କଟକ,୧୯/୦୧: ଶହେରୁ ଅଧିକ ହୋଲ୍ସେଲର୍, ୫ଶହରୁ ଅଧିକ ରିଟେଲର୍ । ଛୋଟ ବଡ଼ ମିଶାଇ ପ୍ରତିଦିନ ୨୦ ହଜାର ବ୍ୟବସାୟୀଙ୍କ ଗହଳି ଚହଳି । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାକୁ ରାସନ୍ ସାମଗ୍ରୀ ଯୋଗାଉଛି କଟକର ସର୍ବବୃହତ୍ ବ୍ୟବସାୟିକ ମଣ୍ଡି ମାଲ୍ଗୋଦାମ୍ । ହେଲେ ସବୁରି ଚାହିଦା ମେଣ୍ଟାଇବାକୁ ଧିରେ ଧିରେ ଛୋଟ ପଡିଯାଉଛି ଏହାର କାୟା । ଜାଗା ଅଣ୍ଟୁନି, ଷ୍ଟକ୍ ନିୟନ୍ତ୍ରଣ କରିବାକୁ ବ୍ୟବସାୟୀ ନାକେଦମ୍ ହେଲେଣି । ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଲଗୋଦାମର ପରିସର ବୃଦ୍ଧି କରିବାର ଆବଶ୍ୟକତା ଏବେ ଅନୁଭୂତ ହେଲାଣି ।
ମାଲଗୋଦାମ ସମ୍ପ୍ରସାରଣ ଓ ନବକଳେବର ନେଇ ବାରମ୍ବାର ଯୋଜନା ହୋଇଥିଲେ ବି ଏବେ ସୁଦ୍ଧା ଏ ଦିଗରେ ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ । କେତେବେଳେ ମାଲଗୋଦାମ ଟାଙ୍ଗୀକୁ ଉଠିଯିବା କଥା ଉଠୁଛି ତ’ ଆଉ କେତେବେଳେ ନିକଟରେ ଥିବା ରେଲୱେ ଜମିରେ ଏହାକୁ ସମ୍ପ୍ରସାରିତ କରିବାକୁ ବ୍ୟବସାୟୀ ଦାବି କରୁଛନ୍ତି । ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ରେଳ ମନ୍ତ୍ରାଳୟ ପର୍ଯ୍ୟନ୍ତ ସବୁଠି ମାଲଗୋଦାମ ସମ୍ପ୍ରସାରଣ ବାବଦରେ ଆଲୋଚନା ଜାରି ରହିଥିବା ବେଳେ ଚୂଡାନ୍ତ ଚିତ୍ର ଏବେ ଯାଏ ସାମ୍ନାକୁ ଆସୁନାହିଁ ।
୧୮୬୬ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିବା ବେଳେ ରେଲୱେ ଏବଂ ରାସ୍ତା ସଂଯୋଗ ଏତେ ଉନ୍ନତ ନଥିବାରୁ ରାଜ୍ୟ ବାହାରୁ ଖାଦ୍ୟସାମଗ୍ରୀ ଆମଦାନୀ କରାଯାଇପାରୁନଥିଲା । ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବ୍ରିଟିଶ୍ ସରକାର ଉପକୂଳ ଓଡ଼ିଶାରେ ରେଲ ଯୋଗଯୋଗ ବ୍ୟବସ୍ଥା କରିଥିଲେ । ୧୮୯୧ ମସିହାରେ ଓଡ଼ିଶାକୁ ରେଳ ସଂଯୋଗ ସ୍ଥାପନ ହୋଇଥିଲା । ଏହାପରେ କଟକରେ ବ୍ୟବସାୟିକ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏହାସହ ମାଲ୍ପତ୍ର ପରିବହନକୁ ନେଇ ତାଳଦଣ୍ଡା କେନାଲ୍ର ପରିକଳ୍ପନା କରାଯାଇଥିଲା । ଦୁର୍ଭିକ୍ଷ ସମୟ ଥିବାରୁ ‘ଫୁଡ୍ ଫର୍ ୱାର୍କ’ ବ୍ୟବସ୍ଥାରେ ତାଳଦଣ୍ଡା କେନାଲ୍ ଖୋଳାଯାଇଥିଲା । କେନାଲ୍କୁ ସଂଯୋଗ କରିବା ଭଳି ମାଲଗୋଦାମ ପରିସରରେ ‘ଡକ୍ୟାର୍ଡ’ ବ୍ୟବସ୍ଥା କରାଯାଇଥିଲା । ବୋଟ୍ ମାଧ୍ୟମରେ ମାଲ୍ପତ୍ର ଡକ୍ୟାର୍ଡ ଦେଇ ମାଲଗୋଦାମରେ ପହଞ୍ଚୁଥିଲା । ଏହିପରି ଭାବେ ମାଲଗୋଦାମ ଗଢ଼ି ଉଠିଥିଲା । ୧୯୫୫, ୧୯୬୨, ୧୯୭୨, ୧୯୮୨ ମସିହାର ଭୟଙ୍କରୀ ବନ୍ୟା ସହ ୧୯୬୭ ଏବଂ ୧୯୯୯ ମସିହା ପ୍ରଳୟଙ୍କରୀ ବାତ୍ୟା ସମୟରେ ମାଲଗୋଦାମ ହିଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇ ସରକାରଙ୍କୁ ବେଶ୍ ସହଯୋଗ ଦେଇଥିଲା ।
ଏବେ ମାଲଗୋଦାମ ପ୍ରାୟ ୩୦ ଏକର ଜମିରେ ପରିବ୍ୟାପ୍ତ । ରେଲୱେ ଠାରୁ ଜମି ଲିଜ୍ ନେଇ ମାଲଗୋଦାମ ବ୍ୟବସାୟୀମାନେ ଏଠାରେ କାରବାର କରୁଛନ୍ତି । କିଛି ବର୍ଷ ତଳୁ ଲିଜ୍ ଅବଧି ବି ପୂରଣ ହୋଇସାରିଛି । ଯାହାଫଳରେ ଜମି ପାଇଁ ପ୍ରତିବର୍ଷ ୭ ପ୍ରତିଶତ ଅତିରିକ୍ତ ଦେୟ ଦାଖଲ କରୁଛନ୍ତି ବ୍ୟବସାୟୀମାନେ । ତେବେ ବିଡ଼ମ୍ବନାଟି ହେଲା, ଓଡ଼ିଶାର ସବୁଠାରୁ ବଡ଼ ରାସନ୍ ମଣ୍ଡି ହୋଇଥିଲେ ବି ଏଠାରେ ବିଶେଷ ସୁବିଧା କି ବ୍ୟବସ୍ଥା ନାହିଁ । ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଶହ ଶହ ସଂଖ୍ୟାରେ ଟ୍ରକ୍ ମାଲ୍ ନେଇ ଆସିଥାଏ । ସାରା ଓଡ଼ିଶାରୁ ଖୁଚୁରା ବ୍ୟବସାୟୀମାନେ ଆସିଥାନ୍ତି । କିନ୍ତୁ ଏଠାରେ ଅତି ସାଧାରଣ ପାର୍କିଂ ବ୍ୟବସ୍ଥା ବି ନାହିଁ । ସେହିପରି ପୁରଣା ଅମଳର ଘର ହୋଇଥିବାରୁ ବର୍ଷା ଦିନରେ ସାମଗ୍ରୀ ଷ୍ଟକ୍ କରିବା ପାଇଁ ବ୍ୟବସାୟୀ ନାକେଦମ୍ ହେଉଛନ୍ତି । ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ବର୍ଷା ଦିନେ ଜଳ ନିଷ୍କାସନ ସମସ୍ୟା ଏଠାରେ ଉତ୍କଟ । ଏନେଇ କଟକ ବଣିକ ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଛତ୍ରବଜାର ଅର୍ବାନ୍ ହାଟ ପ୍ରତିଷ୍ଠା ସମୟରେ ମାଲଗୋଦାମର ନବକଳେବର ପ୍ରସଂଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିନିଧି ମଣ୍ଡଳୀ ଆସି ବ୍ୟବସାୟୀଙ୍କ ସହ ଆଲୋଚନା କରି ଫେରିଥିଲେ । ନିକଟରେ ଥିବା ପ୍ରାୟ ରେଲୱେର ପ୍ରାୟ ୩୦ଏକର ଜମିକୁ ମାଲଗୋଦାମ ସମ୍ପ୍ରସାରଣ ପ୍ରସ୍ତାବ ଦେଇଥିଲେ ବ୍ୟବସାୟୀ । ଏହି ଜମିକୁ ଲିଜ୍ ଆକାରରେ ଯୋଗାଇ ଦେବାକୁ ନିବେଦନ କରାଯାଇଥିଲା । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ବ୍ୟବସାୟୀମାନେ ଏନେଇ ବିଧିବଦ୍ଧ ଭାବେ ଦାବି ଜଣାଇଛନ୍ତି । ରେଲୱେ ତରଫରୁ ଏ ସଂପର୍କିତ ସର୍ଭେ ମଧ୍ୟ କରାଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରାଳୟ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ମାଧ୍ୟମରେ ବ୍ୟବସାୟୀଙ୍କୁ ଜମି ଲିଜ୍ ମାଧ୍ୟମରେ ଦେବାକୁ ବି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏବେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କଟକ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ପ୍ରକାଶ କରିଛନ୍ତି । ଏହା ପରେ ଟାଙ୍ଗୀକୁ ମାଲଗୋଦାମ ଉଠାଇନେବାକୁ ବି ଆଲୋଚନା ହୋଇଥିଲା । କିନ୍ତୁ ମାଲଗୋଦାମର ଖୁଚୁରା ବ୍ୟବସାୟୀମାନେ ଅସନ୍ତୁଷ୍ଟ ହେବାରେ ପ୍ରସ୍ତାବକୁ କାଟ୍ କରାଯାଇଥିଲା । ମାଲଗୋଦାମ ଅନ୍ୟତ୍ର ସ୍ଥାନାନ୍ତର କରିବା ପରିବର୍ତ୍ତେ ବର୍ତ୍ତମାନ ରହିଥିବା ଜାଗାକୁ ସମ୍ପ୍ରସାରିତ କରାଯିବା ଉଚିତ୍ ବୋଲି ସବୁ ମହଲରେ ମତ ପ୍ରକାଶ ପାଉଛି । ରାୟପୁର, ନାଗପୁର ଭଳି ରାସନ୍ ମଣ୍ଡିକୁ ମଡେଲ୍ ଭାବେ ନେଇ ବ୍ୟବସ୍ଥିତ ଢଙ୍ଗରେ ମାଲଗୋଦାମର ପୁନଃନିର୍ମାଣ ପାଇଁ ବ୍ୟବସାୟୀମାନେ ଦାବି କରୁଛନ୍ତି । ଏବେ ସମସ୍ତଙ୍କ ଅପେକ୍ଷା ଏହାକୁ ମଡେଲ୍ ମଣ୍ଡି ରୂପେ ଗଢି ତୋଳିବାକୁ କି ପ୍ରକାରର ବ୍ୟବସ୍ଥା କରାଯାଉଛି ।