ଫିରିଙ୍ଗିଆ,୧୬/୦୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ଏହି କାରବାର ଉପରେ ରୋକ ଲଗେଇବା ପାଇଁ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରୁଛି। ଗତ ଦୁଇଦିନ ତଳେ ଫିରିଙ୍ଗିଆ ପୋଲିସ ଦୁଇଟି ଦାମି କାର ସହ ୪ଜଣ ବିହାରୀ ଗଞ୍ଜେଇ ମାଫିଆଙ୍କୁ ଗିରଫ କାରି ତାଙ୍କ ପାଖରୁ ବିପୁଳ ପରିମାଣର ପରିମାଣରେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ଏହି ଘଟଣାକୁ ଦୁଇଦିନ ନ ପୁରୁଣୁ ଫିରିଙ୍ଗିଆ ପୋଲିସ ଆଜି ପୁଣି ଏକ କାର ସହ ୨୫ କିଲୋ ଗଞ୍ଜେଇକୁ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଟା କେରି ଗାଁର ପାଣ୍ଡୁରୁ କହଁର ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଧୀନରେ ଥିବା ଗଲେସୁଗା ଗାଁର ନୀଳକଣ୍ଠ କହଁର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ କୁମାର ରାଉତଙ୍କ ସହ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଏହି ଗଞ୍ଜେଇ ଭର୍ତି କାରକୁ କାଶିନୀପଦର ଗାଁ ପାଖ ରାସ୍ତାରେ ଧରିବାରେ ସଫଳ ହୋଇଥିଲେ । କାରଟିକୁ ଯାଞ୍ଚ କରିବା ସମୟରେ କାରର ଡ଼ିକିରୁ ୨୫ କିଲୋ ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇ ଗୋଛାପଡା ଅଂଚଳରୁ ରାଜଧାନୀ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଜଣାପଡିଥିଲା । ପରେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହା ପରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଜବତ କାର ଓ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଦାୟିତ୍ୱ ରେ ଥିବା ପୋଲିସ ଅଧିକାରୀ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି I