କୁନ୍ଦୁରା, ୦୫/୦୩ : ବିକାଶ ଠାରୁ ଯୋଜନ ଯୋଜନ ଦୂରରେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର କୁମ୍ଭିଖାରୀ ଗାଁ। ଦାଦନ ଶ୍ରମିକଙ୍କ ଗାଁ ଭାବେ ଏହା ବେଶ୍ ପରିଚିତ। ପ୍ରତବର୍ଷ ଏହି ଗାଁରୁ ଦାଦନ ଖଟିବାକୁ ଆନ୍ଧ୍ର ଯାଉଛନ୍ତି ୫୦ରୁ ଉର୍ଦ୍ଧ୍ଵ ପରିବାର। ଏଠାରେ ଫେଲ୍ ମାରିଛି ମନରେଗା ଯୋଜନା। ଲୋକଙ୍କୁ ମିଳୁନି କାମ। ଆଖି ବୁଜି ଦେଇଛି ପ୍ରଶାସନ। ପେଟପାଟଣା ପାଇଁ ବାଧ୍ୟହୋଇ ପିଲାଛୁଆଙ୍କୁ ଧରି ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ଯାଉଛନ୍ତି ଲୋକେ।
ଆସନା ପଞ୍ଚାୟତରେ ରହିଛି କୁମ୍ଭିଖାରୀ ଗାଁ। ବ୍ଲକ୍ ସଦରରୁ ୧୫କିମି ଏବଂ ପଞ୍ଚାୟତଠାରୁ ମାତ୍ର ୮କିମି ଦୂର ଜଙ୍ଗଲ ପାହାଡ଼ ଘେରା ଘାଟି ଉପରେ ରହିଛି ଏହି ଗାଁ। ଏଠାରେ ଆଦିବାସୀ କନ୍ଧ ସମ୍ପ୍ରଦାୟର ଶହେ ଏବଂ ଅନ୍ୟାନ୍ୟ ବର୍ଗର ୬ ସମୁଦାୟ ୧୦୬ ପରିବାର ବସବାସ କରୁଛନ୍ତି । ଆଜକୁ ୩୦ ବର୍ଷରୁ ଅଧିକ ହେବ ଏହି ଗାଁର ପ୍ରାୟ ୫୦ରୁ ଅଧିକ ପରିବାର ପଡ଼ୋଶୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏ ବର୍ଷ ମଧ୍ୟ ଗାଁରୁ ୫୧ ପରିବାରର ୮୬ ଜଣ ଶ୍ରମିକ ଦାଦନ ଯାଇଛନ୍ତି । ସାଙ୍ଗରେ ୨୨ ଛୋଟ ଛୁଆଙ୍କୁ ନେଇଯାଇଛନ୍ତି। ସେଠାରେ ଇଟାଭାଟିରେ ନିୟୋଜିତ ହୋଇଛନ୍ତି। ଡିସେମ୍ବରରେ ଯାଇ ସେମାନେ ଜୁନ୍ ଶେଷ ନହେଲେ ଜୁଲାଇ ପ୍ରଥମ ସପ୍ତାହ ବେଳକୁ ଫେରିଆସନ୍ତି । ସେଠାରୁ ଫେରିବା ବେଳକୁ ସାଙ୍ଗରେ ସେଭଳି କିଛି ପଇସାପତ୍ର ବି ଆଣନ୍ତିନି।
କାମକୁ ଯିବା ଆଗରୁ ଏମାନେ ମଧ୍ୟସ୍ଥିଙ୍କଠାରୁ ଅଗ୍ରୀମ ଟଙ୍କା ନେଇଥାନ୍ତି। ଅଗ୍ରୀମ ବାବଦରେ ପୁରୁଷଙ୍କୁ ୨୦ ହଜାର ଏବଂ ମହିଳାଙ୍କୁ ୧୫ ହଜାର ଭିତରେ ହିଁ ମିଳିଥାଏ। କାମ କରିବା ପରେ ନେଇଥିବା ଅଗ୍ରୀମ ଟଙ୍କା, ଖାଇବା, ରହିବା ଆଦି ସବୁ ଖର୍ଚ୍ଚ କାଟି ବଳକା ଟଙ୍କା ଦିଆଯାଇଥାଏ । ୬ ମାସ କାମ କରି ଫେରିବା ବେଳେ ଯଦି ୧୦ ହଜାର ଟଙ୍କା ଧରି ଫେରନ୍ତି, ତାହେଲେ ବହୁତ ବଡ଼ କଥା । ମୂଳକଥା ହେଲା, ପଇସା ରୋଜଗାର ଉଦ୍ଦେଶ୍ୟରେ ନୁହେଁ, ବରଂ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପରିବାର ଚଳଣି ପାଇଁ ଆଣିଥିବା ଏହି ଅଗ୍ରୀମ ଟଙ୍କା ପରିଶୋଧ କରିବାକୁ ଦାଦନ ଯାଇଥାନ୍ତି।
କ’ଣ କଲେ ଦାଦନ ଯିବେ ନାହିଁ ପଚାରିବାରୁ ଗାଁର ତୁଳାରାମ ଖିଲ, ସୀତାରାମ ଖିଲ, ଦୁର୍ଯ୍ୟୋ ଗୋଲରୀ, ଜଗନ୍ନାଥ ଖିଲ, ମାଦ ଖିଲ, ମଣି ଖିଲ, ଭୀମ ପ୍ରଧାନୀ, ସୁନ୍ଦର ପାଙ୍ଗି, କୃଷ ଖିଲ, ଚିତ୍ରସେନ ପାଙ୍ଗି ପ୍ରମୁଖ କହିଛନ୍ତି ଯେ, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଲୋକଙ୍କ ପାଖରେ ପରିବାର ଚଳିଇବା ପାଇଁ ଅର୍ଥର ଅଭାବ ରୁହେ । ସେହି ସମୟରେ ଗାଁରେ କାମଧନ୍ଦା ଯୋଗାଇ ଦେଲେ ମଧ୍ୟସ୍ଥିଠାରୁ ଅଗ୍ରୀମ ଆଣିବାକୁ ପଡ଼ନ୍ତା ନାହିଁ । ନିଜେ ରୋଜଗାର କରିପାରିନ୍ତେ । ଆସ୍ତେ ଆସ୍ତେ ଦାଦନ ଯିବା କମିଯାଆନ୍ତା । ବିଡ଼ମ୍ବନା, ୩୦ବର୍ଷ ହେଲା ଗ୍ରାମବାସୀ ଦାଦନ ଖଟିବାକୁ ଯାଉଥିଲେ ହେଁ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା କୌଣସି ଠୋସ୍ ପଦକ୍ଷେପ ନିଆଯାଇନି ।
ଏ ସମ୍ପର୍କରେ ବିଡିଓ କପିଳେଶ୍ୱର ତାଣ୍ଡିଙ୍କୁ ପଚାରିବାରୁ କହିଛନ୍ତି, ଏ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ବାହାରେ କାମ କରିବାକୁ ଯିବା ପୂର୍ବରୁ ପଞ୍ଚାୟତରେ ନାମ ପଞ୍ଜୀକରଣ କରିବାର ନିୟମ ରହିଛି । ସେମାନେ ଏହା କରୁନଥିବାରୁ ସ୍ପଷ୍ଟ ସୂଚନା ରହୁନାହିଁ । ଗାଁ ସ୍ତରରେ ୱାର୍ଡ ମେମ୍ବର ଏବଂ ପଞ୍ଚାୟତରେ ସରପଞ୍ଚ ଏବଂ ସମିତିସଭ୍ୟମାନେ ଲୋକଙ୍କ ସହ ଯୋଗାଯାଗରେ ରହୁଛନ୍ତି । ସେମାନେ ସଚେତନ କଲେ ଏହାର ସମାଧାନ ହୋଇପାରିବ । ଲୋକ ଦାଦନ ଯାଇ ଖାଦ୍ୟ ସୁରକ୍ଷା, ଆବାସ ଭଳି ଅନେକ ଯୋଜନାରୁ ବାଦ୍ ପଡ଼ୁଛନ୍ତି । ଏହାକୁ ରୋକିବାକୁ ଜନ ପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ । ଆଗାମୀ ଦିନରେ ସଚେତନତା ଏବଂ ଗ୍ରାମାଞ୍ଚଳରେ କାମ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ।
ଏହି ଖବରଟିକୁ ପଢନ୍ତୁ-ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ସିବିଆଇ ଚଢାଉ, ଠିକାଦାରଙ୍କ ପୁଅକୁ ଉଠାଇ ନେଲା ସିବିଆଇ