କଟକ,୧୩।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୭୪ ଏକର ୧୧୦ ଡେସିମିଲ ଜମି ସଂଶୋଧନ ଅପେକ୍ଷାରେ ବିଭିନ୍ନ ତହସିଲରେ ପଡ଼ିରହିଛି । କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମନ୍ଦିର ସମନ୍ୱୟ ଅଧିକାରୀ ଦେଇଥିବା ତଥ୍ୟ ମୁତାବକ, କଟକ ଜିଲ୍ଲାରେ ମହାପ୍ରଭୁଙ୍କର ମୋଟ୍ ୩ ହଜାର ୨୦୨ ଏକର ୬୨୩ ଡେସିମିଲ ଜମି ରହିଛି । ସେଥିରୁ ୨ ହଜାର ୬୨୮ ଏକର ୮୪୩ ଡେସିମିଲ ଜମିକୁ ଜଗନ୍ନାଥ ମହାପ୍ରଭୁଙ୍କ ପରିଚାଳନା ଟ୍ରଷ୍ଟ ନାଁରେ ସଂଶୋଧନ କରାଯାଇଛି । ସଂଶୋଧନ ଅପେକ୍ଷାରେ ୫୭୪ ଏକର ଜମି ରହିଛି । ନିକଟରେ ହୋଇଥିବା ରାଜସ୍ୱ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ତହସିଲଦାରମାନଙ୍କୁ କୁହାଯାଇଛି ।
ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ନେଇ କଟକରେ ଅନେକ ଅଡୁଆ ରହିଛି । ଜିଲ୍ଲାର କେତେକ ତହସିଲ୍ ଅଞ୍ଚଳରେ ଏହି ଜମି ଜବରଦଖଲରେ ଥିବା ବେଳେ କଟକ ସହରରେ ଏହି ଜମି ଉପରେ ସ୍ଥାୟୀ ନିର୍ମାଣ କରାଯାଇଥିବା ଜଣାପଡିଛି । କଲେଜ ଛକ ଅଞ୍ଚଳରେ ଜଗନ୍ନାଥଙ୍କ ଜମିକୁ କେତେଜଣ ମାଡି ବସି ସେଠାରେ ଦୀର୍ଘଦିନରୁ ବ୍ୟବସାୟ ଚଳାଇଥିବା ଦେଖାଯାଇଛି । ସବୁଠାରୁ ବଡ କଥା ହେଉଛି ବେବନ୍ଦୋବସ୍ତରେ ଥିବା ୧୦୬ ଏକର ୬୨୩ ଡେସିମିଲ ଜମିକୁ ନେଇ ବିବାଦ ଉପୁଜିଛି । କାରଣ ଯେହେତୁ ଉକ୍ତ ଜମି ବେବନ୍ଦୋବସ୍ତ ଭାବେ ରହିଛି ସେଥିରୁ ସରକାର ଖଜଣା ପାଉନାହାନ୍ତି । ଗୋଟେ ପଟେ ମହାପ୍ରଭୁଙ୍କ ଜମିକୁ ମାଡି ବସି କିଛି ଲୋକ ଉପଭୋଗ କରୁଥିବା ବେଳେ ସେଥିପାଇଁ ନା ଠାକୁର କିଛି ପାଉଛନ୍ତି ନା ସରକାର କିଛି ପାଉଛନ୍ତି । ଜମିଦାରୀ ଉଚ୍ଛେଦ ପରେ ଏହି ଜମି ବନ୍ଦୋବସ୍ତ କରାଯାଇନାହିଁ । ଅର୍ଥାତ୍, ଅଦ୍ୟାବଧି ଏହି ୧୦୬ ଏକର ୬୨୩ ଡେସିମିଲ ଜମିର ସ୍ୱତ୍ତ୍ୱଲିପି ମଧ୍ୟ ମହାପ୍ରଭୁଙ୍କ ନାମରେ ହୋଇନାହିଁ । କଟକ ଜିଲ୍ଲାରେ ଅଦ୍ୟାବଧି ୧୦ ହଜାର ୫୨୭ ବେବନ୍ଦୋବସ୍ତ ମାମଲା ରୁଜୁ କରାଯାଇଛି । ସେଥିରୁ ଏବେ ବି ୪୮୩୭ ମାମଲା ଫଇସଲା ନ ହୋଇ ବିଭିନ୍ନ ତହସିଲ୍ରେ ପଡ଼ିରହିଛି । ଆଶ୍ଚର୍ଯ୍ୟ କଥା ହେଉଛି ପ୍ରତି ମାସରେ ୨ରୁ ୩ଟି ମାମଲାର ଫଇସଲା କରାଯାଉଛି । ଗତ ଜୁଲାଇ ମାସରେ ଜିଲ୍ଲାର ୧୫ ତହସିଲ୍ରେ ମାତ୍ର ୩ଟି ବେବନ୍ଦୋବସ୍ତ ମାମଲାର ଫଇସଲା କରାଯାଇଛି । ଯାହାକୁ ନେଇ ବୈଠକରେ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଥିଲେ । ମନ୍ଦିର ପ୍ରଶାସନର ଥିବା କଟକ ଅଫିସ ଯେତେବେଳେ ମହାପ୍ରଭୁଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରିକ୍ୟୁଜିସନ୍ ଦେଇଥାଏ ତତ୍କାଳ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
କଟକ ସଦର ତହସିଲଦାର ମାନସ ଭୋଇ କହିଛନ୍ତି, ମନ୍ଦିର ଅଫିସରୁ ରିକ୍ୟୁଜିସନ ଆସିବା ପରେ ଆମେ ପଦକ୍ଷେପ ନେଇଥାଉ । ଆମ ତହସିଲ ଅଧୀନରେ ସେଭଳି କୌଣସି ରିକ୍ୟୁଜିସନ୍ ମନ୍ଦିର କାର୍ଯ୍ୟାଳୟରୁ ଆସିନଥିବା ସେ କହିଛନ୍ତି । ମାତ୍ର ଜିଲ୍ଲାର ଆଠଗଡ, ଡମପଡା, ବାରଙ୍ଗ, କଟକ ସଦର ଓ କିଶନନଗର ଆଦି ତହସିଲ ଅଞ୍ଚଳରେ ମହାପ୍ରଭୁ ଜଗନ୍ନାଥଙ୍କ ବିପୁଳ ପରିମାଣର ଜମି ଜବରଦଖଲରେ ରହିଥିବା ସୂଚନା ମିଳିଛି । ଯେଉଁ ଜମି ମନ୍ଦିର ପରିଚାଳନା ଟ୍ରଷ୍ଟ ନାମରେ ସଂଶୋଧନ ହୋଇପାରୁନି ଉକ୍ତ ଜମିକୁ ସ୍ଥାନୀୟ ତହସିଲ ପ୍ରଶାସନ ଜାଣିଶୁଣି ସଂଶୋଧନ କରିବା ଦିଗରେ ପଦକ୍ଷେପ ନେଉନାହିଁ ବୋଲି କୁହାଯାଉଛି ।