ମୟୁରଭଞ୍ଜ,୨୦/୭: ମିଲ ମାଲିକଙ୍କ ମନମାନି। ବାହାରେ ମିଲର ବିଷାକ୍ତ ବର୍ଜ୍ୟବସ୍ତୁକୁ ପକାଇବାରୁ ବିଷାକ୍ତ ବର୍ଜ୍ୟବସ୍ତୁ ଖାଇ ଯାଇଛି ୫ ଗୋରୁଙ୍କ ଜୀବନ। ଏଭଳି ଘଟଣା ଘଟିଛି ଉଦଳା ଥାନା ଗୋଧିମରା ଅଞ୍ଚଳରେ ଥିବା ରାଇସ ମିଲରେ। ଏହି ରାଇସ ମିଲରେ ଧାନରୁ ଚାଉଳ ବାହାର କରାଯାଇଥାଏ, ଯେଉଁଥିରେ ଅନେକ ରାସାୟନିକ ସାମଗ୍ରୀ ମିଶା ଯାଇଥାଏ। ପରେ ଉକ୍ତ ରାସାୟନିକ ବର୍ଜ୍ୟବସ୍ତୁକୁ ମିଲ ବାହାରେ ଥିବା ପଡିଆରେ ପକାଇ ଦିଆଯାଉଛି। ଯାହାକୁ ଖାଉଛନ୍ତି ସେହି ପଡିଆରେ ବୁଲୁଥିବା ଗୋରୁ। ଉକ୍ତ ରାସାୟନିକ ବର୍ଜ୍ୟବସ୍ତୁ ଖାଇ ନିକଟସ୍ଥ ଗ୍ରାମର କିଛି ବ୍ୟକ୍ତିଙ୍କ ୫ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଛି।
ସେହି ବର୍ଜ୍ୟବସ୍ତୁ ଖାଇବା ପରେ ଗୋରୁମାନଙ୍କର ପେଟ ଫୁଲିବା ସହିତ ସେମାନଙ୍କର ମୃତ୍ୟୁ ହୋଇଛି। ସେହିପରି ପୂର୍ବରୁ ମଧ୍ୟ ଏହି ବିଷାକ୍ତ ସାମଗ୍ରୀ ଖାଇ ୮ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାରମ୍ବାର ତାଗିଦ ପରେ ମଧ୍ୟ ମିଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ମିଲ କର୍ତ୍ତୃପକ୍ଷଙ୍କ ମନମାନି ପାଇଁ ଗୃହପାଳିତ ପଶୁଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ତେଣେ ମିଲ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।