ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଆଇଭିଏଫ୍‌ରେ ଭ୍ରୂଣ ବଦଳ, ଅପରିଚିତ ଦମ୍ପତିଙ୍କ ଶିଶୁକୁ ଜନ୍ମଦେଲେ ମହିଳା

Published By : Prameya | April 12, 2025 1:49 PM

ନୂଆଦିଲ୍ଲୀ ୧୨/୦୪: ଅଷ୍ଟ୍ରେଲିଆର ଏକ ପ୍ରମୁଖ ଆଇଭିଏଫ୍‌ କ୍ଲିନିକ୍‌ରେ ଭ୍ରୂଣ ବଦଳ ଘଟଣା ସାମ୍ନାକୁ ଆସିଛି । ଏହି କ୍ଲିନିକ୍‌ ଭୁଲବଶତଃ ଜଣେ ମହିଳାଙ୍କୁ ଅନ୍ୟ ଜଣେ ଦମ୍ପତିଙ୍କର ଭ୍ରୂଣ ପ୍ରଦାନ କରିଛି, ଯାହାର ପରିମାଣ ସ୍ୱରୂପ ମହିଳା ଜଣଙ୍କ ଅପରିଚିତ ଦମ୍ପତିଙ୍କ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଭୁଲ ପାଇଁ କ୍ଲିନିକ୍‌ କ୍ଷମା ପ୍ରାର୍ଥନା କରିଛି ଏବଂ ଏଥିପାଇଁ ମାନବୀୟ ତ୍ରୁଟିକୁ ଦାୟୀ କରିଛି । 

‘ମୋନାଶ ଆଇଭିଏଫ୍‌’ ସମଗ୍ର ଅଷ୍ଟ୍ରେଲିଆରେ ୧୦୦ରୁ  ଅଧିକ କ୍ଲିନିକ୍‌ ଚଳାଉଛି । ଏକ ବୟାନରେ କ୍ଲିନିକ୍‌ କହିଛି,  କର୍ମଚାରୀ ଏହି ତ୍ରୁଟି ପାଇଁ ହତଚକିତ । ଦେଶରେ ଏ  ପ୍ରକାର ଘଟଣା ପ୍ରଥମ । ଏହାର ସିଇଓ ମାଇକେଲ କ୍ନାପ୍‌  କହିଛନ୍ତି, ମୋନାଶ ଆଇଭିଏଫ୍‌ ତରଫରୁ ଯାହା ଘଟିଛି  ସେଥିପାଇଁ ମୁଁ ବାସ୍ତବରେ ଅତ୍ୟନ୍ତ ଦୁଃଖିତ । ଏଭଳି  ଏକ କଷ୍ଟଦାୟକ ସମୟରେ ଆମେ ରୋଗୀଙ୍କୁ ସମର୍ଥନ  ଜାରି ରଖିବୁ ।  

ତେବେ ଦମ୍ପତିଙ୍କ ଗୋପନୀୟତାକୁ ସମ୍ମାନ ଦେଇ କ୍ଲିନିକ୍‌  ସେମାନଙ୍କ ନାଁ କହିନାହିଁ କିମ୍ବା ଶିଶୁ କେବେ ଜନ୍ମ ହେଲା  ଏବଂ କାହା ହେପାଜତରେ ଅଛି, ତା’ର ବି ଉତ୍ତର  ଦେଇନାହିଁ । କ୍ୱିନ୍ସଲାଣ୍ଡ୍‌ର ବ୍ରିସ୍‌ବେନ ସ୍ଥିତ ମୋନାଶ  ଆଇଭିଏଫ୍‌ କ୍ଲିନିକ୍‌ରେ ଏହି ତ୍ରୁଟି ଘଟିଛି । ଏଠାରେ ଆଇନ  ଜନ୍ମଦାତ୍ରୀ ମା’ ଓ ତାଙ୍କ ସାଥୀଙ୍କୁ ସନ୍ତାନର ବୈଧ ମାତାପିତା  ଭାବେ ମାନ୍ୟତା ଦିଏ । ଏହି ତ୍ରୁଟିକୁ କ୍ଲିନିକ୍‌ ଆବିଷ୍କାର  କରିବା ପୂର୍ବରୁ ଭ୍ରୂଣ ବଦଳ ହୋଇଥିବାର ସନ୍ଦେହ କିଏ  କଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।  

ୟୁନିଭର୍ସିଟି ଅଫ୍‌ ମେଲବର୍ନର କ୍ଲିନିକାଲ ଆସୋସିଏଟ୍‌  ପ୍ରଫେସର ତଥା ମେଲ୍‌ବର୍ନର ରୟାଲ ୱିମେନ୍ସ ହସ୍ପିଟାଲର  ଫର୍ଟିଲିଟି କନ୍‌ସଲଟାଣ୍ଟ୍‌ ଆଲେକ୍ସ ପଲିଆକୋଭ୍‌ କହିଛନ୍ତି,  ଅଷ୍ଟ୍ରେଲିଆରେ ଆଇଭିଏଫ୍‌ର ୪ ଦଶନ୍ଧିରେ ଏହା ପ୍ରଥମ  ଘଟଣା । ସନ୍ତାନ ଜନ୍ମ ଦେଇଥିବା ମାତାପିତା ସେମାନଙ୍କର  ବଳକା ଭ୍ରୂଣକୁ ଅନ୍ୟ ଏକ ଆଇଭିଏଫ୍‌ ପ୍ରଦାନକାରୀକୁ  ସ୍ଥାନାନ୍ତର ପାଇଁ ଅନୁରୋଧ କରିବା ପରେ ଏହି ତ୍ରୁଟି  ଗତ ଫେବ୍ରୁଆରୀରେ ସାମ୍ନାକୁ ଆସିଲା । ଭ୍ରୂଣ ଗଚ୍ଛିତ  ରଖାଯାଉଥିବା ଭଣ୍ଡାର ଡବାରେ ଏକ ଅତିରିକ୍ତ ଭ୍ରୂଣ ମିଳିବା  ପରେ ଆଭ୍ୟନ୍ତରୀଣ ଯାଞ୍ଚ୍‌ ଚାଲିଲା । ତା’ପରେ ଦମ୍ପତିଙ୍କୁ  ଭୁଲ ଭ୍ରୂଣ ଦିଆଯାଇଥିବା ଜଣାପଡ଼ିଲା । 

ଏହି ତ୍ରୁଟି କେମିତି ହେଲା, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ  ମୋନାଶ ଆଇଭିଏଫ୍‌ର ବୟାନ ଅନୁସାରେ, ଆଉ ଜଣେ  ରୋଗୀଙ୍କ ଭ୍ରୂଣକୁ ଭୁଲବଶତଃ ଜନ୍ମଦାତା ମାତାପିତାଙ୍କୁ  ଦିଆଯାଇଥିଲା । ତେବେ ଏହା ଏକମାତ୍ର ଘଟଣା ବୋଲି  କମ୍ପାନି ଦାବି କରିଛି । ସମାନ ଘଟଣା ଆମେରିକାରେ  ଘଟିଛି । ଏକ ସଦ୍ୟ ମାମଲାରେ ଜଣେ ଶ୍ୱେତ ମହିଳା  ଏକ ଅଶ୍ୱେତ ଶିଶୁକୁ ଜନ୍ମ ଦେବା ପରେ ତାଙ୍କୁ ଭୁଲ ଭ୍ରୂଣ  ଦିଆଯାଇଥିବା ସେ ଆବିଷ୍କାର କଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.