ଭୁବନେଶ୍ଵର, ୨୨/୦୭ : ବିଧାନସଭାର ସପ୍ତଦଶ ବଜେଟ୍ ଅଧିବେଶନ ଆରମ୍ଭ। ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ। ଜୟ ଜଗନ୍ନାଥରୁ ଆରମ୍ଭ କଲେ ଅଭିଭାଷଣ। କହିଲେ ମୋର ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ। ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ।
ସମୃଦ୍ଧ କୃଷି ନୀତି ପ୍ରଚଳନ କରିବୁ
ରାଜ୍ୟପାଳ ପୁଣି କହିଛନ୍ତି ଯେ, କୃଷକଙ୍କ ଉନ୍ନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବାକୁ ପିଏମ୍ କିଷାନ ଲାଗୁ କରିବୁ। ମତ୍ସ୍ୟ ଚାଷ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ। ଏହି ନୀତି ଅଧିନରେ ଧାନ କ୍ଵିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। କୃଷକଙ୍କ ଆୟ ବୃଦ୍ଧି ମୋ ସରକାରର ମୂଳ ଲକ୍ଷ୍ୟ। ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ୍, ଯୋଗାଣ ଶୃଙ୍ଖଳିତ ହେବ। ମଣ୍ଡିରେ ଶସ୍ୟ ଭଣ୍ଡାର, କୃଷକ ବିଶ୍ରାମ ଗୃହ ରହିବ। ବଜାର ଜାତୀୟ ଶସ୍ୟ ଉତ୍ପାଦନ, ବ୍ୟବହାର ବୃଦ୍ଧି ପଦକ୍ଷେପ ନେବୁ।
ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ
ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ଵପ୍ନ ପୂରଣ କରିବା ଆମ ଲକ୍ଷ୍ୟ। କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ଵ ଦିଆଯିବ। ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ କରାଯିବ। ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ କରାଯିବ।
ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିକାଶ ପାଇଁ ୫୦୦ କୋଟି
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିକାଶ ପାଇଁ ୫୦୦ କୋଟିର ପାଣ୍ଠି ରଖାଯାଇଛି। ଏଥିରେ ମନ୍ଦିର ବିକାଶ କାମ କରାଯିବ। ମୋ ସରକାରରେ ସହିଦଙ୍କ ତ୍ୟାଗ ଓ ବଳିଦାନ ପ୍ରେରଣା ସାଜିଛି। ଓଡ଼ିଶାରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ପଦ ରହିଛି। ଆଗାମୀ ଦିନରେ ଏହି ସବୁ ପ୍ରାକୃତିକ ସମ୍ପଦ ବିନିଯୋଗ କରାଯାଇ ଓଡ଼ିଶାକୁ ବିକଶିତ କରାଯିବ।
ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ
ଓଡ଼ିଶା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ।
୩ ହଜାର ନୂଆ ଡାକ୍ତର ନିଯୁକ୍ତି
ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜିଲ୍ଲା ମେଡିକାଲରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନାଁ ଆରୋଗ୍ୟ ମନ୍ଦିର କରାଯିବ। ପ୍ରତି ସିଏଚ୍ସିରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ୍ ରହିବ। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବ।
ଲାଗୁ ହେବ ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ଵାସ୍ଥ୍ୟସେବା ହେବ। ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ।
୧୫ ଲକ୍ଷ ଘର ନିର୍ମାଣ ହେବ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର ନିର୍ମାଣ ହେବ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ନିମ୍ନ ଆୟବର୍ଗଙ୍କ ପାଇଁ ଆଉ ଏକ ଯୋଜନା ହେବ।
ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କକ୍ଷତ୍ୟାଗ କରିଛନ୍ତି।