ନୂଆଦିଲ୍ଲୀ,୧୪/୦୪: ମ୍ୟାଁମାରରେ ପ୍ରକୃତି ତାଣ୍ଡବ ରଚିଛି । ଭୂକମ୍ପ ଝଟକାରେ ପୁଣି ଥରେ ଥରି ଉଠିଛି ଭାରତର ପଡୋଶୀ ଦେଶ ମ୍ୟାଁମାର । ୨୪ ଘଣ୍ଟାରେ ମ୍ୟାଁମାରରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଆଜି ଅନୁଭୂତ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ଼ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।
ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ପୂର୍ବାହ୍ନ ୧୦ଟା ୬ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦୩ କିମି ରହିଥିଲା । ରିକ୍ଟର ସ୍କେଲରେ ୪.୧ ତୀବ୍ରତା ରେକର୍ଡ ହୋଇଛି । ଗତ ମାର୍ଚ୍ଚ ୨୮ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପୀଡ଼ାରୁ ମୁକୁଳିନଥିବା ବେଳେ ମ୍ୟାଁମାରକୁ ଝଟକା ପରେ ଝଟକା ଲାଗିଛି । ଆଜି ଅନୁଭୂତ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ହେଲେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ଅଧିକ ପଢନ୍ତୁ...ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
କହି ରଖୁଛୁ କି, ଗତକାଲି (ରବିବାର) ସେଣ୍ଟ୍ରାଲ ମ୍ୟାଁମାରର ମେଇକ୍ତିଲା ନିକଟରେ ମାଣ୍ଡଲ୍ୟ ଏବଂ ନେପିତ ସହରରେ ଭୂକମ୍ପ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା । ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ହୋଇଥିବା ୭.୭ ତୀବ୍ରତାର ବିନାଶକାରୀ ଭୂକମ୍ପରେ ୩,୬୦୦ରୁ ଅଧିକ ଜୀବନ ଯାଇଥିଲା । ଛାରଖାର ହୋଇଯାଇଛି ମ୍ୟାଁମାର । ମାଟିରେ ମିଶିଥିଲା ସୁଉଚ୍ଚ ଅଟାଳିକା । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହା ପରଠୁ ଗତକାଲି ହୋଇଥିବା ଭୂକମ୍ପ ସବୁଠୁ ବଡ଼ ଥିଲା । ମାତ୍ର କୌଣସି କ୍ଷୟକ୍ଷତି ହୋଇନଥିଲା ।