ଭୁବନେଶ୍ବର,୨୦/୧: କୋଣାର୍କରେ ଆଜିଠୁ ଦୁଇ ଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି । ୨୦୪୭ ବିକଶିତ ଭାରତ ଭିଜନରେ ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି । ଏଥିରେ ୧୬ ରାଜ୍ୟର ଖଣିମନ୍ତ୍ରୀ ସାମିଲ ହୋଇଛନ୍ତି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ସାମିଲ ହୋଇଛନ୍ତି । ସମ୍ମିଳନୀକୁ ସମ୍ବୋଧନ କରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ।
ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି କହିଛନ୍ତି, ''ଓଡ଼ିଶା ସମେତ ଛତିଶଗଡ ଓ ଝାଡ଼ଖଣ୍ଡ ଦେଶର ଦୁଇ ତୃତୀୟାଂଶ ଖଣିଜ ସମ୍ପଦ ଯୋଗାଉଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ତିନି ରାଜ୍ୟ ଇନ୍ଧନ ଯୋଗାଇବେ । ଓଡ଼ିଶା ସେଥିରେ ଏକ ପ୍ରମୁଖ ଭୂମିକା ତୁଲାଇବ । ବିକଶିତ ଭାରତ ଲକ୍ଷ୍ୟକୁ କିଭଳି ହାସଲ କରାଯିବ, ସେନେଇ ଆଲୋଚନା କରାଯିବ । ଆମେ ମନେ ରଖିବା ଉଚିତ୍, ପ୍ରାକୃତିକ ସମ୍ପଦ ଚିରସ୍ଥାୟୀ ନୁହେଁ । ତେଣୁ ପରିବେଶକୁ କ୍ଷତି ନପହଞ୍ଚାଇ ଏହାକୁ କିଭଳି ଦୀର୍ଘ ସ୍ଥାୟୀ କରିପାରିବା, ସେ ନେଇ ବାଟ ବାହାର କରିବାକୁ ପଡ଼ିବ । ଏଥିପାଇଁ ଆମକୁ ରପ୍ତାନି ଭିତ୍ତିକ ଖଣି କାର୍ଯ୍ୟକଳାପ ନକରି ଆବଶ୍ୟକତା ଅନୁଯାୟୀ ଖଣି କାର୍ଯ୍ୟକଳାପ ଉପରେ ରାସ୍ତା ବାହାର କରିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନର ଏହା ହାସଲ ହୋଇପାରିବ ଏବଂ ଏକ ମଜବୁତ ବିକଶିତ ଭାରତ ଗଠନ ହୋଇପାରିବ । କେନ୍ଦୁଝର ହେଉଛି ଓଡ଼ିଶାର ଗୌରବ । ମୁଁ ସେହି ଜିଲ୍ଲାରୁ ଆସିଛି, ଯାହାକି ରାଜ୍ୟ ତଥା କେନ୍ଦ୍ରର ପ୍ରଗତିରେ ବଡ ଅବଦାନ ରଖୁଛି । କେବଳ କେନ୍ଦୁଝର ନୁହେଁ, ଓଡ଼ିଶାର ପ୍ରତି କୋଣଅନୁକୋଣ ମୂଲ୍ୟବାନ ଖଣିଜ ସମ୍ପଦରେ ଭରି ରହିଛି । ଓଡ଼ିଶା ବାସ୍ତବରେ ପ୍ରାକୃତିକ ସମ୍ପଦରେ ରତ୍ନଗର୍ଭା।''
ଭାରତୀୟ ଅର୍ଥନୀତିରେ ଆମ ରାଜ୍ୟର ଅବଦାନ ଅତୁଳନୀୟ । ଆମ ଦେଶର ଅଭିବୃଦ୍ଧିରେ ଓଡ଼ିଶା ମଙ୍ଗୁଆଳ ହୋଇଥିବାରୁ ଏହା ଆମ ପାଇଁ ଗୌରବର କଥା । ଓଡ଼ିଶାର ଏକ ଜିଲ୍ଲାରେ ଲିଥିୟମ ଥିବା ଜଣାପଡିଛି । ଏହା ଇ ବ୍ୟାଟେରୀ ଶିଳ୍ପ ପାଇଁ ବାସ୍ତବରେ ଏକ ଖୁସି ଖବର । ଓଡ଼ିଶାରେ କୋଇଲା ସମେତ ପ୍ରାୟ ସବୁ ପ୍ରକାର ଧାତୁର ୫୦ ଭାଗ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜନୈତିକ ଇଚ୍ଛା ଶକ୍ତି ସମେତ ବିଭିନ୍ନ କାରଣରୁ ଓଡ଼ିଶାର ବାସ୍ତବ ସମ୍ଭାବନାକୁ ଆବିଷ୍କାର କରିପାରିନାହାନ୍ତି । ଓଡ଼ିଶାର ଲୋକଙ୍କ ମଙ୍ଗଳ ପାଇଁ ସବୁ କିଛି ବଦଳାଇବାକୁ ଯାଉଛି । ଏକଦା ରାଉରକେଲାରେ କେବଳ ଗୋଟିଏ ଷ୍ଟିଲ ପ୍ଲାଣ୍ଟ ଥିବା ବେଳେ ଏବେ ଓଡ଼ିଆରେ ତିନି ଡଜନରୁ ଷ୍ଟିଲ ପ୍ଲାଣ୍ଟ ହୋଇପାରିଛି । ଯାହାକି ଦେଶର ମୋଟ ଷ୍ଟିଲ ଉତ୍ପାଦନ କ୍ଷମତାର ୨୫ ଭାଗ ସହ ଓଡ଼ିଶାକୁ ଦେଶର ଷ୍ଟିଲ କ୍ୟାପିଟାଲରେ ପରିଣତ କରିଛି । ୭ ମାସ ପୂର୍ବେ ଆମ ସରକାର କ୍ଷମତାକୁ ଆସିବା ପରେ ଆମେ ଏକ ଅନୁକୂଳ ଶିଳ୍ପ ନୀତି ପ୍ରସ୍ତୁତ କରିଛୁ । ଯାହା ଜରିଆରେ ଅନୁମୋଦନ ଓ ବିଭିନ୍ନ ପ୍ରକ୍ରିୟାକୁ ସରଳ କରାଯାଇଛି । ଏହି କାରଣରୁ ୮ଟି ଶିଳ୍ପ ସଂସ୍ଥା ସହିତ ଏମଓୟୁ ସହ ଅନେକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି ବୋଲି ଖଣିମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ବି ପଢନ୍ତୁ...ଓଡିଶା ମାଟି ତଳେ ଲିଥିୟମ ଭଣ୍ଡାର ! ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ସଙ୍କେତ
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ ପୂର୍ବରୁ ଓଡ଼ିଶାର ମୁଖ୍ୟ ଶକ୍ତି ଉତ୍ସ ଥିଲା ତାପଜ ବିଦ୍ୟୁତ। ଯାହାକି ମୋଟ ବିଦ୍ୟୁତ୍ ଉତ୍ପାଦନର ୬୦ ଭାଗ ଥିଲା । ଅକ୍ଷୟ ଶକ୍ତିରୁ ୫୦୦ ଗୀଗା ୱାଟ ବିଦ୍ୟୁତ ଉତ୍ପାଦନ କଥା ମୋଦି କହିବା ପରେ ଲୋକ ହସିଥିଲେ । ଏବେ ଭାରତରେ ୨୦୦ ଗିଗା ୱାଟର ଅକ୍ଷୟ ଶକ୍ତି ଉତ୍ପାଦନ ହେଉଛି । ୨୦୩୦ ସୁଦ୍ଧା ୫୦୦ ଗିଗା ୱାଟ ଅତିକ୍ରମ କରିବ । ଏବେ ଭାରତ ନିଜର ୨୦ ଭାଗ ବିଜୁଳି ସୌର ସକ୍ତିରୁ ଉତ୍ପାଦନ କରୁଛି । ମୋଦିଙ୍କ ନେତୃତ୍ୱରେ ଏଭଳି ବିକାଶ କରୁଛି ଭାରତ । ଆଗାମୀ ଦିନରେ ସବୁଠୁ ବଡ଼ ଜିନିଷ ହେବ ଗ୍ରୀନ ହାଇଡ୍ରୋଜେନ । ଯେଉଁଥିରେ ଓଡ଼ିଶା ଏକ ପ୍ରମୁଖ ଭାଗୀଦାର ହେବ । ତେବେ ଭବିଷ୍ୟତ ପିଢ଼ି ପାଇଁ ବିକାଶ ଓ ପରିବେଶକୁ ଏକାଠି ଆଗକୁ ବଢ଼ାଇବାକୁ ପଡ଼ିବ । ଦୀର୍ଘ ସ୍ଥାୟୀ ଓ ଦାୟିତ୍ୱବୋଧ ଖଣି କାର୍ଯ୍ୟକଳାପ ପାଇଁ ବେଞ୍ଚ ମାର୍କ ସୃଷ୍ଟି କରି ଖଣି ଶିଳ୍ପରେ ବିଶ୍ଵ ନେତୃତ୍ୱ ନେବାର ଲକ୍ଷ୍ୟ ରଖିଛି ଓଡ଼ିଶା । ଆମେ ଖଣିଜ ସମ୍ପଦର ବ୍ୟବହାର କରି, ଟେକ୍ନୋଲୋଜିରେ ପୁଞ୍ଜି ଖଟାଇ ଏବଂ ସାମାଜିକ ଦାୟିତ୍ୱବୋଧ କୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଓଡ଼ିଶାକୁ ବାସ୍ତବରେ ଉତ୍କର୍ଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବାପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସବୁ ରାଜ୍ୟକୁ ନିଜ ଭୂମିକା ତୁଲାଇବାକୁ ପଡ଼ିବ । ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ପଡ଼ିବ ।