ନରଣପୁର, ୨।୭: ବିଧବାଙ୍କୁ ବିଭତ୍ସ ହତ୍ୟା । କୋଦାଳରେ ହାଣି ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲପାହାଡି ଗାଁ ଭାଲୁଘରା ସାହିରୁ । ମୃତକ ମହିଳା ହେଉଛନ୍ତି ତୁଳସୀ ହେମ୍ବ୍ରମ୍ ।
ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ଅଥବା ଗୁଣିଗାରେଡ଼ି ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସମ୍ପର୍କୀୟମାନେ ମିଶି କୋଦାଳରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି । ମହିଳାଙ୍କ ମରଶରୀର ଗାଁରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ଦେଖିବକୁ ମିଳିଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତ ପରେ ମୃତ ଶରୀରକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ତଦନ୍ତ ପରେ ଅଭିଯୁକ୍ତକୁ ଧରାଯିବ ବୋଲି ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି ।