ଗାଜା ସିଟି,୨୩/୬: ଗାଜାର ଦକ୍ଷିଣ ସହର ରାଫା ନିକଟ ଭୂମଧ୍ୟ ସାଗର କୂଳରେ ଅବସ୍ଥିତ ଅଲ-ମୱାସି ଠାରେ ଥିବା ପାଲେଷ୍ଟିନୀୟଙ୍କ ଦୁଇଟି ଆଶ୍ରୟ ଶିବିର ଉପରେ ଇସ୍ରାଏଲ ସେନା ପ୍ରଚଣ୍ଡ ବୋମା ମାଡ଼ ଓ ଗୁଳିମାଡ଼ କରିଛି । ଏଥିରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫୦ରୁ ଅଧିକ ଆହତ ହୋଇଛନ୍ତି ।
ଗତ କିଛି ମାସ ହେଲା ଯୁଦ୍ଧରେ କ୍ଷତିଗ୍ରସ୍ତ ପାଲେଷ୍ଟାଇନମାନେ ଏଠାରେ ରହୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ଇସ୍ରାଏଲର ବୋମାମାଡ଼ରେ ସମ୍ପୃକ୍ତ ଅଞ୍ଚଳରେ ଥିବା କେତେକ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଏହି ଅଟ୍ଟାଳିକା ନିକଟରେ ଥିବା ତମ୍ବୁରେ ଶତାଧିକ ଲୋକ ରହୁଥିଲେ । ଯେଉଁମାନେ ତମ୍ବୁ ବାହାରକୁ ବାହାରିଲେ ଇସ୍ରାଏଲ ସେନା ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ରାଫାରେ ଇସ୍ରାଏଲ ସେନାର ଏହା ଦ୍ୱିତୀୟ ବଡ ଆକ୍ରମଣ । ଏହା ପୂର୍ବରୁ ଗତ ମେ ୨୬ ତାରିଖରେ ରାଫାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିଲେ । ଏଥିରେ ୪୫ ଜଣ ପ୍ରାଣ ହରାଇଥିଲା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ ।