ପ୍ରମୂଖ ଖବର

ଭାରତ-ଭୁଟାନ ସୀମାରେ ଚୀନ୍‌ ସହର, ସୀମାନ୍ତ ଗାଁ’ର କରାଯାଉଛି ବିକାଶ

ବେଜିଂ,୧୭/୧୧: ଚୀନ୍‌ ଭାରତ-ଭୁଟାନ ସୀମା ନିକଟ ତିବ୍ଦତରେ ଥିବା ଏକ ଗାଁକୁ ସହର ଭାବେ ବିକଶିତ କରୁଛି । ଏହି ନୂଆ ସହର ଚୀନ୍‌ ସମେତ ସମଗ୍ର ବିଶ୍ୱର ନଜର ଟାଣୁଛି । ପଶ୍ଚିମରେ ଭୁଟାନ ଓ ଦକ୍ଷିଣରେ ଭାରତ ସୀମାକୁ ଲାଗିଥିବା ଏହି ମହତ୍ତ୍ୱପୂର୍ଣ୍ଣ ସହର ୧୯୬୨ ଯୁଦ୍ଧରେ ମଧ୍ୟ  ଚର୍ଚ୍ଚାରେ ରହିଥିଲା । ସେହି ସମୟରେ ଏଠାରେ  ଥିବା ଗାଁରେ ଚୀନ୍‌ ପକ୍ଷରୁ ବହୁସଂଖ୍ୟକ ସୈନ୍ୟ  ଓ ସାମରିକ ଉପକରଣ ଠୁଳ କରାଯାଇଥିଲା ।  ନିକଟରେ ଚୀନ୍‌ର ସରକାରୀ ମିଡିଆ ଗ୍ଲୋବାଲ  ଟାଇମ୍ସରେ ଏହି ସହରର ଏକ ଫଟୋ ସେୟାର  କରାଯାଇଛି । ସେହି ଫଟୋରେ ଧାଡିଧାଡି ହୋଇ  ଘରଗୁଡିକ ଦେଖିବାକୁ ମିଳୁଛି । ସେଥିରେ ଚୀନ୍‌ ଦର୍ଶାଇଛି ଯେ ଏଠାରେ ରହିଥିବା ପ୍ରାଚୀନ ଗ୍ରାମର ବିକାଶ କରାଯାଉଛି । ବାସ୍ତବରେ ଏଭଳି କହି ଚୀନ୍‌ ସେଠାରେ ସହର ପ୍ରତିଷ୍ଠା କରିଛି । ସୀମାରେ ଭିତ୍ତିଭୂମି ବିକାଶ କରିବା ହେଉଛି ଚୀନ୍‌ର ପ୍ରକୃତ ଉଦ୍ଦେଶ୍ୟ । 

ଚୀନ୍‌ ଦେଖାଇବାକୁ ଚାହୁଁଛି  କି ସୀମାକୁ ଲାଗିଥିବା କ୍ଷେତ୍ରର ବିକାଶ ଲାଗି  ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଅଧିକ ଶକ୍ତିଶାଳୀ । ଚୀନ୍‌ ଯେଉଁ ଗାଁର ବିକାଶ କରି ତାକୁ  ସହରରେ ପରିଣତ କରିଛି ତାର ନାଁ ହେଉଛି  ଲେବୁଗୌ । ଏହା ଭାରତ-ଭୁଟାନ ସୀମାର  ଦକ୍ଷିଣ କୋଣରେ ଅବସ୍ଥିତ ଏକ ସ୍ଥାନ । ଏଠାରେ  ମୋନପା ଜାତୀୟ ଲୋକମାନେ ବସବାସ କରି  ଆସୁଛନ୍ତି । ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ  ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ଏହି ସ୍ଥାନ  ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଥିଲା । ତିବ୍ଦତ ସୈନ୍ୟ  କମାଣ୍ଡ୍‌ର ତତ୍କାଳୀନ କମାଣ୍ଡର ଜେନେରାଲ ଝାଙ୍ଗ ଗୁଓହୁଆଙ୍କ ଫ୍ରଣ୍ଟ ଲାଇନ କମାଣ୍ଡ ପୋଷ୍ଟ୍‌ର ସାଇଟ୍‌  ବର୍ତ୍ତମାନ ମଧ୍ୟ ସେଠାରେ ରହିଛି । ଲେବୁଗୌର  ଜନସଂଖ୍ୟା ହେଉଛି ୧୫୦୦ । ୨୦୨୦ରେ ପୂର୍ବ  ଲଦାଖର ଗଲୱାନ ଘାଟିରେ ଦୁଇଦେଶର ସୈନ୍ୟଙ୍କ  ମଧ୍ୟରେ ରକ୍ତକ୍ତ ସଂଘର୍ଷ ପରେ ଏଲଏସି (ପ୍ରକୃତ  ନିୟନ୍ତ୍ରଣ ରେଖା)ରେ ସୃଷ୍ଟି ହୋଇଥିବା ଉତ୍ତେଜନା  ପରିପ୍ରେକ୍ଷୀରେ ଚୀନ୍‌ ଏହି ଅଞ୍ଚଳକୁ ନ୍ୟାସନାଲ  ରେଡ୍‌ ଟୁରିଜିମ ରୁଟ୍‌ରେ ସାମିଲ କରିଥିଲା । ଯାହା ଫଳରେ କି ଚୀନ ନାଗରିକଙ୍କ ମଧ୍ୟରେ  ଦେଶଭକ୍ତିର ଭାବନା ଜାଗ୍ରତ ହୋଇପାରିବ । 

ଚୀନ୍‌ରେ ଏକଦଳୀୟ ସରକାର ଚାଲିଥିବା  ପରିପ୍ରେକ୍ଷୀରେ ଏଠାରେ ଚୀନୀ ପିପୁଲ୍ସ କଂଗ୍ରେସର  ପ୍ରଭାବ ରହିଛି । କୋଲ୍‌ଜ୍ୟାଙ୍ଗ ତେନ୍‌ଜିନ ସ୍ଥାନୀୟ  ଚୀନୀ ପିପୁଲ୍ସ କଂଗ୍ରେସ ଅଧ୍ୟକ୍ଷ ତଥା ମୋନପା  ଜାତୀୟ ଟାଉନସିପ ପାର୍ଟି କମିଟିର ଉପସଚିବ  ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର କହିବାନୁଯାୟୀ  ସୀମାରେ କୌଣସି ତାରବାଡ ନଥିବାରୁ ଏଠାରେ  ବାହାର ଲୋକଙ୍କ ଅନୁପ୍ରବେଶ ଘଟୁଛି । ତେଣୁ  ଏହି ଅଞ୍ଚଳର ସୀମାରେ ଚୀନ୍‌ ଲାଲ ପତାକା ରଙ୍ଗ  ଲଗାଇ ତାକୁ ନିଜ ସୀମା ଅଞ୍ଚଳ ଭାବେ ଚିହ୍ନଟ  କରୁଛି । ଲେବୁଗୌରେ ପ୍ରତିଷ୍ଠା ହୋଇଥିବା ନୂଆ  ସହରରେ ହସ୍ପିଟାଲ, ସ୍କୁଲ, କିଣ୍ଡରଗାର୍ଟେନ ଓ  ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯାଇଛି । ଏହାର  ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୀମାନ୍ତବର୍ତ୍ତୀ ଅଞ୍ଚଳରେ  ଲୋକମାନଙ୍କୁ ବସବାସ କରିବାକୁ ପ୍ରୋତ୍ସାହିତ  କରିବା । 

ଚୀନର ଏହି ସହରକୁ ତିବ୍ଦତର ମୁଖ୍ୟ  ବିଦ୍ୟୁତ ଗ୍ରୀଡ୍‌ ସହିତ ସଂଯୋଗ କରାଯାଇଛି ।  ଯାହାଫଳରେ ଏଠାକୁ ୨୪ ଘଣ୍ଟିଆ ବିଜୁଳି ସେବା  ଯୋଗାଇ ଦିଆଯାଉଛି । ଏଠାରେ ଦୀର୍ଘ ବର୍ଷ ଧରି  ଲାଗି ରହିଥିବା ବିଦ୍ୟୁତ ସମସ୍ୟା ଏବେ ଦୂର  ହୋଇଛି । ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼  କରାଯାଇଛି । ଫଳରେ ଏଠାକାର ଦୂରଦୁରାନ୍ତ  ଅଞ୍ଚଳକୁ ଟେଲିକମ୍‌ ନେଟୱାର୍କ ସୁବିଧା ମିଳିପାରୁଛି ।  ଏଠାରେ ପିଲାଙ୍କ ପଢ଼ିବା ପାଇଁ ଉନ୍ନତ ସ୍କୁଲ ପ୍ରତିଷ୍ଠା  କରାଯାଇଛି ଏବଂ ଲୋକମାନଙ୍କୁ ସରକାର ରିହାତି  ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.