ପ୍ରମୂଖ ଖବର

ଏମ୍ସରୁ ଡିସ୍‌ଚାର୍ଜ ପରେ ଘରମୁହାଁ ଶ୍ରମବୀର, ୨ ସପ୍ତାହ ପରେ ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଉତ୍ତରକାଶୀ, ୦୧/୧୨ : ୧୭ ଦିନ ପରେ ଉତ୍ତରକାଶୀ ସୁଡ଼ଙ୍ଗରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୪୧ ଶ୍ରମିକ ରିଷିକେଶ ଏମ୍ସରୁ ଡିସ୍‌ଚାର୍ଜ ହୋଇଛନ୍ତି । ଏବେ ସେମାନେ ନିଜ ନିଜ ଘରମୁହାଁ ହୋଇଛନ୍ତି। ସେମାନଙ୍କୁ ସ୍ୱାଗତ କରିବା ପାଇଁ ପରିବାର ଲୋକମାନେ ଚାହିଁ ବସିଛନ୍ତି । ସେମାନେ ଯେମିତି ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଞ୍ଚିବେ, ତାହାକୁ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ରାଜ୍ୟର ଅଧିକାରୀମାନେ ରିଷିକେଶ ଏମ୍ସରେ ପହଞ୍ଚିଥିଲେ । ଗୁରୁବାର ଡିସ୍‌ଚାର୍ଜ ପୂର୍ବରୁ ଶ୍ରମିକମାନଙ୍କର ପୁନଃ ରକ୍ତଚାପ, ଏକ୍ସ-ରେ ପରୀକ୍ଷା କରାଯାଇଥିଲା । କିଛି ଶ୍ରମିକଙ୍କର ରକ୍ତ ପରୀକ୍ଷା ବି ହୋଇଥିଲା। ସମସ୍ତଙ୍କର ଇସିଜି ରିପୋର୍ଟ ସ୍ୱାଭାବିକ ଆସିଥିଲା । ଶ୍ରମିକମାନେ ବର୍ତ୍ତମାନ ଉଭୟ ଶାରୀରିକ ଓ ମାନସିକ ଭାବେ ସ୍ଥିର ତଥା ସୁସ୍ଥ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିଛି । 

ପୂର୍ବରୁ ଶ୍ରମିକମାନଙ୍କୁ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରଥମ ୨୪ ଘଣ୍ଟା ସେମାନଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ଅବନତି ଦେଖାଯାଇ ନ ଥିଲା । ସେମାନଙ୍କ ଉପରେ ନଜର ରଖିଥିବା ଡାକ୍ତରୀ ଟିମ୍‌ ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ସମସ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । ରିଷିକେଶ ଏମ୍ସର ଡାକ୍ତର ରବିକାନ୍ତ କହିଛନ୍ତି, ଶ୍ରମିକମାନଙ୍କର ପ୍ରମୁଖ ଅଙ୍ଗପ୍ରତ୍ୟଙ୍ଗ ସ୍କ୍ରିନିଂ କରାଯାଇଥିଲା । ସବୁ ସ୍ୱାଭାବିକ ଥିବାରୁ ସେମାନେ ଯାତ୍ରା କରିପାରିବେ ବୋଲି ଆମେ ନିଶ୍ଚିତ ହୋଇଥିଲୁ । ବଡ଼ କଥା ହେଉଛି ସୁଡ଼ଙ୍ଗ ମଧ୍ୟରେ ଫସିଥିଲା ବେଳେ ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇଥିଲା । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ଲାଗି ସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୁସ୍‌ ଦିଆଯାଇଥିଲା । ମାନସିକ ଭାବେ ଫିଟ୍‌ ରଖିବା ଲାଗି ବି ସୁବନ୍ଦୋବସ୍ତ ହୋଇଥିଲା। ଏହାଛଡ଼ା ସମସ୍ତେ ଯୁବ ତଥା ମଧ୍ୟମ ଆୟୁ ବର୍ଗର ହୋଇଥିବାରୁ ଫିଟ୍‌ ରଖିବାରେ ଏହା ସହୟକ ହୋଇଥିଲା । 

ଡା. ରବିକାନ୍ତଙ୍କ ମୁତାବକ, ଘରେ ପହଞ୍ଚିବାର ଦୁଇ ସପ୍ତାହ ପରେ ନିକଟତମ ହସ୍ପିଟାଲରେ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ଶ୍ରମିକମାନଙ୍କୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଲାଗି ଏମ୍ସ ରିଷିକେଶ ଡାକ୍ତରମାନେ ଟେଲି-ମେଡିସିନ୍‌ ଜରିଆରେ ଶ୍ରମିକମାନଙ୍କ ସହ ଯୋଗାଯୋଗରେ ରହିବେ । କିଛି ସପ୍ତାହ ପର୍ଯ୍ୟନ୍ତ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ । ଏମ୍ସର ଆଉ ଜଣେ ଡାକ୍ତର କହିଛନ୍ତି, ଶ୍ରମିକମାନଙ୍କୁ ନେବା ପାଇଁ ସେମାନଙ୍କ ରାଜ୍ୟର ଅଧିକାରୀ ଆସି ପହଞ୍ଚିଥିଲେ । ସେମାନଙ୍କ ସହ ଶ୍ରମିକମାନେ ଘର ଅଭିମୁଖେ ଯାତ୍ରା କରିଛନ୍ତି । 

ଅନ୍ୟପକ୍ଷରେ ଝାଡ଼ଖଣ୍ଡର ୧୫ ଶ୍ରମିକ ଗୁରୁବାର ଦିଲ୍ଲୀ ଏୟାରଲିଫ୍ଟ ହୋଇଛନ୍ତି । ଶୁକ୍ରବାର ସକାଳେ ସେମାନେ ରାଞ୍ଚି ଗସ୍ତ କରିବେ । ଝାଡ଼ଖଣ୍ଡ ନୋଡାଲ ଅଧିକାରୀ ଭୁବନେଶ କହିଛନ୍ତି, ଶ୍ରମିକମାନେ ସୁସ୍ଥ ଅଛନ୍ତି । ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନରେ ରହିବା ପରେ ଶୁକ୍ରବାର ବିମାନ ଯୋଗେ ସେମାନଙ୍କୁ ରାଞ୍ଚି ନିଆଯିବ । ଏହାଛଡ଼ା ଓଡ଼ିଶାର ୫, ଉତ୍ତର ପ୍ରଦେଶର ୬, ବିହାରର ୫, ପଶ୍ଚିମବଙ୍ଗର ୩, ଉତ୍ତରାଖଣ୍ଡ ଓ ଆସାମର ଦୁଇଜଣ ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଜଣେ ଶ୍ରମିକ ନିଜ ରାଜ୍ୟ ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.