ଫୁଲବାଣୀ, ୨୯/୩ (ଆପ୍ର): କନ୍ଧମାଳ ଷ୍ଟାଡ଼ିୟମ୍ରେ ଜିଲ୍ଲା ପ୍ରଶାସନ ଏବଂ ଓରମାସ୍ ପକ୍ଷରୁ ସପ୍ତାହବ୍ୟାପି ଚାଲିଥିବା ପଲ୍ଲିଶ୍ରୀ ମେଳା ଉଦ୍ଯାପିତ ହୋଇଯାଇଛି। ମେଳାରେ ୨୦୫ଟି ଷ୍ଟଲ ହୋଇଥିବା ବେଳେ ରାଜ୍ୟର ସମସ୍ତ ୩୦ଟି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, କମ୍ପାନି ସମତେ ରାଜ୍ୟ ବାହାର ଆସାମ, ମଣିପୁର, ପଞ୍ଜାମ, ବିହାର , ଗୁଜୁରାଟ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କାରିଗରମାନେ ଅଂଶ ଗ୍ରହଣ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲିଥିବା ଷ୍ଟଲରେ ୧ କୋଟି ୩୧ ଲକ୍ଷ ୪୭ ହଜାର ଟଙ୍କାର ବାଣିଜ୍ୟ କାରବାର ହୋଇଥିବା ଓରମାସ୍ ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଅନ୍ୟ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଳା ହୋଇଥିଲା। ୨୫ ତାରିଖରେ କନ୍ଧମାଳ ମହୋତ୍ସବ ଉଦ୍ଯାପିତ ହୋଇଥିଲେ ମଧ୍ୟ ବ୍ୟବସାୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ, ଓରମାସ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ଭୂୟାଁ, ସହଯୋଗୀ ବିକ୍ରମ ତରାଇଙ୍କ ସମେତ ମେଳାକୁ ପ୍ରଶାସନ ପକ୍ଷରୁ ଦୁଇ ଦିନ ବୃଦ୍ଧି କରାଯାଇଥିଲା।