ଭୁବନେଶ୍ବର,୨୦।୧ : ଆରଜି କର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। ତେବେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିହେବ। ଏପରିକି ଆଜୀବନ ସଜାକୁ ଫାଶୀ ଦଣ୍ଡରେ ପରିବର୍ତ୍ତିତ କରିବାଲାଗି ମଧ୍ୟ ସୁଯୋଗ ରହିଛି ବୋଲି ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି।
ସେଥିପାଇଁ ପୀଡ଼ିତାଙ୍କ ପରିବାର ତରଫରୁ କାଲକାଟା ହାଇକୋର୍ଟରେ ଆବେଦନ କରିବାକୁ ହେବ। ତେଣେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କ ପାଇଁ ମଧ୍ୟ ନ୍ୟାୟପାଳିକାର ଦ୍ୱାର ଖୋଲା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ। ତେବେ ଏହି ଚର୍ଚ୍ଚିତ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇପାରେ, ଏବଂ ଚୂଡାନ୍ତ ରାୟ ଆସିବାକୁ ହୁଏତ ୭ ବର୍ଷ ଭଳି ସମୟ ଲାଗିପାରେ ବୋଲି ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି।
୨୦୨୪ ଅଗଷ୍ଟ ମାସରେ ଘଟିଥିବା ଏହି ଦୁଃଖଦ ଘଟଣା, ସାରା ଦେଶରେ ଚହଳ ପକାଇ ଦେଇଥିଲା । ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲ୍ରୁ ମିଳିଥିଲା ଟ୍ରେନି ଡାକ୍ତରଙ୍କ ମୃତଦେହ । ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଉଠିଥିଲା ସ୍ୱର । ବିଶେଷ କରି ସେହି ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ପଶ୍ଚିମବଙ୍ଗ ସରକାରଙ୍କୁ ଦୋହଲାଇ ଦେଇଥିଲା । ସେଠାକାର ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହି ମାମଲାର ଶୁଣାଣୀ କରି ସିଆଲଦା କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଘୋଷଣା କରିଛନ୍ତି କୋର୍ଟ । ଏଥିସହ ପୀଡ଼ିତାଙ୍କ ପରିବାରକୁ ପଶ୍ଚିମବଙ୍ଗ ସରକାର ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି କୋର୍ଟ।