ପ୍ରମୂଖ ଖବର

ଆଜି ବିଶ୍ୱ ଓଜୋନ୍‌ ଦିବସ, ଏ ବର୍ଷର ଥିମ୍ ‘ମଣ୍ଟ୍ରିଲ୍‌ ପ୍ରୋଟୋକଲ୍‌ ଆଡଭାନ୍ସିଂ କ୍ଲାଇମେଟ୍‌ ଆକ୍ସନ୍‌’

ଭୁବନେଶ୍ୱର,୧୬/୧୦: ବଢ଼ିଚାଲିଛି ଗାଡ଼ିମୋଟର, ଏସି ଓ ରେଫ୍ରିଜେରେଟରର ବହୁଳ  ବ୍ୟବହାର । ଏଥିସହ ଅବାଧ  ଗଛ କଟା ଚାଲିଛି । ଫଳରେ ବାୟୁମଣ୍ଡଳରେ ଓଜୋନ୍‌ ସ୍ତର କ୍ଷୟ  ହେବାରେ ଲାଗିଛି । ଫଳରେ ଏହାର  ପ୍ରଭାବ ମଣିଷ ସମାଜ ଉପରେ  ପଡ଼ୁଛି । ଏଥିପାଇଁ ସଚେତନତାର ଆବଶ୍ୟକ ଥିବାବେଳେ  ଓଜୋନ୍‌ ଦିବସ ପାଳନ କରାଯାଉଛି । 

ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ  ରହିଛି ‘ମଣ୍ଟ୍ରିଲ୍‌ ପ୍ରୋଟୋକଲ୍‌  ଆଡଭାନ୍ସିଂ କ୍ଲାଇମେଟ୍‌ ଆକ୍ସନ୍‌’ ।  ରାସ୍ତା, ଘର ଓ ଶିଳ୍ପ ସଂସ୍ଥା  ପାଇଁ ବଳିପଡ଼ୁଛି ମହାକାୟ ଦ୍ରୁମ । ବିଧାନସଭାରେ  ଉପସ୍ଥାପିତ ରିପୋର୍ଟ କହୁଛି, ଗତ ୩ ବର୍ଷ ମଧ୍ୟରେ  ରାଜ୍ୟରେ ଶିଳ୍ପସଂସ୍ଥା ଯୋଗୁ ୬୫୫୬ ହେକ୍ଟର  ଜଙ୍ଗଲ ଉଜୁଡ଼ିଛି । 

ସେହିପରି ୨୨,୨୩୫ ହେକ୍ଟର  ଜଙ୍ଗଲ ଜମି ବନାଗ୍ନି କବଳରେ ପଡ଼ି ନଷ୍ଟ ହୋଇଛି ।  ବାରମ୍ବାର ଗଛକଟା ଓ ଗାଡିମୋଟର ବ୍ୟବହାର ଯୋଗୁ  ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍‌ର ପରିମାଣ  ବଢୁଥିବା ବେଳେ ଅତିବାଇଗଣୀ ରଶ୍ମିର ନକାରାତ୍ମକ  ଶକ୍ତି ଜୀବଜଗତକୁ କ୍ଷତି ପହଞ୍ଚାଉଛି । ବାୟୁ ପ୍ରଦୂଷଣ  ସାଂଘାତିକ ରୂପ ନେଉଛି । ଅତିବାଇଗଣୀ ରଶ୍ମି  ଯୋଗୁ ଚର୍ମ ରୋଗ ଦେଖାଦେଉଛି । ମୁଖ୍ୟତଃ  କ୍ଲୋରୋଫ୍ଲୋରୋକାର୍ବନ୍‌, କାର୍ବନ ଡାଇଅକ୍ସାଇଡ୍‌ ଓ  କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଓଜୋନ୍‌ସ୍ତରର କ୍ଷତି  ଘଟାଇଥାଏ । ଯଦ୍ୱାରା ବିଶ୍ୱ ତାପାୟନ (ଗ୍ଲୋବାଲ ୱାର୍ମିଂ)  ଏକ ପ୍ରମୁଖ ସଙ୍କଟ ରୂପେ ଉଭା ହୋଇଛି ବୋଲି  ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.