ପ୍ରମୂଖ ଖବର

ଆର୍ଥିକ ସଂକଟ ସହ ଯୁଝୁଛି ଭାରତର ବନ୍ଧୁ ଏହି ମୁସଲିମ୍ ଦେଶ, ୟୁଏଇକୁ ‘ବିକି’ ଦେଲା ଗୋଟିଏ ସହର

କାଇରୋ, ୨୪/୦୨: ଉତ୍ତରପୂର୍ବ ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ଦେଶ ଇଜିପ୍ଟରେ ଦେଖା ଦେଇଛି ଆର୍ଥିକ ସଂକଟ । ଆର୍ଥିକ ସ୍ଥିତି ବିଗୁଡ଼ୁ ଥିବା ବେଳେ ୟୁଏଇ ପକ୍ଷରୁ ସହାୟତା ମିଳିଛି । ଇଜିପ୍ଟର ଉତ୍ତରରେ ଥିବା ଏକ ବଡ଼ ସହରରେ ବ୍ୟାପାର ଓ ପର୍ଯ୍ୟଟନ କେନ୍ଦ୍ର ଲାଗି ଅରବ ଡଲାରର ଚୁକ୍ତି କରିଛି ୟୁଏଇ ।

ଅରବ ଡଲାର ପୁଞ୍ଜିନିବେଶରେ ରାସ ଅଲ୍ ହେକମାକୁ ଅତ୍ୟାଧୁନିକ ସହର ଭାବେ ବିକଶିତ କରାଯିବ । ଏହି ଉପକୂଳ ସହରକୁ କିଣିବା ଲାଗି ୩୫ ଅରବ ଡଲାରର ଚୁକ୍ତି ହୋଇଛି । ଇଜିପ୍ଟର ନଗର ଉନ୍ନୟନ ମନ୍ତ୍ରୀ ଅସେମ-ଗଜ୍ଜର ଓ ୟୁଏଇର ନିବେଶ ମନ୍ତ୍ରୀ ମୋହମ୍ମଦ ଅଲ୍ ସୁବେଦୀ ବୁଝାମଣାରେ ହସ୍ତାକ୍ଷର କରିଛନ୍ତି ।

ଚୁକ୍ତି ନେଇ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୁସ୍ତଫା ମ୍ୟାଡବୌଲି କହିଛନ୍ତି, ଅଗ୍ରୀମ ଭାବେ ୟୁଏଇ ସରକାର ୧୫ ଅରବ ଡଲାର ଦେବେ । ଅବଶିଷ୍ଟ ରାଶି ୨ ମାସ ମଧ୍ୟରେ ମିଳିବ । ଦେଶର ସହରର ବିକାଶ ଲାଗି ଏହା ସବୁଠୁ ବଡ଼ ବିଦେଶୀ ପୁଞ୍ଜି ନିବେଶ ବୋଲି କହିଛନ୍ତି ମୁସ୍ତଫା ।

ପୁଞ୍ଜି ନିବେଶ ମାଧ୍ୟମରେ ସହରରେ ବାସପୋଯୋଗୀ ଘର, ପର୍ଯ୍ୟଟକ ରିସର୍ଟ, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିଳ୍ପାଞ୍ଚଳ, ପର୍ଯ୍ୟଟନ ସ୍ଥଳ ସହ ସାମୁଦ୍ରିକ ବନ୍ଦର ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରାଯିବ । ସେଠାରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ଇଜିପ୍ଟ ପ୍ରଧାନମନ୍ତ୍ରୀ । ଏହି ନିବେଶ ଦେଶରେ ଆର୍ଥିକ ସ୍ଥିତିକୁ ମଜଭୁତ୍ କରିବ ।

ଇଜିପ୍ଟର ରାସ ଅଲ୍ ହେକମା ରାଜଧାନୀ କାଇରୋ ଠାରୁ ପଶ୍ଚିମରେ ୨୦୦ କିମି ଦୂରରେ ରହିଛି । ଏହା ଏକ ପର୍ଯ୍ୟଟକ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଧଳା ବାଲି ଦେଖିବାକୁ ମିଳେ । ଦେଶର ଆର୍ଥିକ ସ୍ଥିତି ଖରାପ ରହିଥିବା ବେଳେ ବିଦେଶୀ ମୁଦ୍ରା ଭଣ୍ଡାର ଖସୁଛି । ଋଣ ଭାର ବଢ଼ି ଚାଲିଛି । ଏହା ଛଡ଼ା ହୁତି ବିଦ୍ରୋହୀଙ୍କ ଉତପାତ୍ ଯୋଗୁଁ ସୁଏଜ୍ କେନାଲର ରାଜସ୍ୱ ଖସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.