ପ୍ରମୂଖ ଖବର

ମହୁଆ ମୋଇତ୍ରଙ୍କ ଅଡ଼ୁଆ ବଢ଼ିଲା, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ

Image Courtesy: NDTV

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ  ଧରୁନାହିଁ । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଅଡ଼ୁଆରେ ଛନ୍ଦି ହୋଇଛନ୍ତି ମହୁଆ ମୋଇତ୍ର । ଆଉ ଏବେ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ଟଙ୍କା ନେଇ ପ୍ରଶ୍ନ ମାମଲାରେ ଆଜିଠୁ ତଦନ୍ତ ଆମମ୍ଭ କରିଛି ସିବିଆଇ । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଏଜେନ୍ସି  ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ଆଗକୁ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହେବ କି ନାହିଁ ତା ନିଷ୍ପତ୍ତି ନେବ । 

ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ସଂସଦରେ ଆଦାନୀଙ୍କ ବିରୋଧରେ ପ୍ରଶ୍ନ କରୁଥିଲେ। ଆଦାନୀଙ୍କ ଛବି ମଳିନ କରିବାକୁ ଚାହୁଁଥିଲେ ବୋଲି ବିଜେପି ଶାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ କରୁଛି । ସେପଟେ ଏହା ପୂର୍ବରୁ ସଂସଦର ଏଥିକ୍ସ କମିଟି ସାମ୍ନାରେ ମଧ୍ୟ ହାଜର ହୋଇଥିଲେ ମହୁଆ ମୋଇତ୍ର । ତେବେ ଏହି ମାମଲାରେ ସିବିଆଇ ତଦନ୍ତ କରିବ ବୋଲି ନିଶିକାନ୍ତ ସୂଚନା ଦେଇଥିଲେ । ନଭେମ୍ବର ୧୮ ତାରିଖରେ ମାମଲାରେ ଲୋକପାଳ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ନିଶିକାନ୍ତ କହିଥିଲେ ।

ସୂଚନାଯୋଗ୍ୟ ଯେ, ଆଦାନୀ ବିରୋଧରେ ପ୍ରଶ୍ନ କରିବାକୁ ଦର୍ଶନ ହୀରାନନ୍ଦାନୀ, ମହୁଆ ମୋଇତ୍ରଙ୍କୁ ଟଙ୍କା ଦେବା ସହ ଦାମୀ ଉପହାର ଦେଇଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଥିଲେ । ଏନେଇ ସେ ପ୍ରଥମେ ଲୋକସଭା ସ୍ପିକର ଓ ଲୋକସଭା ଏଥିକ୍ସ କମିଟି ପାଖରେ ଦ୍ୱାରସ୍ଥ ହୋଇଥିଲେ । ଲୋକସଭା ଏଥିକ୍ସ କମିଟି ଏନେଇ ତଦନ୍ତ କରିବା ପରେ ମହୁଆଙ୍କ ସଦସ୍ୟ ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ । ଏସବୁ ମାମଲାର ଖୁଲାସା କରିଥିଲେ ମହୁଆଙ୍କ ବନ୍ଧୁ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇ । ମହୁଆଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହେବା ପରେ ସେ ତାଙ୍କର ସମସ୍ତ ଗୁମର ବିଜେପି ସାଂସଦଙ୍କ ସମ୍ମୁଖରେ ଖୋଲି ଦେଇଥିଲେ । ଏହାପରେ ନିଶିକାନ୍ତ ଏହାକୁ ନେଇ ଅଭିଯୋଗ କରିଥିଲେ । 

ଅନ୍ୟପଟେ ମହୁଆ ମୋଇତ୍ରଙ୍କୁ ଖୋଲା ସମର୍ଥନ ଦେଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହୁଆଙ୍କୁ ଲୋକସଭାରୁ ତଡ଼ିବା ଲାଗି ବିଜେପି ଅପଚେଷ୍ଟା କରୁଛି ବୋଲି ଗତକାଲି ଅଭିଯୋଗ କରିଥିଲେ । ଏହା ସହ ମହୁଆଙ୍କ ବିରୋଧରେ ଯେତେ ଅଭିଯୋଗ ଆସିବ ଏହା ସାଂସଦଙ୍କୁ ଆହୁରି ଲୋକପ୍ରିୟ କରାଇବ ବୋଲି ମମତା କହିଥିଲେ । ଏହା ପୂର୍ବରୁ ମହୁଆ ମୋଇତ୍ରଙ୍କୁ କୃଷ୍ଣନଗରର ଅଧ୍ୟକ୍ଷ ନିୁଯୁକ୍ତ କରିଥିଲେ ମମତା ବାନାର୍ଜୀ । 


  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.