ନବରଙ୍ଗପୁର, ୩୧।୧୦ : ନବରଙ୍ଗପୁରରେ ଅନୁଷ୍ଠିତ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବିସ୍ଫୋରକ ବୟାନ। ବିଜେଡି ଛାଡି ବିଜେପିରେ ଯୋଗଦେଇ ବିଜୟୀ ହୋଇଥିବା ୧୪ ବିଧାୟକ ଏବେ ବିଜେଡି ସମ୍ପର୍କରେ। ମୁନା ଖାଁଙ୍କ ଏହି ବୟାନ ପରେ ଏବେ କମ୍ପନ ସୃଷ୍ଟି ହୋଇଛି। ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି କର୍ମୀଙ୍କୁ ଉଦବୋଧନ ଦେବାବେଳେ ଏହା କହିଛନ୍ତି।
କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନା ଖାଁ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟ୍ ପାଇ ବିଧାୟକ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି। ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି। ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି। ବିଜେପି ଭିତର ସୁଟ କରି ନେଇଗଲେ ଆଗାମୀ ଦିନରେ ଆମେ ଜବାବ ଦେବୁ କହିଛନ୍ତି।
ଗତକାଲି ନବରଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ତଥା ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ବିରାଟ ପଦଯାତ୍ରା ଚାମୁରିଆ ଗୁଡା ଠାରୁ ବାହାରି ସହର ପରିକ୍ରମା କରିବା ସହିତ ମାଝୀଗୁଡା ସର୍କିଟ ହାଉସ ପଡିଆ ଠାରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ସୁବାସ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟରେ ରାଜ୍ୟସଭା ସାଂସଦ ମୁନା ଖାଁ ବିଜେପିକୁ ଟାର୍ଗେଟ୍ କରିଥିଲେ। ବିଜେପି ଦଳ ଲୋକଙ୍କୁ ମିଛ କହିବା ସହ ମିଛ ପ୍ରଲୋଭନ ଦେଖାଇ ଭୋଟ ହାତେଇଥିବା କହିଥିଲେ।