ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥାମାନେ ଜାଣିପାରିଛନ୍ତି ଯେ ଜ୍ୟୋତିଙ୍କର ଟ୍ରାଭେଲ ଭିଡିଓଗୁଡ଼ିକ ଯୁଏଇ ଭିତ୍ତିକ ଟ୍ରାଭେଲ କମ୍ପାନୀ ୱିଗୋ(Wego) ଦ୍ୱାରା ସ୍ପନସର ହୋଇଥିଲା। ଯାହା ପାକିସ୍ତାନରେ ମଧ୍ୟ ଏକ ବୈଧ ଟ୍ରାଭେଲ ଏଜେନ୍ସି ଲାଇସେନ୍ସ ସହିତ କାର୍ଯ୍ୟ କରୁଛି। ଏହି ପ୍ରମାଣ ବର୍ତ୍ତମାନ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି।
ଜ୍ୟୋତି ମଲହୋତ୍ରା ୨୦୨୩ରେ ପାକିସ୍ତାନ ହାଇ କମିଶନରୁ ଭିସା ପାଇଁ ଯାଇଥିବା ସମୟରେ ଏହସାନ-ଉର-ରେହିମ ଓରଫ ଦାନିଶ ନାମକ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଦାନିଶ ପାକିସ୍ତାନର ଗୁପ୍ତଚର ସଂସ୍ଥା ISIର ଏଜେଣ୍ଟ ବୋଲି ସୂଚନା ରହିଛି। ଏହି ପରିପ୍ରେକ୍ଷିରେ ଦାନିଶ, ଜ୍ୟୋତିଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀମାନଙ୍କ ସହ ପରିଚୟ କରାଇଥିଲେ। ଏହାପରେ ଜ୍ୟୋତି ହ୍ୱାଟସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ ଭଳି ଏନକ୍ରିପ୍ଟେଡ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ ଏବଂ ଭାରତୀୟ ସ୍ଥାନର ସମ୍ବେଦନଶୀଳ ତଥ୍ୟ ସେୟାର କରିଥିଲେ ବୋଲି ଅଭିଯୋଗ ରହିଛି। ସେ ଜଣେ ଗୁପ୍ତଚର ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ ଏବଂ ତାଙ୍କ ସହ ବାଲି, ଇଣ୍ଡୋନେସିଆ ଯାଇ ଛୁଟି ମଧ୍ୟ କାଟିଥିଲେ।
ତଦନ୍ତକାରୀ ସଂସ୍ଥାମାନେ ଜ୍ୟୋତିଙ୍କ ସମସ୍ତ ସ୍ପନସରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ବିଶେଷକରି ୱିଗୋ ଉପରେ ଅଧିକ ଧ୍ୟାନ ଦିଆଯାଇଛି। ୱିଗୋ ଏକ ୟୁଏଇ ଭିତ୍ତିକ କମ୍ପାନୀ ଯାହାର ଉଭୟ ସିଙ୍ଗାପୁର ଏବଂ ଦୁବାଇରେ ଅଫିସ ରହିଛି। ସବୁଠୁ ବଡ କଥା ହେଲା ଏହି ସଂସ୍ଥା ପାକିସ୍ତାନରେ ମଧ୍ୟ କାର୍ଯ୍ୟ କରୁଛି। ଯଦିଓ ୱିଗୋର ପାକିସ୍ତାନକୁ ଆର୍ଥିକ ସହାୟତା ସହ ସମ୍ପର୍କ ଥିବାର କୌଣସି ପ୍ରମାଣ ମିଳିନାହିଁ, ତଥାପି ଏହାର ପାକିସ୍ତାନରେ କାର୍ଯ୍ୟରତ ହେବା ତଦନ୍ତକୁ ଗୁରୁତ୍ୱପୂର୍ଣ୍ଣ କରିଛି।
ଗତ ଏପ୍ରିଲ ୨୨ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକ ନିହତ ହୋଇଥିଲେ। ପରେ ଭାରତ ଏହାର ଜବାବରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଆଉ ଏହି ସମୟରେ ହିଁ ଜ୍ୟୋତି ମଲହୋତ୍ରାଙ୍କ ଗିରଫଦାରୀ ହୋଇଥିଲା। ତଦନ୍ତରେ ଜଣାପଡ଼ିଛି ଯେ ଜ୍ୟୋତି ଏହି ସମୟରେ ପାକିସ୍ତାନୀ ଗୁପ୍ତଚର ଅଧିକାରୀମାନଙ୍କ ସହ ବରାବର ଯୋଗାଯୋଗରେ ରହିଥିଲେ। ତାଙ୍କୁ ପାକିସ୍ତାନର ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେ ଏହା ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ କରୁଥିଲେ।
ଜ୍ୟୋତିଙ୍କ ସହ ଆଉ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଅନେକ ଲୋକ ରହିଛନ୍ତି। ଏମାନଙ୍କ ମଧ୍ୟରେ ଗୁଜାଲା ନାମକ ଜଣେ ୩୨ ବର୍ଷୀୟା ବିଧବା ମହିଳା ଅଛନ୍ତି। ସେ ଦାନିଶଙ୍କ ସହ ସମ୍ପର୍କରେ ରିହବା ସହ ତାଙ୍କଠାରୁ ବିପୁଳ ଟଙ୍କା ପାଇଥିଲେ। ତଦନ୍ତକାରୀମାନେ ଜ୍ୟୋତିଙ୍କ ଡାଏରୀ, ମୋବାଇଲ ଫୋନ ଏବଂ ଅନ୍ୟ ଡିଜିଟାଲ ଡିଭାଇସ ଜବତ କରିଛନ୍ତି। ଯେଉଁଥିରେ ପାକିସ୍ତାନୀ ଅଧିକାରୀମାନଙ୍କ ସହ ଏନକ୍ରିପ୍ଟେଡ ଚାଟ ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟ ମିଳିଛି।
ଜ୍ୟୋତିଙ୍କୁ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ସମ୍ପର୍କିତ ଧାରା ଅନୁଯାୟୀ ଗିରଫ କରାଯାଇଛି। ସେ ବର୍ତ୍ତମାନ ହରିୟାଣା ପୋଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡକୁ ପଠାଯାଇଛି। ଦାନିଶଙ୍କୁ ମେ ୧୩, ୨୦୨୫ରେ ଭାରତ ସରକାର ପର୍ସୋନା ନନ ଗ୍ରାଟା ଘୋଷଣା କରି ଦେଶରୁ ବହିଷ୍କାର କରିଥିଲେ।
ଜ୍ୟୋତିଙ୍କ ପିତା ହରିସ ମଲହୋତ୍ରା କହିଛନ୍ତି ଯେ ତାଙ୍କ ଝିଅ କେବଳ ଟ୍ରାଭେଲ ଭିଡିଓ ଶୁଟ କରିବା ପାଇଁ ପାକିସ୍ତାନ ଯାଇଥିଲେ ଏବଂ ତାଙ୍କର ସେଠାରେ ଅନେକ ବନ୍ଧୁ ମଧ୍ୟ ରହିଛନ୍ତି। ସେ ପୋଲିସକୁ ତାଙ୍କ ପରିବାରର ଜବତ ହୋଇଥିବା ଫୋନ ଏବଂ ଅନ୍ୟ ଜିନିଷ ଫେରାଇବାକୁ ଅନୁରୋଧ କରିଛନ୍ତି।
ଜ୍ୟୋତିଙ୍କ ମାମଲା ସାମାଜିକ ଗଣମାଧ୍ୟମର ଇନଫ୍ଲୁଏନସରମାନଙ୍କୁ ବ୍ୟବହାର କରି ଗୁପ୍ତଚରବୃତ୍ତି ଭଳି ଏକ ନୂତନ ପଦ୍ଧତିକୁ ଉଜାଗର କରିଛି। ତାଙ୍କର ପାକିସ୍ତାନ ଭ୍ରମଣ ସମ୍ପର୍କିତ ଭିଡିଓଗୁଡ଼ିକ ଯେପରି ‘Indian Girl in Pakistan’ ଏବଂ ‘Exploring Lahore’ ପାକିସ୍ତାନର ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରିଥିଲା। ଯାହା ଗୁପ୍ତଚର ସଂସ୍ଥାମାନଙ୍କ ଦ୍ୱାରା ନିୟନ୍ତ୍ରିତ ଥିଲା ବୋଲି ଅଭିଯୋଗ ହୋଇଛି।
ଏହି ମାମଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆଧୁନିକ ଗୁପ୍ତଚରବୃତ୍ତିରେ ସୋସିଆଲ ମିଡିଆର ଭୂମିକାକୁ ଆଲୋକପାତ କରୁଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରତିଦିନ ଏହି ଘଟଣାରେ ନୂଆନୂଆ ତଥ୍ୟ ପ୍ରକାଶ ପାଉଛି।