ଭୁବନେଶ୍ବର, ୯।୧ : ରସୁଲଗଡ଼ ଓଭରବ୍ରିଜ୍ରେ ସହଦେହ ନାୟକଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି। ହତ୍ୟାର ୧୨ ଘଣ୍ଟା ଭିତରେ ଘଟଣାର ପର୍ଦ୍ଦାଫାଶ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ସହଦେବକୁ ହତ୍ୟା କରାଯାଇଛି ବୋଲି ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ।
ଡିସିପିଙ୍କ ସୂଚନା ଅନୁଯାୟୀ ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ୩ ଟି ଟିମ ଗଠନ କରିଥିଲା। ତଦନ୍ତ ବେଳେ ସମସ୍ତ ଅଭିଯୁକ୍ତଙ୍କ ପରିଚୟ ଜଣାପଡିଥିଲା। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଅଭିଯୁକ୍ତ ଲିପିକା ନାୟକ ବ୍ରାଉନସୁଗାର ମାମଲାରେ ପୂର୍ବରୁ ଜେଲ ଯାଇଥିଲା। ୫ ତାରିଖରେ ଜେଲରୁ ଲିପିକା ଫେରିଥିଲା । ଜେଲରେ ଫେରିବା ପରେ ଯୋଜନାବଦ୍ଧ ଭାବେ ସହଦେବଙ୍କୁ ହତ୍ୟା କରିଥିଲେ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ୨ଟି ବାଇକ ପୋଲିସ ଜବତ କରିଛି।
କମିସନରେଟ ପୋଲିସ ସହିତ ସ୍ପେଶାଲ ସ୍କ୍ବାର୍ଡ ତିନି ଅଭିଯୁକ୍ତ ରବି ନାୟକ , ଲକ୍ଷ୍ମୀଧର ନାୟକ ଓ ଲିପିକା ନାୟକକୁ ନେଇ ଗୁରୁବାର ସିନ ରିକ୍ରୀଏସନ କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ପୁର୍ବ ଯୋଜନା ମୁତାବକ ଧଉଳୀ ଥାନା ଅନ୍ତର୍ଗତ ଦୟାନଦୀ କୂଳ ନଦୀ ପଠାରେ ଏକାଠି ହୋଇଥିଲେ । ସେଠାରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ମାସଂକଟା ଦୁଇଟି ଚାପଡ ଓ ଅନ୍ୟନ୍ୟ ସାମଗ୍ରୀ ସେହି ଜରି ବ୍ୟାଗରେ ପୁରାଇ ଦୟାନଦୀକୁ ଫୋପାଡି ଦେଇଥିଲେ । ସିନ ରିକ୍ରିଏସନ ସମୟରେ ଏହି ସବୁ ଏଭିଡେନ୍ସକୁ ଜବତ କରିଛି ତଦନ୍ତକାରୀ ଦଳ । ରବି ନାୟକ ଏହି ସବୁ ସାମଗ୍ରୀକୁ ପୋଲିସକୁ ଦେଖାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଏଠାରେ ଏକାଠି ହେବା ପରେ ଲକ୍ଷ୍ମୀଧର ନୟାଗଡ ଚାଲିଯାଇଥିଲା । ଏମାନଙ୍କ ସହିତ ଥିବା ରବି ଓ ତାର ପତ୍ନୀ ଲିପିକା କେଦାରପଲ୍ଲୀ ବସ୍ତିକୁ ଫେରି ଆସିଥିଲେ ।
ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍ଏସ୍ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ କିଛି ଯୁବକ ଦୁଇଟି ବାଇକ୍ରେ ତାଙ୍କୁ ପିଛା କରିଥିଲେ । ପିଛା କରି ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଆରମ୍ଭ କରିଥିଲେ ।