ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

କଟକ ବାଲିଯାତ୍ରା ପାଇଁ ମୁତୟନ ହେବେ ୭୦ ପ୍ଲାଟୁନ୍‌ ଫୋର୍ସ, ବରିଷ୍ଠ ନାଗରିକଙ୍କୁ ଯାତ୍ରା ବୁଲାଇବାରେ କରିବେ ସହଯୋଗ

କଟକ,୨୭/୧୧: ବାଲିଯାତ୍ରାରେ ଆଇନଶୃଙ୍ଖଳା ଡ୍ୟୁଟି ଆମର ନୁହେଁ । ଯାତ୍ରାକୁ ତଦାରଖ କରିବା ଓ ଦେଖଣାହାରୀଙ୍କୁ  ସହଯୋଗ କରିବା ଆମର ଡ୍ୟୁଟି । ସୁରୁଖୁରୁରେ ଦେଖଣାହାରୀଙ୍କୁ ଯାତ୍ରା ପଡ଼ିଆରେ ବୁଲାଇବାରେ ସହଯୋଗ କରିବା ଆମର କର୍ତ୍ତବ୍ୟ । ତେଣୁ  ଏହାକୁ ଅନ୍ୟ ପୂଜା ଡ୍ୟୁଟି ଭଳି ଭାବିବା ନାହିଁ ।  କାହା ଉପରେ ରାଗିବାନି । ଉତ୍ତମ ବ୍ୟବହାର  ଦେଖାଇବା । ଆବଶ୍ୟକ ହେଲେ ବରିଷ୍ଠ  ନାଗରିକଙ୍କୁ ସାଙ୍ଗରେ ନେଇ ଯାତ୍ରା ବୁଲାଇ  ଦେଖାଇବା ।-ବାଲିଯାତ୍ରାରେ ନିୟୋଜିତ  ହେବାକୁ ଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ  ଆଜି ଡ୍ୟୁଟି ବୁଝାଇବା ବେଳେ ଏଭଳି କିଛି  ପରାମର୍ଶ ଦେଇଛନ୍ତି ଡିସିପି ପିନାକ ମିଶ୍ର ।  

‘କଟକ ଇନ୍‌ କଟକ’ରେ ବାଲିଡଙ୍ଗା, ଏଲ୍‌ଇଡିରେ ଝଲସିବ ୩୫ ଫୁଟ ଉଚ୍ଚ ବାଲୁକା କଳା

ତେବେ ପଡ଼ିଆରେ ଦେଖଣହାରୀଙ୍କ  ସୁରକ୍ଷା ସହିତ ଟ୍ରାଫିକ୍‌ ପରିଚାଳନା ଏକ ବଡ଼  ଦାୟିତ୍ୱ । ଦିନକୁ ଦିନ ଗାଡ଼ି ବଢ଼ିବା ଓ ରାସ୍ତାରେ  ଜାମ୍‌ ଲାଗିବା ଏକ ବଡ଼ ସମସ୍ୟା ପାଲଟିଛି ।  ତେଣୁ ଏହାକୁ ଉତ୍ତମଢଙ୍ଗରେ ପରିଚଳାନା  କରିବା ଏକ ଚାଲେଞ୍ଜ । ସବୁ କର୍ମଚାରୀ ଧୈର୍ଯ୍ୟର  ସହ ରାସ୍ତାରେ ରହି ଟ୍ରାଫିକ୍‌ ପରିଚାଳନା କରିବାକୁ  ଡିସିପି ଅନୁରୋଧ କରିଛନ୍ତି । ସେହିପରି  ବିଭିନ୍ନ ଛକରେ ଟ୍ରାଫିକ୍‌ କଟକଣା, ଯାତ୍ରୀଙ୍କୁ  ଦୂର ପାର୍କିଂ ସ୍ଥଳରୁ ପଡ଼ିଆ ପର୍ଯ୍ୟନ୍ତ ଆଣିବା  ବେଳେ ସହଯୋଗ ଓ କୌଣସି ଅଘଟଣ ହେଲେ  ତତ୍ପରତା ଦେଖାଇବାକୁ ଆଜି ଡିସିପି ନିର୍ଦ୍ଦେଶ  ଦେଇଛନ୍ତି । ସେହିପରି ରିଂ ବନ୍ଧରେ ରହିଥିବା  ବିଚାରପତିଙ୍କ କ୍ୱାର୍ଟର୍ସ ନିକଟରେ ସୁରକ୍ଷା ଓ  ଗହଳି ରୋକିବାକୁ ଅଧିକ ଧ୍ୟାନ ଦେବାକୁ  କୁହାଯାଇଛି । 

ଚଳିତ ମୋଟ୍‌ ୨୧୦ ସେକ୍ସନ୍‌  ଫୋର୍ସ ବା ୭୦ ପ୍ଲାଟୁନ୍‌ ଫୋର୍ସ ଯାତ୍ରା ପାଇଁ  ମୁତୟନ ହେବ । ସେହିପରି ମୋଟ୍‌ ୨୫୦ରୁ  ଅଧିକ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ତଦାରଖ  ପାଇଁ ନିୟୋଜିତ କରାଯିବ । ୪ ଜଣ ଏଏସ୍‌ପି  ବା ଏଡିସିପି, ୧୭ ଜଣ ଡିଏସ୍‌ପି ବା ଏସିପି,  ୪୪ ଜଣ ଇନ୍ସପେକ୍ଟର ବା ସର୍ଜେଣ୍ଟ୍‌, ୨୧୦ ଜଣ  ଏସ୍‌ଆଇ-ଏଏସ୍‌ଆଇ, ୨୨୦ କନ୍‌ଷ୍ଟେବଳ ଓ  ଗୋଟିଏ ପ୍ଲାଟୁନ୍‌ ଏସ୍‌ଓଜି ମୁତୟନ ହେବେ । ପୂରା  ଯାତ୍ରା ଉପରେ ନଜର ରଖିବା ପାଇଁ ପଡ଼ିଆରେ  ୫ଟି ୱାଚ୍‌ ଟାୱାର ନିର୍ମାଣ ହୋଇଛି । 

ଏଥର ବାଲିଯାତ୍ରାରେ ‘ଡିଜିଟାଲ୍‌ ଏସି ହ୍ୟାଙ୍ଗର୍‌’ ଆକର୍ଷଣ, ମଜା ଦେବ ହୋଲୋଗ୍ରାଫିକ୍‌ ଓ ଆନାମରଫିକ୍‌ ସୋ'

ସେହିପରି  କୌଣସି ଅପରାଧିକ ଅଘଟଣ ଏଡାଇବା ପାଇଁ  ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥରେ ୧୦ଟି ମୋର୍ଚ୍ଚା  ଗଠନ ହୋଇଛି । ଏଠାରେ ବନ୍ଧୁକଧାରୀ ପୁଲିସ  ମୁୟତନ ହେବେ । ଦୁଇ ପଡ଼ିଆରେ ପୁଲିସ  ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ୨୬ଟି ଏଡ୍‌ ପୋଷ୍ଟ୍‌  ଗଠନ କରାଯାଇଛି । ଉପର ପଡ଼ିଆରେ ୫ଟି  ଓ ତଳ ପଡ଼ିଆରେ ୨୧ଟି । ତନ୍ମଧ୍ୟରୁ ୪ଟିରେ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ  ଦେଖଣାହାରୀଙ୍କ ସହାୟତା ପାଇଁ ୪ ପ୍ରକାର ଟିମ୍‌ ରହିବେ । ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ  ଓ ଜିନିଷପତ୍ର ହଜିବା ବିଷୟ ପାଇଁ ଏହି ୪ଟି  ଟିମ୍‌ କାମ କରିବ । ସେଠାରେ ହୁଇଲ୍‌ ଚେୟାର  ରହିବ । ଚୋରି, ଛିନ୍‌ତାଇ ବିଷୟରେ ମଧ୍ୟ  ସେଠାରେ ଅଭିଯୋଗ କରିହେବ । ଭିଡ଼ ଭିତରେ  ଅସାଧୁ ବ୍ୟକ୍ତିଙ୍କୁ ଜଗିବା ପାଇଁ ପ୍ରତି ଧାଡ଼ିରେ  ସାଦା ପୋଷାକରେ ପୁଲିସ ମୁତୟନ ହେବେ ।

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.