ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଜଳିଗଲା ପମ୍ପ୍‌ ହାଉସ, ପାଣି ପାଇଁ ଡହଳବିକଳ : ନଳକୂଅ ପାଖରେ ଲମ୍ବା ଧାଡି

Published By : Prameya | March 25, 2025 12:18 AM

କେନ୍ଦ୍ରାପଡ଼ା,୨୪।୩(ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍‌ ଅଧୀନ ଆୟବା ଗ୍ରାମରେ ପମ୍ପ୍‌ ହାଉସ୍‌ ଜଳିଯିବାରୁ ଏବେ ପାଣି ପାଇଁ ହାହାକାର ପଡ଼ିଯାଇଛି । ଗାଁରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ରହିଛି ମାତ୍ର ୪ଟି ନଳକୂଅ । ତାହା ଗ୍ରାମବାସୀଙ୍କ ଆବଶ୍ୟକତା ପାଇଁ ଯଥେଷ୍ଟ ନୁହଁ । ଏଣେ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ଭୟଭୀତ । ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବାର ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଅଥଚ ପାଣି ଯୋଗାଣ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମର ନିୟମିତ ରକ୍ଷଣାବେକ୍ଷଣ କରାନଯିବା କାରଣରୁ ତାହା ପୋଡି ଯାଇଥିବା ଅଭିଯୋଗ ହୋଇଛି । 

କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୀନ ଆୟବା ପଞ୍ଚାୟତରେ ବିଗତ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ପର୍ଯ୍ୟାୟ କ୍ରମେ ୩ଟି ପୃଥକ ସ୍ଥାନରେ ବୋରିଂ କରାଯାଇ ପଞ୍ଚାୟତବାସୀଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଣର ବନ୍ଦୋବସ୍ତ କରାଯାଇଛି । ଏଥିସହ ୩ଟି ସ୍ଥାନରେ ଓଭରହେଡ୍‌ ଟ୍ୟାଙ୍କ ମଧ୍ୟ ନିର୍ମାଣ କରାଯାଇଛି । ତଥାପି ପଞ୍ଚାୟତର ସବୁ ଅଂଶକୁ ପାଣି ଯୋଗାଣ ସମ୍ଭବପର ହୋଇପାରୁନାହିଁ । ପଞ୍ଚାୟତରେ ପ୍ରଥମେ ଆୟବା ପରେ ନରଣପୁର ଓ ତା’ ପରେ ବାଲିଗୋଠରେ ବୋରିଂ ପଏଣ୍ଟ ଖୋଳାଯାଇ ପାନୀୟ ଜଳ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଇଥିଲା । ହେଲେ ଗାଁରେ ବିଦ୍ୟୁତ ସଂଯୋଗକୁ ନେଇ ଅଡୁଆ ତୁଟୁନଥିବାରୁ ବିଭିନ୍ନ ସମୟରେ ସେବା ବାଧାପ୍ରାପ୍ତ ହେଉଛି । ଆୟବାକୁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ସାହୁପଡ଼ା ଷ୍ଟ୍ରକ୍‌ଚରରୁ ସଂଯୋଗ ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ାର ୟୁନିଟ୍‌-୩ ବିଦ୍ୟୁତ ଦେୟ ପଇଠ କଥା ବୁଝାବୁଝି କରୁଛି । ୟୁନିଟ୍‌-୩ ମାସିକ ବିଲ୍‌ ଆଦାୟ କରୁଥିବା ବେଳେ ରକ୍ଷଣାବେକ୍ଷଣ ତଥା ମରାମତିରେ ମୁଣ୍ଡ ଖେଳାଉନାହିଁ । ଏ ବାବଦରେ ଗ୍ରାମବାସୀ ୟୁନିଟ୍‌-୩କୁ ପଚାରିବାରୁ ସାହୁପଡ଼ା ଷ୍ଟ୍ରକ୍‌ଚର୍‌ ଏକଥା ବୁଝିବ ବୋଲି କହୁଛନ୍ତି । ଗୋଟିଏ ୟୁନିଟ୍‌ ବିଜୁଳି ଦେଉଥିବା ବେଳେ ଅନ୍ୟ ୟୁନିଟ୍‌ ମାସକୁ ମାସ ବିଲ୍‌ ଆଦାୟ କରୁଛି । ଫଳରେ ବିଦ୍ୟୁତ ଯୋଗାଣ କୌଣସି କାରଣ ଯୋଗୁଁ ବାଧାପ୍ରାପ୍ତ ହେଲେ ସ୍ୱାଭାବିକ ହେବାରେ ବହୁ ସମୟ ଲାଗିଯାଉଛି । ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଥିବା ପମ୍ପ ହାଉସ୍‌ରେ ନିଆଁ ଲାଗିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

 ସୋମବାର ଭୋରରୁ ପମ୍ପ୍‌ ହାଉସ୍‌ରେ ପାଣି ମୋଟର ଚାଲିବାର କିଛି ମିନିଟ ପରେ ହଠାତ ଠୋ ଠା ଆବାଜ ଶୁଣିବା ପାଇଁ ମିଳିଥିଲା । କିଛି ସମୟ ଭିତରେ ହୁତୁହୁତୁ ହୋଇ ଜଳି ଉଠିଥିଲା ପମ୍ପ୍‌ ହାଉସ୍‌ । ମାତ୍ର କିଛି ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଗଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପାଣି ମୋଟର, ବିଦ୍ୟୁତ ମିଟର, ଆସବାବପତ୍ର ସବୁକିଛି ଜଳି ଯାଇଥିଲା । ଏମିତିକି ଘରର ଛାତ ଓ କାନ୍ଥ ମଧ୍ୟ ନିଆଁରେ ପୋଡ଼ି ଫାଟି ଯାଇଥିବା ଦେଖିବା ପାଇଁ ମିଳିଛି । ଏହି ଗାଁର ୪ ଶହ ପରିବାରର ପ୍ରାୟ ୨ ହଜାର ଲୋକ ଏହି ପାନୀୟ ଜଳ ଯୋଗାଣ କେନ୍ଦ୍ର ଉପରେ ନିର୍ଭର କରନ୍ତି । ସେମାନଙ୍କ ପାଇଁ ରହିଛି ମାତ୍ର ୪ ଗୋଟି ନଳକୂଅ । ସେଥିମଧ୍ୟରୁ ଗୋଟିଏରୁ ବାହାରୁଥିବା ପାଣି ବ୍ୟବହାର ଉପଯାଗୀ ନୁହେଁ । ମାତ୍ର ୩ଗୋଟି ନଳକୂଅ ଗାଁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ପାରୁନାହିଁ । ସମସ୍ତେ ପ୍ରାୟତଃ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ପାଣି ଉପରେ ନିର୍ଭରଶୀଳ । ଫଳରେ ଗାଁରେ ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି । ନଳକୂଅ ପାଖରେ ଏବେ ମହିଳାମାନଙ୍କର ଲମ୍ବା ଧାଡ଼ି ଦେଖିବା ପାଇଁ ମିଳିଛି । ତୁରନ୍ତ ପୋଡ଼ି ଯାଇଥିବା ମୋଟର ମରାମତି କରି ଜଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ଆରଡବ୍ଲୁଏସ୍‌ଏସ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିବା ସମ୍ଭବପର ହୋଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.