ଝାରସୁଗୁଡ଼ା, ୩୦/୧୦ : ହୀରାକୁଦ ପାଣି କେତେ ନିରାପଦ ? ହୀରାକୁଦ ଆର୍ଦ୍ରଭୂମିରେ ଜମା ହେଉଥିବା ପଟୁରେ ମାତ୍ରାଧିକ ବିପଜ୍ଜନକ ଭାରିଧାତୁ ଥିବା ଗବେଷଣାରୁ ଜଣାପଡ଼ିଛି । ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ହୀରାକୁଦରେ ଜମିଥିବା ପ୍ରତି ଗ୍ରାମ୍ ପଟୁରେ ୫୧.୨୫ ମାଇକ୍ରୋଗ୍ରାମ୍ ପର୍ଯ୍ୟନ୍ତ ସୀସା ଏବଂ ୨୬୬ ମାଇକ୍ରୋଗ୍ରାମ ଯାଏ କ୍ରୋମିୟମ୍ ଭଳି ଧାତବ କଣିକା ଠାବ କରାଯାଇଛି । ଏହା ନିର୍ଦ୍ଧାରତ ମାନକଠାରୁ ପାଞ୍ଚ ଗୁଣା ଅଧିକ । ଏଭଳି କ୍ଷତିକାରକ ଧାତବ କଣିକା ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିଥାଏ । ‘କାର୍ସିନୋଜେନିକ ଇଫେକ୍ଟସ୍' ବା କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟିର ପ୍ରମୁଖ କାରଣ ମଧ୍ୟ ସାଜିପାରେ । ସାଇଣ୍ଟିଫିକ୍ ରିପୋର୍ଟସକୁ ଆଧାର କରି ଏଭଳି ତଥ୍ୟ ପ୍ରକାଶ ପାଇଛି । ସାଧାରଣ ଭାବେ ଏକ ଗ୍ରାମ୍ ପାଣି କିମ୍ବା ପଟୁରେ ୧୦ ମାଇକ୍ରୋଗ୍ରାମ୍ ସୀସା ଓ ୫୦ ମାଇକ୍ରୋଗ୍ରାମ୍ ପର୍ଯ୍ୟନ୍ତ କ୍ରୋମିୟମ ରହିଲେ ତାହା ଚଳନୀୟ । ହେଲେ ହୀରାକୁଦ ଆର୍ଦ୍ରଭୂମିରେ ଏହା ୫ ଗୁଣା ବଢ଼ିଗଲାଣି ।
କେବଳ ଏତିକି ନୁହେଁ କାଡ୍ମିୟମ, କପର୍, ମର୍କ୍ୟୁରି, ନିକେଲ୍, ଦସ୍ତା, ମାଙ୍ଗାନିଜ୍, ଆର୍ସେନିକ ଭଳି ପ୍ରଦୂଷଣକାରୀ ଭାରିଧାତୁ ମଧ୍ୟ ଆର୍ଦ୍ରଭୂମିକୁ ପ୍ରଦୂଷିତ କରିବାରେ ଲାଗିଛି । ଗବେଷଣାରୁ ଜଣାପଡ଼ିଛି, ଏହା ସିଧାସଳଖ ମଣିଷ ଶରୀରକୁ ଭିତରକୁ ସିନା ପ୍ରବେଶ କରିବନି । ମାତ୍ର ଏହି ଆର୍ଦ୍ରଭୂମିରୁ ଧରା ହେଉଥିବା ମାଛ, ଚାଷ ହେଉଥିବା ଧାନ ଓ ପନିପରିବାରୁ ମଣିଷ ଶରୀରକୁ ଯାଇଥାଏ । କେବଳ ହୀରାକୁଦ ନୁହେଁ, ଓଡ଼ିଶାର ୮ଟି ଆର୍ଦ୍ରଭୂମିରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ହୀରାକୁଦ ପରେ ତାଳଚେର, ଟିଟିଲାଗଡ଼ ଓ ଭଦ୍ରକ ଆର୍ଦ୍ରଭୂମି ପ୍ରତି ବିପଦ ବଢ଼ିଛି । ଭଦ୍ରକ ଆର୍ଦ୍ରଭୂମିରେ ପ୍ରତି ଗ୍ରାମରୁ ୩୪.୨୭ ମାଇକ୍ରୋଗ୍ରାମ କପର୍ ବାହାରୁଛି । ହୀରାକୁଦ ଉପରମୁଣ୍ଡ ଛତିଶଗଡ଼ ସମେତ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଖଣି ଖନନ, ଦ୍ରୁତ ଶିଳ୍ପାୟନ ଏବଂ ଖଣି ଜନିତ ପ୍ରଦୂଷଣର ପ୍ରଭାବ ସିଧାସଳଖ ଜଳଭଣ୍ଡାର ଉପରେ ପଡୁଛି । ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ହୀରାକୁଦ ବନ୍ଧରେ ସୃଷ୍ଟି ହୋଇଥିବା ଫାଟ ଦେଇ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଫଳରେ ପାଣି ବିଷାକ୍ତ ହେବାରେ ଲାଗିଛି ।
ଯଦିଓ ଓଡ଼ିଶାର ସମସ୍ତ ୮ ଆର୍ଦ୍ରଭୂମି ଅଞ୍ଚଳରେ ଏଭଳି ଭାରିଧାତୁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି, ତଥାପି ସର୍ବାଧିକ ଇକୋଲୋଜିକାଲ୍ ରିସ୍କ ଇଣ୍ଡେକ୍ସ (ଆର୍ଆଇ) ହୀରାକୁଦରେ ଦେଖାଯାଇଛି । ହୀରାକୁଦ ଜଳଭଣ୍ଡାର ଉପରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର ନିର୍ଭରଶୀଳ । ଜଳଭଣ୍ଡାର ଜଳ ଚାଷକାର୍ଯ୍ୟରେ ବ୍ୟବହୃତ ହେଉଛି । ଜଳଭଣ୍ଡାରର ମାଛ ଏବଂ ଜଳଭଣ୍ଡାର ଜଳ ମାଡୁଥିବା ଜମିରୁ ଉତ୍ପାଦିତ ଶସ୍ୟ, ପରିବାକୁ ଲୋକେ ସିଧାସଳଖ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ହୀରାକୁଦ ଜଳକୁ ପାନୀୟ ରୂପେ ବ୍ୟବହାର କରାଯାଉଛି । ଖାଦ୍ୟଶସ୍ୟ ହେଉ କି ପାନୀୟ, ଏସବୁ କ୍ଷତିକାରକ ଧାତବ କଣିକା ବିଭିନ୍ନ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରି ଜଟିଳ ସ୍ୱାସ୍ଥ୍ୟଗତ ସଙ୍କଟ ସୃଷ୍ଟି କରୁଛି । ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁ ନାହିଁ । ଏହାର ପ୍ରଭାବ ଉପରେ ଅଧିକ ଗବେଷଣା ଜାରି ରହିଛି । ହୀରାକୁଦ ଆର୍ଦ୍ରଭୂମିରେ ମାତ୍ରାଧିକ ସୀସା ଏବଂ କ୍ରୋମିୟମ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ରିପୋର୍ଟରେ ସତର୍କ କରାଯାଇଛି । ଓଡ଼ିଶାର ଜୀବନରେଖା ମହାନଦୀର ବିସ୍ତୀର୍ଣ୍ଣ ଭାଗ ହୀରାକୁଦ ବନ୍ଧର ଉପରମୁଣ୍ଡରେ ରହିଛି । ଏଥିପ୍ରତି ସତର୍କ ନ ହେଲେ କିମ୍ବା ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ବିଷମ ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା ଦେଖାଦେଇଛି ।