ଫିରିଙ୍ଗିଆ,୧/୭ : କାଦୁଅ ପଚପଚ ରାସ୍ତାରେ ୬କିଲୋମିଟର ବାଟ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ବିଧାୟକ ଓ ମଣ୍ଡଳ ସଭାପତି । ତତ୍ ସହିତ ରାସ୍ତାର ଦୁରାବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ରାସ୍ତା କାମ ସାରିବାକୁ ଦାବି ମଧ୍ୟ କରିଛନ୍ତି ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ କଟାପଙ୍ଗାଠାରୁ ଡମାଙ୍ଗପଦର ଗ୍ରାମ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ବର୍ଷା ଦିନ ମାନଙ୍କରେ କାଦୁଅରେ ଭରି ଯାଉଛି । ଏହି ରାସ୍ତାଟି ପ୍ରଥମେ ଏକ ପାଦ ଚଲା ରାସ୍ତା ଭାବେ ବ୍ୟବହୃତ ହେଉଥିଲା । ସୁମରବନ୍ଧ ପଂଚାୟତର ୧୧ଟି ୱାର୍ଡର ୪୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ । ବିଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହେବା ପରେ ଆରଡି ବିଭାଗ ରାସ୍ତା ତଦାରଖ କାର୍ଯ୍ୟ ନିଜେ ମୁଣ୍ଡେଇଥିଲା । ସୁମରବନ୍ଧ ପଂଚାୟତ ଫିରିଙ୍ଗିଆ ବ୍ଲକର ଶେଷ ମୁଣ୍ଡରେ ଥିବା ପଂଚାୟତ ହୋଇଥିବାବେଳେ ଅଞ୍ଚଳଟି ଏକ ଦୁର୍ଗମ ଅଂଚଳ ତଥା ଉପାନ୍ତ ଅଂଚଳ ହୋଇଥିବାରୁ ରାସ୍ତା ନିର୍ମାଣ ହେଉଥିବା ଜାଣି ଅଞ୍ଚଳବାସୀ ବେଶ୍ ଆନନ୍ଦିତ ହୋଇଥିଲେ । ହେଲେ ବର୍ଷ ବର୍ଷ ବିତି ଯାଉଥିଲେ ସୁଦ୍ଧା ରାସ୍ତା କାମ ଆଗକୁ ଆଗେଇ ପାରୁନଥିବାରୁ ରାସ୍ତାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କାର୍ଯ୍ୟ କରୁଥିବା ଠିକାଦାର ୭୬ କିଲୋମିଟର ଯାଏ କେବଳ ମାଟି ପକେଇ ଦେଇ ଚୁପ ବସିଛି । ବର୍ଷା ଦିନ ଆସିଲେ ଏହି ରାସ୍ତା ଉପରେ ଚଳପ୍ରଚଳ କରିବା ସେମାନଙ୍କ ପାଇଁ ବଡ଼ କଷ୍ଟ କାର୍ଯ୍ୟ ହୋଇ ପଡିଛି । ରାସ୍ତା ଉପରେ ଗାଡ଼ି ମୋଟର ଚାଲିବା ତ ଦୂରର କଥା ସାଧାରଣ ଲୋକ ମଧ୍ୟ ଚାଲିବା କାଠିକର ପାଠ ହୋଇ ପଡ଼ିଛି । ଅନେକ ସମୟରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାମାନଙ୍କୁ ଖଟିଆ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଯାଇକି ଡାକ୍ତର ଖାନା ନେବା ସମ୍ଭବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀ ପ୍ରଶାସନକୁ ଯେତେ ଗୁହାରୀ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବାକୁ କେହି ହେଲେ ଆଗେଇ ଆସୁନାହାନ୍ତି । ଆଜି ମୁରଡ଼ି ଗ୍ରାମର ଝିମି ମଳିକ (୨୬)ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନା ପାଇବାରୁ ସ୍ଥାନୀୟ ନୁଆ ପଦର ମଣ୍ଡଳ ସଭାପତି ଦେବେଶ୍ୱର ଦ୍ଵୀପଙ୍କୁ ସୂଚନା ଦେଇଥିଲେ |ମହିଳାଙ୍କ ସ୍ୱାମୀ ରାମଚନ୍ଦ୍ର କହଁର କୌଣସି ଏକ ଭୁଲ କରି କାରାଗାରରେ ବନ୍ଦୀ ରହିଥିବା ବେଳେ ମହିଳାଙ୍କ ସାହାଯ୍ୟ ପାଇଁ ପରିବାରରେ ଆଉ କୌଣସି ସଦସ୍ୟ ନାହାନ୍ତି ।
ଏପରି ସ୍ଥିତିରେ ତାକୁ କିଏ ସାହାଯ୍ୟ କରିବ? ଏ ଖବରଟି ଦେବେଶ୍ଵର ଦ୍ଵୀପଙ୍କ କର୍ଣ୍ଣ ରେ ବାଜିବା କ୍ଷଣି ସେ ଘଟଣା ସ୍ଥଳରେ ଆସି ପହଂଚିଥିଲେ । ପରେ ବିଧାୟକ ପ୍ରତିନିଧି ପ୍ରସାନ୍ତ କମ୍ପ , ସୁମରବନ୍ଧ ସରପଞ୍ଚ ସୁଶୀଳା କହଁର, ଆଶା ଦିଦି ରଜନୀ କହଁର, ସମାଜସେବୀ ବିଗ କହଁର ପ୍ରମୁଖ ଝିମିଙ୍କ ଘରେ ପହଂଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆ ଭାର କରି ତହିଁରେ ଝିମିଙ୍କୁ ଶୁଏଇ କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ । ସମସ୍ତେ ଜନ ପ୍ରତିନିଧି ରାସ୍ତାର ଏଭଳି ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହିତ ଯଥାଶୀଘ୍ର ରାସ୍ତା ମରାମତି ପାଇଁ ଦାବୀ ମଧ୍ୟ କରିଛନ୍ତି । ଜନ ପ୍ରତିନିଧି ମାନଙ୍କ ଏଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିବା ସହ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଅନୁରୋଧ କରିଛନ୍ତି ।