ପ୍ରମୂଖ ଖବର

କାଶ୍ମୀରରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ; ଗୁଲମର୍ଗରୁ ବରଫ ଉଭାନ, ପର୍ଯ୍ୟଟକଙ୍କ ଗହଣରେ ଅସନ୍ତୋଷ

ଶ୍ରୀନଗର: ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଜାମ୍ମୁକାଶ୍ମୀର ଉପରେ ପଡ଼ିଛି । ବରଫର ଆସ୍ତରଣରେ ଘୋଡ଼ାଇ ହୋଇପଡ଼ୁଥିବା କାଶ୍ମୀର ଉପତ୍ୟକାରେ ଏବେ ବରଫ ଗାଏବ । ଶୁଖିଲା ପଡ଼ିଛି କାଶ୍ମୀରର ବିଭିନ୍ନ ଅଞ୍ଚଳ । ଗୁଲମର୍ଗ, ପାହାଲଗାମ ଏବଂ ସୋନମାର୍ଗରେ ତୁଷାରପାତର ଦେଖା ନାହିଁ । ଓ୍ବିଣ୍ଟର ଓ୍ବାଣ୍ଡରଲ୍ୟାଣ୍ଡ ଭାବେ ଜଣାଶୁଣା କାଶ୍ମୀରର ଗୁଲମର୍ଗରେ ଏଯାଏଁ ତୁଷାରପାତ ଦେଖିବାକୁ ମିଳିନାହିଁ । ସେପଟେ ଏହାକୁ ନେଇ ପର୍ଯ୍ୟଟକଙ୍କ ଗହଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । 

କାଶ୍ମୀର ଭ୍ୟାଲିରେ ଗ୍ଲୋବାଲ ଓ୍ବାର୍ମିଂର ଗୁରୁତର ପ୍ରଭାବ ପଡ଼ିଛି । କାଶ୍ମୀର ଏବେ ଶୁଖିଲା ପଡ଼ିଥିବା ବେଳେ ସେଠାରେ ତୁଷାରପାତ ହେଉ ନାହିଁ କି ବର୍ଷା ହେଉ ନାହିଁ । ସେପଟେ ଡିସେମ୍ବର-ଜାନୁଆରୀରେ  ୭୫ ପ୍ରତିଶତ ବର୍ଷାର ଅଭାବ ଦେଖାଯାଇଛି ବୋଲି ପାଣିପାଗ ବଭାଗ ସୂଚନା ଦେଇଛି ।  ବିଶେଷ କରି ବରଫପାତ ଲାଗି ବେଶ ଜଣାଶୁଣା ଗୁଲମର୍ଗରେ ଏଥର ତୁଷାରପାତ ହୋଇନାହିଁ । ଏବେ ସମଗ୍ର ଜାମ୍ମୁକାଶ୍ମୀର ଶୁଖିଲା ପଡ଼ିଥିବା ବେଳେ ଏଭଳି ସ୍ଥିତି ଜାନୁଆରୀ ୧୬-୧୭ ଯାଏଁ ଜାରି ରହିବ । ସେପଟେ ଗ୍ଲେସିୟର ତରଳିବାରେ ଲାଗିଥିବା ବେଳେ ଏଥର ଶୁଖିଲା ପାଗ ଏବଂ ତୁଷାରପାତ ଅଭାବ ଯୋଗୁଁ ଆହୁରି ବିପଦ ବୃଦ୍ଧି ପାଇବ । ଦୀର୍ଘ ସମୟ ଧରି ଡ୍ରାଏ ସ୍ପେଲ୍‌ ବା ଶୁଖିଲା ପଡ଼ିବା ଦ୍ବାରା ଭୂତଳ ଜଳସ୍ତର ହ୍ରାସ ପାଇବ ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି । 

ତୁଷାରପାତ ହେଉନଥିବାରୁ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତରେ, ସମୁଦ୍ର ପୃଷ୍ଠର ଉତ୍ତାପ ବୃଦ୍ଧି ପାଉଥିବା ହେତୁ ବିଶ୍ବ ଜଳବାୟୁରେ ପରିବର୍ତ୍ତନ ଘଟୁଛି । ଏହା ସହ ହିମାଳୟ ପାଦଦେଶରେ କମ୍‌ ବର୍ଷା ଓ ତୁଷାରପାତ ପାଇଁ ଏହା ମଧ୍ୟ ଦାୟୀ । ଏଥିପାଇଁ ପର୍ଯ୍ୟଟକଙ୍କ ପସନ୍ଦ ଗୁଲମର୍ଗ ଏବଂ ପାହାଲଗାମରେ ତୁଷାରପାତର ଅଭାବ ଦେଖାଦେଇଛି ବୋଲି ସେ କହିଛନ୍ତି । ସେପଟେ ପର୍ଯ୍ୟଟକମାନେ ମଧ୍ୟ ଶୁଖିଲା କାଶ୍ମୀରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.