ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିକାଶଠାରୁ ବହୁ ଦୂରରେ କଳାହାଣ୍ଡିର ୨୭୭ ପରିବାର, ପ୍ରତିଟି କ୍ଷେତ୍ରରେ ରାୟଗଡ଼ା ଉପରେ ନିର୍ଭର

ରାୟଗଡ଼ା, ୨୩ା୭(ଗୋପରଂଜନ ବକ୍ସିପାତ୍ର) : ସୀମାରେ ରହୁଥିବାରୁ ଦୁଃଖ ସେମାନଙ୍କର ସୀମାହୀନ । ଡିଜିଟାଲ ଯୁଗରେ ବିତାଉଛନ୍ତି ବିଡମ୍ବିତ ଜୀବନ । ପ୍ରତିଟି କ୍ଷେତ୍ରରେ ବିକାଶଠାରୁ ବହୁ ଦୂରରେ । କେବଳ ନାଁକୁ ସେମାନେ ରହିଛନ୍ତି କଳାହାଣ୍ଡି ଜିଲ୍ଲାରେ । ଅଥଚ ପ୍ରତିଟି କ୍ଷେତ୍ରରେ ନିର୍ଭର କରୁଛନ୍ତି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଉପରେ । ଏଭଳି ୭ଟି ଅବହେଳିତ ଗାଁ ରହିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିଲେଟ ପଂଚାୟତରେ । ଚୀନ୍‌ର ଦୁଃଖ ହୋୟାଂହୋ ଭଳି ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଦୁଃଖ ପାଲଟିଛି ନାଗାବଳୀ ନଦୀ । ଏହା ଉପରେ ପୋଲ ନଥିବାରୁ ୨୭୭ ପରିବାର ପ୍ରତିଟି କ୍ଷେତ୍ରରେ ବଂଚିବାକୁ ସଂଘର୍ଷ କରୁଛନ୍ତି । 

ସିଲେଟ ପଞ୍ଚାୟତ ଅଧୀନରେ ରହିଥିବା ଏହି ୭ଟି ଗାଁ ହେଉଛି ଦୁର୍ବେଲଗୁଡା, ମାଳତୀପଦର, ପାଜିଖାଲ, କୁଟଖାଲ, ମାରଗୁମ୍ମା, କାରବାଲି ଓ ଝି । ଦୁର୍ବେଲଗୁଡାରେ ୫୧ ପରିବାର ରହୁଥିବା ବେଳେ ମାଳତୀପଦରରେ ୪୨, ପାଜିଖାଲରେ ୩୩, କୁଟଖାଲରେ ୧୩, ମାରଗୁମ୍ମାରେ ୪୪, କାରବାଲିରେ ୧୨ ଏବଂ ଝି ଗାଁରେ ରହୁଛନ୍ତି ୮୨ ପରିବାର । ସମସ୍ତେ ପ୍ରାୟ ଅନୁସୂଚିତ ଜନଜାତି ବର୍ଗର । ହାତଗଣତି ଲୋକ ଅନୁସୂଚିତ ଜାତି ବର୍ଗର । ନାଗାବଳୀ ନଦୀ ପାଇଁ ଏହି ସାତଖଣ୍ଡ ଗାଁ କଳାହାଣ୍ଡି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ । ଖରା ଓ ଶୀତଦିନେ ମାସରେ ଥରେଅଧେ କେବଳ ଚାଉଳ ଆଣିବା ଲାଗି ସେମାନେ ନଈ ଭିତରେ ପଶି ସିଲେଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ନହେଲେ ବର୍ଷା ୪ ମାସ ନଈ ଫୁଲିଲେ ଯିବାଆସିବା ବନ୍ଦ ହୋଇଯାଏ । ଜଳବନ୍ଦୀ ଜୀବନ ବିତାନ୍ତି ସେମାନେ । ଭାଷାଗତ ତଫାତ୍‌ ଏସବୁ ଗାଁରେ ନାହିଁ । ରାୟଗଡା ଜିଲ୍ଲାର ଲୋକେ ଯେଉଁଭଳି ଓଡିଆ କହୁଛନ୍ତି, ସେମାନେ ଠିକ୍‌ ସେମିତି କହୁଛନ୍ତି । 

କଳାହାଣ୍ଡି ଜିଲ୍ଲାର ଲାଖବହେଲିରେ ନାଗାବଳୀ ନଦୀର ଉତ୍ପତି । ଏହା କଳାହାଣ୍ଡି ଓ ରାୟଗଡା ଜିଲ୍ଲା ଦେଇ ପ୍ରବାହିତ । ଉତ୍ପତିସ୍ଥଳରୁ ଅଳ୍ପ କିଛି ଦୂରରେ ଏସବୁ ଗାଁ ରହିଛି । ଚାରିପଟେ ପାହାଡ଼ପର୍ବତ ଏବଂ ଜଙ୍ଗଲ । ମଝିରେ ରହୁଛନ୍ତି ସେମାନେ । ନିଜ ପଞ୍ଚାୟତରୁ ସେମାନଙ୍କ ଗାଁର ଦୂରତା ମାତ୍ର ୫ରୁ ୭ କିମି । ଅଥଚ ନାଗାବଳୀ ଉପରେ ପୋଲ ନଥିବାରୁ ବାଧ୍ୟହୋଇ ପ୍ରତିଟି କ୍ଷେତ୍ରରେ ୧୫ କିମି ଦୂରରେ ଥିବା କଲ୍ୟାଣସିଂହପୁର ବ୍ଲକ ଉପରେ ନିର୍ଭର କରୁଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ହିଁ ଭରସା । ପାହାଡ଼ିଆ ରାସ୍ତା ଥିବାରୁ ଅନେକ ସମୟରେ ସେମାନେ ରୋଗୀ ଏବଂ ଗର୍ଭବତୀଙ୍କୁ ବୋହି ମେଡିକାଲ ଆଣୁଛନ୍ତି । କିଛିଦିନ ତଳେ ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଓ ୧୧ ଜଣ ଆହତ ହୋଇଥିଲେ । ସେମାନେ କଲ୍ୟାଣସିଂହପୁର ମେଡିକାଲ ଆସିଥିଲେ । ହାଟବଜାର ପାଇଁ ବି କଲ୍ୟାଣସିଂହପୁର ଆସୁଛନ୍ତି । ସପ୍ତାହରେ ଥରେ ମାଝିଗୁଡା ହାଟରୁ କିଣିଥାନ୍ତି ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀ । ବିଡମ୍ବନା, ଏସବୁ ଗାଁରେ ୨୭୭ ପରିବାର ବାସ କରୁଥିଲେ ବି କଳାହାଣ୍ଡି ଜିଲ୍ଲା ପ୍ରଶାସନ କେବେ ସେମାନଙ୍କ ବିକାଶର କଥା ଚିନ୍ତା କରିନି । କଲ୍ୟାଣସିଂହପୁର ବ୍ଲକରେ ବି ସମସ୍ତ ସରକାରୀ ସୁବିଧା ଉପଲବ୍ଧ ହେଉନି । କାରଣ ସେମାନଙ୍କ ଆଧାରକାର୍ଡ, ଭୋଟ୍‌ ପରିଚୟପତ୍ର ଭଳି ସମସ୍ତ ନଥିପତ୍ର କଳାହାଣ୍ଡି ଜିଲ୍ଲା ଠିକଣାରେ ରହିଛି । 

ପାହାଡ଼ ଓ ଜଙ୍ଗଲ ଭିତରେ ରହୁଥିବାରୁ ସମସ୍ତ ସରକାରୀ ଯୋଜନା ପହଞ୍ଚିପାରୁନି ସେମାନଙ୍କ ପାଖରେ । ନାଗାବଳୀ ନଦୀ ଉପରେ ପୋଲ ନଥିବାରୁ ବାଟବଣା ସାଜିଛି ବିକାଶ । ପୋଲଟିଏ ନିର୍ମାଣ ହୋଇଗଲେ ସେମାନେ ନିଜ ପଞ୍ଚାୟତ ଉପରେ ନିର୍ଭର କରିପାରନ୍ତେ । କଲ୍ୟାଣସିଂହପୁରରୁ ଥୁଆମୂଳ ରାମପୁରକୁ ଯୋଗାଯୋଗର ରାସ୍ତା ଫିଟିପାରନ୍ତା । ଶିକ୍ଷାଧିକାର ଆଇନ ବି ଏସବୁ ଗାଁରେ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅଙ୍ଗବାଡି ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ମାରଗୁମ୍ମାରେ ପ୍ରାଥମିକ ବିଦ୍ୟାଳୟଟିଏ ଥିଲେ ବି ତାହା କେବେ ଖୋଲାଯାଉ ନାହିଁ । ଅଧିକାଂଶ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ସେମାନେ କିଭଳି ଜୀବନ ଜିଉଁଉନ୍ତି, ତାହା ଜାଣିବା ଲାଗି ସରକାରୀସ୍ତରରେ କେବେ ଉଦ୍ୟମ ହୋଇନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଏସବୁ ଗାଁର ଲୋକେ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମଗ୍ରୀ ସହ ମୋବାଇଲ ଟାୱାର ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ସେମାନଙ୍କ ସ୍ୱର କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିକଟରେ କିଭଳି ପହଞ୍ଚିବ, ତାହାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଦେଖାଯାଉ, ସୀମାନ୍ତ କଳହାଣ୍ଡି ଜିଲ୍ଳାର ଏହି ୭ ଖଣ୍ଡ ଗାଁ ଉପରେ କେବେ ସରକାରୀ କଳର ଶୁଭଦୃଷ୍ଟି ପଡୁଛି ଏବଂ କେବେ ସେମାନେ ବିକାଶର ନୂଆ ସୂର୍ଯ୍ୟୋଦୟ ଦେଖୁଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.