ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦଶନ୍ଧି ପରେ କଦଳୀ ଚାଷ ଛାଡ଼ିଲେ ୧୫ ଚାଷୀ, ଅଭାବୀ ବିକ୍ରି ଓ ଦଲାଲରାଜ୍‌ ହେଲା କାଳ

ସମ୍ବଲପୁର, ୧୯/୦୭ : ବହୁ ବାଧାବିଘ୍ନ ସତ୍ତ୍ଵେ ଧାନ ଅମଳ ପରେ ବି ଉଚିତ ପ୍ରାପ୍ୟ ମିଳୁ ନଥିଲା । ଫଳରେ ଦୁଇ ପଇସା ଅଧିକ ଉପାର୍ଜନ ଆଶାରେ କଦଳୀ ଚାଷକୁ ଆଦରି ନେଇଥିଲେ । ଏଥିପାଇଁ କାଣିଚାଏ ବି ସରକାରୀ ପ୍ରୋତ୍ସାହନ ମିଳି ନଥିଲା । ତଥାପି ନିଜସ୍ୱ ଉଦ୍ୟମରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ଚାଷ କରି ଆସୁଥିଲେ । ବଜାର ସୁବିଧା ନ ଥିବାରୁ ନିଜେ ବିଭିନ୍ନ ହାଟ ବୁଲି ବିକୁଥିଲେ । ହେଲେ ଦଲାଲରାଜ୍‌ ପାଇଁ ବାରମ୍ବାର ଅଭାବୀ ବିକ୍ରିର ଶିକାର ହୋଇ ଗୁରୁତର କ୍ଷତିର ସମ୍ମୁଖୀନ ହେବା ପରେ ସମ୍ବଲପୁର ଜିଲ୍ଲାର ୩ଟି ବ୍ଲକର ୧୫ରୁ ଉର୍ଦ୍ଧ୍ୱ ଅଗ୍ରଣୀ ଚାଷୀ କଦଳୀ ଚାଷରୁ ମୁହଁ ଫେରାଇ ନେଇଛନ୍ତି । ସମ୍ବଲପୁର ଜିଲ୍ଲାରେ କ୍ରମାଗତ ଭାବେ ରୋଗ ପୋକ ଦାଉରୁ ରକ୍ଷା କରି ଅମଳ କରୁଥିବା ଧାନ ଅଭାବୀ ବିକ୍ରିର ଶିକାର ହେବା ଦ୍ୱାରା ଚାଷୀର ଆର୍ଥିକ ମେରୁଦଣ୍ଡ ବି ଦୋହଲିବାରେ ଲାଗିଛି। 

ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବହୁ ଚାଷୀ ବର୍ଷତମାମ ପନିପରିବା ସାଙ୍ଗକୁ ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ କରିବାକୁ ବାଧ୍ୟ ହେଉଛନ୍ତି । ହେଲେ ଏହି ଅଣଧାନ ଚାଷ ପାଇଁ ବି ସରକାରୀ ପ୍ରୋତ୍ସାହନର ଅଭାବ ଚାଷୀଙ୍କୁ ହତୋତ୍ସାହିତ କରି ଆସୁଛି । ଏହି ପରିପ୍ରେକ୍ଷୀରେ ବର୍ଷସାରା ଗରିବରୁ ଆରମ୍ଭ କରି ଧନୀ ଯାଏ ସବୁଠୁ ଅତ୍ୟାବଶ୍ୟକ ଫଳ ଭାବେ ପରିଚିତ କଦଳୀ ଚାଷକୁ ଆଦରି ଥିବା ଚାଷୀ ବି ଘୋର କ୍ଷତିର ସମ୍ମୁଖୀନ ହୋଇଛି। ଆଜକୁ ପ୍ରାୟ ୧୦ରୁ ୨୦ ବର୍ଷ ତଳୁ ଜିଲ୍ଲାର ରେଙ୍ଗାଲି, ମାନେଶ୍ୱର ଏବଂ ଯୁଯୁମୁରା ବ୍ଲକର ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଚାଷୀ କଦଳୀ ଚାଷ ଆରମ୍ଭ କରିଥିଲେ । ଏଥିପାଇଁ କୌଣସି ସରକାରୀ ପ୍ରୋତ୍ସାହନ ତାଙ୍କୁ ମିଳିନଥିଲା । ନିଜସ୍ୱ ଉଦ୍ୟମରେ ଆନ୍ଧ୍ରପ୍ରଦେଶର ଜି-୯ କିସମର ଚାରା ଆଣି ରୋପଣ କରିଥିଲେ । ଏହା ତରକାରୀ ନୁହେଁ, ପାଚିଲା କଦଳୀ କିସମର ହୋଇଥିବାରୁ ଏହାର ଚାହିଦା ବି ଢେର ରହିଛି । ଆଉ ଏହି କିସମର କଦଳୀ ଉତ୍ପାଦନ ବି ବେଶ୍‌ ଭଲ ହୋଇଥାଏ । 

ତେବେ, ପ୍ରଥମ ବର୍ଷ ଏଥିରୁ କୌଣସି ଲାଭ ହୋଇନଥିବା ବେଳେ ଅନ୍ୟ ବର୍ଷ ଗୁଡିକରେ ପ୍ରଚୁର ଉତ୍ପାଦନ ହୋଇଥିଲା । କିନ୍ତୁ, ଏହାର କୌଣସି ବଜାର ବ୍ୟବସ୍ଥା ନାହିଁ କି ସଂରକ୍ଷଣ ବ୍ୟବସ୍ଥା ବି ନାହିଁ । ଫଳରେ ଚାଷୀମାନେ ନିଜ ଉଦ୍ୟମରେ ବିଭିନ୍ନ ସ୍ଥାନୀୟ ହାଟକୁ ନେଇ ବିକୁଥିଲେ । ଏହାକୁ କେଜି ପିଛା ୧୧ ଟଙ୍କାରୁ ୧୮ ଟଙ୍କା ପର୍ଯ୍ୟନ୍ତ ବି ବିକ୍ରି କରୁଥିବାରୁ ଭଲ ଦୁଇ ପଇସା ଅର୍ଜନ କରୁଥିଲେ । କିନ୍ତୁ, ବଜାରରେ ଏହାର ଡଜନ ପିଛା ଦର ସବୁ ବେଳେ ୫୦ରୁ ଉଦ୍ଧ୍ୱର୍ ରହୁଥିଲେ ହେଁ ଚାଷୀଙ୍କ ଠାରୁ ଦଲାଲମାନେ ପରବର୍ତ୍ତୀ ସମୟରେ ଶୋଷଣ ଆରମ୍ଭ କରିଥିଲେ । ଏପରିକି ସ୍ଥିତି ଏପରି ହେଲା ଯେ, ଚାଷୀଙ୍କ ଠାରୁ ୫ ଟଙ୍କାରେ ଦଲାଲମାନେ କିଣିବା ଆରମ୍ଭ କରିଥିଲେ । ଫଳରେ ଏଥିରେ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଲେ । ସେପଟେ, ବର୍ଷତମାମ ରାଜ୍ୟ ବାହାରୁ ଆସୁଥିବା କଦଳୀକୁ କିନ୍ତୁ ଏଠିକାର ବେପାରୀ ଅଧିକ ଦର ଦେଇ କିଣୁଥିବା ସ୍ଥାନୀୟ ଚାଷୀଙ୍କୁ ଉପେକ୍ଷା କରାଯାଇଥିଲା । ଏଭଳି ସ୍ଥିତିରେ ଅନ୍ୟ ପନିପରିବା ଠାରୁ କଦଳୀ ଚାଷରେ ଖର୍ଚ୍ଚ ଅଧିକ ହେବା ସତ୍ତେ୍ୱ ବାରମ୍ବାର ଅଭାବୀ ବିକ୍ରି ଯୋଗୁଁ ୨ ବର୍ଷ ହେଲା ବହୁ ଚାଷୀ ଏଥିରୁ ମୁହଁ ଫେରାଇବାରେ ଲାଗିଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗାଲି ବ୍ଲକର ଟାମ୍ପରକେଲା, ଯୁଯୁମୁରା ବ୍ଲକର ବର୍ଛାପାଲି, ମାନେଶ୍ୱର ବ୍ଲକର ତବଲା ଏବଂ ବହିଦାରକଣ୍ଟା ଆଦି ଗାଁରେ ଦୀର୍ଘ ଏକରୁ ଦୁଇ ଦଶନ୍ଧି ଧରି କଦଳୀ ଚାଷ ହୋଇ ଆସୁଥିଲା । ହେଲେ ୨ ବର୍ଷ ହେଲା ଏଥିରୁ ଟାମ୍ପରକେଲା ଗାଁର ବେଣୁଧର ପ୍ରଧାନ, ବର୍ଛାପାଲିର ଭୋଲାନାଥ ଦଲପତ, ବହିଦାରକଣ୍ଟାର ରଘୁନନ୍ଦନ ପଧାନ, ତବଲାର ଦେବେନ୍ଦ୍ର ପ୍ରଧାନ, ବିମ୍ବାଧର ପ୍ରଧାନ, ବଂଶୀଧର ପ୍ରଧାନ ପ୍ରମୁଖ କଦଳୀ ଚାଷରୁ ମୁହଁ ଫେରାଇ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ତବଲାର ଚାଷୀ ତଥା ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଂପାଦକ ଦେବେନ୍ଦ୍ର ପ୍ରଧାନଙ୍କ କହିବା କଥା ହେଲା ଯେ, ପାଚିଲା କଦଳୀର ବର୍ଷସାରା ଚାହିଦା ରହିଛି । ଦର ବି ସବୁ ବେଳେ ଡଜନ ପିଛା ୫୦ରୁ ଅଧିକ ରହିଛି । ହେଲେ ଦଲାଲ ସର୍ବସ୍ୱ ବଜାର ବ୍ୟବସ୍ଥାରେ ଆମକୁ ସବୁ ବେଳେ ଶୋଷିତ ହେବାକୁ ପଡୁଥିଲା । କେଜି ପିଛା ୧୧ ଟଙ୍କା ଯାଏ ମିଳିଲେ ଅନ୍ତତଃ ଖର୍ଚ୍ଚ ବାହାରି ଯାଉଥିଲା । ହେଲେ ସ୍ଥିତି ଏପରି ହେଲା ଯେ, କେଜି ପିଛା ୫ ଟଙ୍କାରେ ବିକିବାକୁ ବାଧ୍ୟ ହେଲୁ । ଯଦ୍ୱାରା ଘୋର କ୍ଷତିର ସମ୍ମୁଖୀନ ହୋଇ ଏହି ଚାଷ ଛାଡିଦେଲୁ । 

ତେବେ, ଏନେଇ ଉଦ୍ୟାନ ବିଭାଗ ଅଧିକାରୀଙ୍କ କହିବା କଥା ହେଲା ଯେ, ଆମେ କେବଳ ଉତ୍ପାଦନ ଏବଂ ତାଲିମ ସଂକ୍ରାନ୍ତରେ ବୁଝିଥାଉ । ବଜାର ବ୍ୟବସ୍ଥା ପାଇଁ ଓରମାସର ସହଯୋଗ ନେବା କଥା । ହେଲେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅକ୍ଲାନ୍ତ ପରିଶ୍ରମ କରିବା ସତ୍ତ୍ଵେ ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀ କେଉଁ ସରକାରୀ ଦପ୍ତରକୁ ଯିବେ ବୋଲି ପ୍ରଶ୍ନ ଉଠିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.