ଭୁବନେଶ୍ବର,୧୧/୦୪: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦରଦାମ୍ ବୃଦ୍ଧି ଭିତରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହଙ୍ଗା ଭତ୍ତା ୫୩ ପ୍ରତିଶତକୁ ୫୫ ପ୍ରତିଶତକୁ ବଢ଼ିଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ । ମହଙ୍ଗା ଭତ୍ତା ବୃଦ୍ଧି ସହିତ ପେନ୍ସନଭୋଗୀଙ୍କ ଟିଆଇରେ ବି ୨ ପ୍ରତିଶତ ବୃଦ୍ଧି ହୋଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢ଼େ ୮ ଲକ୍ଷ କର୍ମଚାରୀ ଓ ପେନସନ୍ଭୋଗୀ ଉପକୃତ ହେବ । ସମାନ ଭାବେ ବର୍ଦ୍ଧିତ ଟିଆଇ ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।
ସରକାରୀ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ବିଶେଷ କରି ବର୍ଦ୍ଧିତ ଦରଦାମ ବୃଦ୍ଧି ପାଇଁ ଏହା ସହାୟକ ହେବ । ଏହି ପଦକ୍ଷେପକୁ ବିଭିନ୍ନ କର୍ମଚାରୀ ସଂଘ ଦ୍ୱାରା ସ୍ୱାଗତ କରାଯାଇଛି । ସରକାରୀ ସେବା ଏବଂ ପେନସନ୍ ଉପରେ ନିର୍ଭରଶୀଳ ହଜାର ହଜାର ପରିବାରଙ୍କୁ ଆର୍ଥିକ ସହାୟତା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବରେ ପ୍ରଶଂସା କରିଛନ୍ତି ।