୍ର ତଳେ ବଡ଼ ଠାକୁରଙ୍କୁ ପଛକୁ ମୁହଁ କରି ବସାଇ ବାନ୍ଧି ଦିଆଯାଇଥିଲା । ତିନି ଠାକୁରଙ୍କୁ ଏଭଳି ଅବସ୍ଥାରେ ନେଇ ଦ୍ରୁତ ଗତରେ ଯାଉଥିଲା ଇ-ଅଟୋ । ବାଟରେ ଅନେକ ବାଟୋଇ ଏନେଇ ଚାଳକଙ୍କୁ ଗାଳି କରିବା ସହ ଏଭଳି ନନେବା ପାଇଁ ନିବେଦନ କରିଥିଲେ । ହେଲେ ଚାଳକ ଜଣକ କୌଣସି କଥା ନଶୁଣି ତିନି ଠାକୁରଙ୍କୁ ଏଭଳି ଅବସ୍ଥାରେ ନେଇ ପଳାଇଥିଲେ। ବାଟୋଇଙ୍କ ପ୍ରଶ୍ନର ଉତ୍ତର ରଖି ଚାଳକ ଜଣକ କହିଥିଲେ ହରିରାଜପୁର ମେଳଣକୁ ଠାକୁରେ ଭୋଗ ଖାଇବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାପ୍ରଭୁଙ୍କୁ ଅନେକ ଥର ଏଭଳି ଅପମାନ ଜନକ ଅବସ୍ଥାରେ ନିଆଯାଇଥିବା ଭିଡିଓ ଭାଇରାଲ୍ ହୋଇଛି ।