ପ୍ରମୂଖ ଖବର

ନିର୍ବାଚନୀ ବଣ୍ଡ୍‌ ଯୋଜନା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଲୋକସଭା ନିର୍ବାଚନ ନେଇ ଘୋଷଣା ପର୍ବରୁ ନିର୍ବାଚନୀ ବଣ୍ଡ ସ୍କିମ୍‌କୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହା ଉପରେ ରୋକ ଲଗାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଲେକ୍ଟୋରାଲ୍‌ ବଣ୍ଡସ୍‌ ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି । ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ନିର୍ବାଚନୀ ଫଣ୍ଡିଂ ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ୫ ଜଣି ଖଣ୍ଡପୀଠ ମାମଲାର ରାୟ ଶୁଣାଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଗତବର୍ଷରୁ ଅକ୍ଟୋବର ୩୧ ତାରିଖରୁ ମାମଲାରେ ଲଗାତାର ଭାବେ ଶୁଣାଣି ଜାରି ରହିଛି ।

ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ଯୋଜନାରେ କିଛି ଦୋଷ ଦୁର୍ବଳତା ରହିଛି । ଏହି ବଣ୍ଡରେ ଗୋପନୀୟତା ରହୁଛି । ଏହି ସୂଚନା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଅପଲବ୍ଧ ରହୁଛି ଏବଂ ତାଙ୍କ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି ମଧ୍ୟ ପହଞ୍ଚି ପାରିବ । ଯଦି ସମସ୍ତ ରାଜନୈତିକ ଦଳ ନିକଟରେ ସମାନ ସୁବିଧା ନମିଳେ ତେବେ ଏହି ଯୋଜନାକୁ ନେଇ ଅସ୍ପଷ୍ଟତା ସ୍ଥିତି ଲାଗି ରହିବ । ଏହି ଯୋଜନାକୁ କଳାଧନ ହେରଫେର୍ କରିବା ଲକ୍ଷ୍ୟରେ କରାଯାଇଛି ବୋଲି କୁହାଯାଉଛି । କେଉଁ ଦଳକୁ କେତେ ନିର୍ବାଚନୀ ଅର୍ଥରାଶି ମିଳୁଛି ତାହା ଭୋଟର ଜାଣିବା ଦରକାର ବୋଲି କୋର୍ଟ କହିଛନ୍ତି । 

୨୦୧୮ରେ ଇଲେକ୍ଟୋରାଲ ବଣ୍ଡର ପ୍ରଚଳନ ଆରମ୍ଭ ହୋଇଥିଲା । ଏହା ଦ୍ବାରା ରାଜନୈତିକ ଫଣ୍ଡିଂ କ୍ଷେତ୍ରରେ ପାରଦର୍ଶିତା ବଢ଼ିବ ବୋଲି ଆଶା କରାଯାଉଥିଲା । ବ୍ୟକ୍ତି, କର୍ପୋରେଟ ଏବଂ ବିଭିନ୍ନ ସଂସ୍ଥା ବଣ୍ଡ କିଣି ଏହାକୁ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଉଥିଲେ । ଏହାକୁ ବ୍ୟାଙ୍କରେ ପୈଠ କରି ରାଜନୈତିକ ଦଳ ଟଙ୍କା ପାଉଥିଲେ । ଇଲେକ୍ଟୋରାଲ୍‌ ବଣ୍ଡ ଜାରି କରିବା ଏବଂ ଏହା ପରିବର୍ତ୍ତେ ଟଙ୍କା ଦେବା ଲାଗି ଏସବିଆଇର ୨୯ଟି ଶାଖାକୁ ଅଧିକାର ଦେଇଥିଲେ ସରକାର । ସେଥିମଧ୍ୟରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଗାନ୍ଧୀ ନଗର, ଚଣ୍ଡିଗଡ଼, ପାଟନା, ରାଞ୍ଚି, ଗୌହାଟି, ଭୋପାଳ ଏବଂ ବେଙ୍ଗାଲୁରୁ ଶାଖା ମଧ୍ୟ ସାମିଲ । ସେପଟେ ୧୯୫୧ ଆଇନ ଅନୁଯାୟୀ ଧାରା ୨୯(A) ଦ୍ବାରା ପଞ୍ଜିକୃତ ରାଜନୈତିକ ଦଳ ନିର୍ବାଚନୀ ବଣ୍ଡ୍ସ ସ୍ବୀକାର କରିପାରିବେ । ଏଥିରେ ସର୍ତ୍ତ କେବଳ ପୂର୍ବ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ସେହି ଦଳକୁ ଏକ ପ୍ରତିଶତ ଭୋଟ୍ ମିଳିଥିବା ଆବଶ୍ୟକ ।     

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.