ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର,୦୩/୧୨: ବାତ୍ୟା ଓଡ଼ିଶାରେ ସିଧା ମାଡ଼ ହେବନି । ହେଲେ ଯେତିକି ପବନ, ବର୍ଷା ଧରି ଓଡ଼ିଶାରେ ପଶିବ, ସେଥିରେ ଉଜାଡ଼ି ଦେବ ଅମଳ ମୁହାଁ ଫସଲ । ବରବାଦ୍‌ କରିଦେବ ଧାନ, କପା, ମାଣ୍ଡିଆ, କୋବି, ଆଳୁ ଓ ଅନ୍ୟାନ୍ୟ ପନିପରିବା ଫସଲକୁ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ  ଅଞ୍ଚଳକୁ ବର୍ଷା ଆଶଙ୍କା ଘାରିଲାଣି । ଦକ୍ଷିଣରେ ପ୍ରବଳରୁ  ପ୍ରବଳତର ବର୍ଷା ହେବ । ପବନ ବି ୬୦ କିମି ପର୍ଯ୍ୟନ୍ତ  ଯାଇପାରେ । 

୩ରୁ ବର୍ଷା ଆରମ୍ଭ ହେବ । ୪ରୁ ବଢ଼ିବ ।  ଆସନ୍ତା ୫ ଓ ୬ରେ ପ୍ରବଳରୁ ପ୍ରବଳତର ବର୍ଷା  ହୋଇପାରେ । ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ  ଦକ୍ଷିଣର ଅନେକ ସ୍ଥାନରେ ନିର୍ଧୁମ ବର୍ଷା ଆଶଙ୍କା ଅଛି । ଏ ବର୍ଷ ଆରମ୍ଭରୁ ବର୍ଷା ହେଲାନି । ଡେରିରେ  ବୁଣାବୁଣି ହେଲା । ଏବେ ଅମଳ ମୁହାଁ ଫସଲ । ଧାନ  ପ୍ରାୟତଃ ପାଚି ଯାଇଛି । ଏତିକିବେଳେ ମାଡି ଆସୁଛି ଲଗାଣ ବର୍ଷା ଆଉ ପବନ । 

କୃଷି ପାଣିପାଗ ବିଜ୍ଞାନୀଙ୍କ  ଆଶଙ୍କା- ଏ ଅଦିନିଆ ଝଡ଼ବର୍ଷା ବିପତ୍ତି ଆଣିବ ଚାଷୀ ପାଇଁ ।  ବରବାଦ୍‌ କରିଦେବ ଫସଲ । ଭାଙ୍ଗି ଦେବ ଚାଷୀର ମେରୁଦଣ୍ଡ । ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ କୃଷି ବିଭାଗ ଘନଘନ ବୈଠକ  କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ  ଗଞ୍ଜାମ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ସତର୍କ ରହିବାକୁ  କୁହାଯାଇଛି । ଏହି ୫ ଜିଲ୍ଲାରେ ୬ ତାରିଖ ପର୍ଯ୍ୟନ୍ତ କୌଣସି କୃଷି  ଅଧିକାରୀ ଛୁଟି ନେଇପାରିବେନି ।  କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଶନିବାର  ପାଣିପାଗ ବିଭାଗ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି, କୃଷି ବିଭାଗ  ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ମାଇକରେ ଫସଲ ସୁରକ୍ଷା  ବାର୍ତ୍ତା ପ୍ରଚାର ପାଇଁ କୁହାଯାଇଛି । ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ  କମିଶନର ସତ୍ୟବ୍ରତ ସାହୁ ଫସଲ ସୁରକ୍ଷା ପାଇଁ ଆବଶ୍ୟକ  ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।  

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା-ଆସନ୍ତା ୨୪ ଘଣ୍ଟାରେ  (ରବିବାରକୁ) ଗଭୀର ଅବପାତ ବଳ ଜୁଟାଇ ବାତ୍ୟା ରୂପ ନେବ  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ । ଏହାପରେ ମୁହାଁଇବ ଉତ୍ତର- ପଶ୍ଚିମ ଦିଗରେ । ୪ ତାରିଖ ପୂର୍ବାହ୍ଣରେ ପହଞ୍ଚିବ ଦକ୍ଷିଣ ଆନ୍ଧ୍ର  ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ତାମିଲନାଡ଼ୁ ଉପରେ । ୫ ତାରିଖ ମଧ୍ୟାହ୍ନ  ପୂର୍ବରୁ ଆନ୍ଧ୍ରର ନେଲ୍ଲୋର ଓ ମଛଲିପଟ୍ଟନମ ଭିତରେ ଉପକୂଳ  ଛୁଇଁବ । ସେତେବେଳେ ସେଠାରେ ପବନ ବହୁଥିବ ୮୦-୯୦  କିମି ବେଗରେ, ମଝିରେ ମଝିରେ ୧୦୦ କିମି ବେଗରେ ପିଟୁଥିବ । 

ସମ୍ଭାବ୍ୟ ଗତିପଥ ଯାହା ଅନୁମାନ କରାଯାଉଛି, ଆନ୍ଧ୍ର  ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଆଗକୁ ବଢ଼ିବ । ଓଡ଼ିଶାରେ ଏହା  ପ୍ରଭାବ ପକାଇବ। ୩ ତାରିଖ ମାଲକାନଗିରି, କୋରାପୁଟ,  ରାୟଗଡ଼ା, ଗଜପତି, ଗଞ୍ଜାମର ଅଳ୍ପ କେତେକ ଜାଗାରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ । ଉପକୂଳର ଗୋଟିଏ ଦୁଇଟି ସ୍ଥାନ  ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ସ୍ଥାନେ ସ୍ଥାନେ ବର୍ଷା  ହୋଇପାରେ ।  

୪ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି,  ଗଞ୍ଜାମ, ପୁରୀର ଅନେକ ସ୍ଥାନ ସହ କନ୍ଧମାଳ, ନବରଙ୍ଗପୁର,  କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର ଅଳ୍ପ  କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ,  ରାୟଗଡ଼ା, ଗଜପତି, ଗଞ୍ଜାମର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା (୭୦ରୁ  ୧୧୦ ମିଲିମିଟର) ଆଶଙ୍କା ଅଛି ।  

୫ ତାରିଖରୁ ବଢ଼ିବ ବର୍ଷା । ଦକ୍ଷିଣ ଉପକୂଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ  ଏବଂ ଉତ୍ତର ଉପକୂଳର ଅନେକ ସ୍ଥାନ ସହ ବାକି ଅଞ୍ଚଳରେ  ବର୍ଷା ସମ୍ଭାବନା ଅଛି ।  ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମର  ସ୍ଥାନେ ସ୍ଥାନେ ୭୦ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ମଙ୍ଗଳବାର । ନବରଙ୍ଗପୁର, କଳାହାଣ୍ଡି,  କନ୍ଧମାଳ, ପୁରୀରେ ପ୍ରବଳ ବର୍ଷା (୭୦-୧୧୦ ମିମି) ସମ୍ଭାବନା ଅଛି । 

୬ ତାରିଖ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ, କେନ୍ଦୁଝର,  ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟର ଅନେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ । ଗଞ୍ଜାମ,  ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର,  କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ୭ରୁ ବର୍ଷା ପରିମାଣ କମିବ । ତଥାପି ୭ ଓ ୮ରେ  ହାଲୁକା ବର୍ଷା ହୋଇପାରେ ଅଳ୍ପ କିଛି ଜାଗାରେ । 

ବାତ୍ୟା ପ୍ରଭାବରେ ୪ ତାରିଖରେ ଓଡ଼ିଶା ଉପକୂଳରେ  (ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର)୩୫ରୁ ୪୫ କିମି  ବେଗରେ ପବନ ବହିପାରେ । ପବନ ଝଟକା ମଝିରେ ମଝିରେ  ୫୫ କିମି ପର୍ଯ୍ୟନ୍ତ ଯାଇପାରେ । ୫ ତାରିଖ ସନ୍ଧ୍ୟାରୁ ପବନ ବେଗ  ଆହୁରି ବଢ଼ି ଘଣ୍ଟା ପ୍ରତି ୪୦-୫୦ କିମି ରହିପାରେ । ମଝିରେ  ମଝିରେ ପବନ ଧକ୍କା ୬୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ୫ ତାରିଖରେ  ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ୩୦-୪୦ କିମି ପବନ  ହୋଇପାରେ । ପବନ ଧକ୍କା ୫୦ କିମି ପର୍ଯ୍ୟନ୍ତ ଯାଇପାରେ ।  

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ  ମନା କରାଯାଇଛି । ୪ରୁ ୬ ଯାଏଁ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ  ବୋଲି ସତର୍କ କରାଯାଇଛି । 

କୃଷି ପାଣିପାଗ ବିଶାରଦ ଦେବାଶିଷ ଜେନା କହିଛନ୍ତି, ଧାନ,  କପା, ମାଣ୍ଡିଆ ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ବାତ୍ୟା  ପ୍ରଭାବରେ ଦକ୍ଷିଣରେ ବର୍ଷା ସମ୍ଭାବନା ଅଧିକ । ଦକ୍ଷିଣ ଓଡ଼ିଶାରେ  ଧାନ, ମାଣ୍ଡିଆ ସହ କପା ମଧ୍ୟ ବହୁଳ ମାତ୍ରାରେ ଚାଷ କରାଯାଏ ।  ଧାନ ଫୁଲ ଧରିବା, କ୍ଷୀର ଢୋକିବା ଅବସ୍ଥା (ଭିତରେ ଚାଉଳ  ଦାନା ବାନ୍ଧିବା ସମୟ) କିମ୍ବା ଅମଳ ସମୟରେ ଥିଲେ ଏ ବର୍ଷା,  ପବନ କ୍ଷତି ପହଞ୍ଚାଇବ । ଧାନ ଝଡ଼ିବା ସହ ପବନରେ ପଡ଼ି  ସଢ଼ିଯାଇପାରେ । ଧାନର ମାନ (କ୍ୱାଲିଟି) ବି କମିପାରେ । କୋବି  ଫୁଲି ଫାଟି ଯାଇପାରେ । ଏ ବର୍ଷା ଯୋଗୁ ପ୍ରତ୍ୟେକ ଫସଲରେ  ରୋଗ, କୀଟ ମାଡ଼ିଯାଇପାରେ । ଅମଳ ଉପଯୋଗୀ ଥିଲେ ଶୀଘ୍ର  ଅମଳ କରି ଫସଲକୁ ସୁରକ୍ଷିତ ସ୍ଥାନକୁ ଆଣିବା ଉଚିତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.