ଢେଙ୍କାନାଳ,୨୬/୦୫: ଢେଙ୍କାନାଳ ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥର ଝାରଗାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଭାପୁର ଗାଁର ଲକ୍ଷ୍ମୀଧର ସାହୁ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଲକ୍ଷ୍ମୀଧର ସାହୁ ନିଜ ଅଟୋକୁ ନେଇ ଯାଉଥିଲେ। ଝାରଗାଡିଆ ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଟୋ ଚାଳକ ଲକ୍ଷ୍ମୀଧର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଛି । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଖବର ପାଇବା ପରେ ଝାରଗାଡ଼ିଆ ଫାଣ୍ଡି ପୁଲିସ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଦୁର୍ଘଟଣାଗ୍ରସ୍ତ ଅଟୋଟିକୁ ଜବତ କରିଛି । ଲକ୍ଷ୍ମୀଧରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।