ନୂଆଦିଲ୍ଲୀ,୨୨।୫:ଜମ୍ମୁ-କଶ୍ମୀରର କିଶତଓ୍ବାଡାରେ ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିହତ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। ଏହାର ଜବାବ୍ରେ ହୋଇଥିଲା ପାଲଟା ଆକ୍ରମଣ। ଆହୁରି ୩ ରୁ ୪ ଆତଙ୍କୀ ଲୁଚି ରହିଥିବାର ଆଶଙ୍କା ରହିଛି। ଗତ ଦୁଇ ସପ୍ତାହରେ ୮ରୁ ଅଧିକ ଆତଙ୍କୀ ନିହତ ହୋଇସାରିଲେଣି। ତେଣୁ ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ସର୍ଚ୍ଚ ଅପରେସନ୍।
ମୃତ ଆତଙ୍କବାଦୀଙ୍କ ଭିତରୁ ଜଣଙ୍କର ପରିଚୟ ଜଣାପଡିଛି। ସେ ହେଉଛି କୁଖ୍ୟାତ ଆତଙ୍କବାଦୀ ସୈଫୁଲ୍ଲା। ସଂଘର୍ଷ ଏବେ ବି ଜାରି ରହିଛି ଏବଂ ଅନ୍ୟ ଆତଙ୍କୀଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସବୁ ମାର୍ଗକୁ ସିଲ୍ କରି ଦିଆଯାଇଛି, ଯେପରି ଆତଙ୍କୀମାନେ ଯେ କୌଣସି ଭାବରେ ପଳାଇବାରେ ସଫଳ ନହେବେ। ଏହି ସଂଘର୍ଷ ସକାଳ ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିଲା। ଯେତେବେଳେ ସେନାର ୧୧ ରାଷ୍ଟ୍ରୀୟ ରାଇଫଲ, ୨ ପାରା ସ୍ପେଶାଲ ଫୋର୍ସ, ସପ୍ତମ ଆସାମ ରାଇଫଲ୍ସ ଓ କିଶତଓ୍ବାଡା ଏସଓଜିର ଜଏଣ୍ଟ ଅପରେସରେ ଥିଲା।
ଗତ ୨ ସପ୍ତାହରେ ଜମ୍ମୁ-କଶ୍ମୀରରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି। ସପ୍ତାହେ ପୂର୍ବରୁ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀମାନେ ତିନି ଜୈଶ-ଇ-ମହମ୍ମଦ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଥିଲେ। ତାଙ୍କ ପରିଚୟ ଆସିଫ ଅହମ୍ମଦ ଶେଖ, ଆମିର ନିର ଭାନି ଓ ୟାଭର ଅହମ୍ମଦ ଭଟ ରୂପରେ ଜଣାପଡିଛି। ଏହି ସମସ୍ତେ ପୁଲଓ୍ବାମାର ନିବାସୀ। ଏହାଛଡା ଅପ୍ରେଲ ୧୩ରେ ସୋପିଆନ୍ରେ ଲସ୍କରର ୩ ଆତଙ୍କୀ ନିହତ ହୋଇଥିଲେ।