ପ୍ରମୂଖ ଖବର

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ପୁଣି ସମନ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ସମନ ପଠାଇଛି । ଫେବୃଆରୀ ୨୨ (ଗୁରୁବାର) ତାଙ୍କୁ ସପ୍ତମ ଥର ଲାଗି ଇଡି ସମନ କରିଛି । ଫେବୃଆରୀ ୨୬ରେ ତାଙ୍କୁ ହାଜର ପାଇଁ ଅପିଲ କରିଛି ଇଡି । ଦିଲ୍ଲୀ ଅବକାରୀ ଦର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ଫେବୃଆରୀ ୧୯ରେ କେଜ୍ରିଓ୍ବାଲଙ୍କୁ ହାଜର ହେବାକୁ କହିଥିଲା ଇଡି । ହେଲେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । 

ସେପଟେ ଇଡି ପକ୍ଷରୁ ବାରମ୍ବାର ସମନ ପରେ ମଧ୍ୟ କେଜ୍ରିଓ୍ବାଲ ହାଜର ହେଉନାହାନ୍ତି । ଏହି ମାମଲାଏବେ କୋର୍ଟରେ ଚାଲିଛି । ଇଡି ପ୍ରଥମେ ୨ ନଭେମ୍ବର ୨୦୨୩ରେ କେଜ୍ରିଓ୍ବାଲଙ୍କୁ ସମନ କରିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ରେ ପଠାଇଥିଲା ଇଡି । ପରେ ୩ ଜାନୁଆରୀ ୨୦୨୪, ୧୭ ଜାନୁଆରୀ ୨୦୨୪ରେ ଇଡି ପକ୍ଷରୁ ସମନ ମିଳିଥିଲେ ହେଁ କେଜ୍ରିଓ୍ବାଲ ହାଜର ହୋଇନଥିଲେ । ଏହା ପରେ ୨ ଫେବୃଆରୀ ୨୦୨୪ରେ ଇଡି ପଞ୍ଚମ ସମନ ପଠାଇଥିଲା । ହେଲେ ଏହାକୁ ବେଆଇନ୍‌ କହି ହାଜର ହୋଇନଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । 

 ତାପରେ ଫେବୃଆରୀ ୧୪ରେ କେଜ୍ରିଓ୍ବାଲଙ୍କୁ ଷଷ୍ଠ ଥର ଲାଗି ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାମଲା କୋର୍ଟରେ ଥିବା ବେଳେ ସମନ କାହିଁକି ପଠାଉଛ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଏହା ପୂର୍ବରୁ କେଜ୍ରିଓ୍ବାଲ  ଫେବୃଆରୀ ୧୭ରେ ଇଡି କୋର୍ଟରେ ଭିଡିଓ କନଫରେନ୍ସିଂରେ ହାଜର ହୋଇଥିଲେ । ସେତେବେଳେ ବଜେଟ ଏବଂ ବିଶ୍ବାସ ପ୍ରସ୍ତାବ ଆଗତ ହୋଇଥିବାରୁ କେଜ୍ରିଓ୍ବାଲ ବ୍ୟକ୍ତିଗତ ଭାବେ ହାଜର ହୋଇପାରିନଥିଲେ ବୋଲି ତାଙ୍କ ଓକିଲ କୋର୍ଟରେ କହିଥିଲେ । ଏହା ସହ କେଜ୍ରିଓ୍ବାଲ କହିଥିଲେ ଆଗାମୀ ତାରିଖରେ ନିଜେ କୋର୍ଟରେ ହାଜର ହେବେ । ମାର୍ଚ୍ଚ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହେଲେ ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  

 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.