ବଲାଙ୍ଗିର,୨୦/୦୧: ମିଲେଟ୍ ବା ମାଣ୍ଡିଆକୁ ପୁଷ୍ଟିକର ଖାଦ୍ୟ ଯୋଜନାରେ ସାମିଲ କରାଗଲା । ସେଥିପାଇଁ ମିଲେଟ ଚାଷକୁ ପ୍ରୋତ୍ସାହନ ବି ଦିଆଗଲା । ଏହାକୁ ବିକଳ୍ପ ଖାଦ୍ୟ ଭାବରେ ପରିଚୟ ଦେବା ସହ ଗ୍ରାମାଞ୍ଚଳରେ ହେଉଥିବା ମିଲେଟ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଲେ । ହେଲେ ବଲାଙ୍ଗିର ଜିଲ୍ଲାରେ ମିଲେଟ୍ ଯୋଜନାକୁ ବିଶ୍ୱସ୍ତରୀୟ କରିବାର ସଂକଳ୍ପ ଭିତରେ ସରକାରୀ ଯୋଜନାରୁ ହରିଲୁଟ୍ କରିବାର ସାଂଘାତିକ ଷଡ଼ଯନ୍ତ୍ର କରାଯାଇଛି । କାଗଜକଲମରେ ଚାଷ ହୋଇଛି । ବିପଣନ ବି ହୋଇଛି । ମିଲେଟ୍ ଚାଷୀ ସରକାରୀ ସହାୟତା ଉଠାଇଛନ୍ତି । ହେଲେ ବାସ୍ତବରେ ଦେଖିଲା ବେଳକୁ ମିଲେଟ୍ର ନାଁ ଗନ୍ଧ ନାହିଁ । ଉଦ୍ବେଗର ବିଷୟ, ମିଲେଟ ଯୋଜନାର ହିତାଧିକାରୀ ଚାଷୀଙ୍କ ଜମିରେ ସିଲେଟ ବା ସିରେଲ (ଅନାବନା ସ୍ଥାନରେ ଉଠୁଥିବା ଏକ ତୃଣ, ଯାହାକୁ ଗ୍ରାମାଞ୍ଚଳରେ ଲୋକେ ଶାଗ ଭାବେ ଖାଇଥାଆନ୍ତି) ଦେଖିବାକୁ ମିଳିଛି । କେତେକ ସ୍ଥାନରେ କପା ଜମିକୁ ମଧ୍ୟ ମିଲେଟ୍ ଚାଷ ଜମି ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଚାଷ ନ କରି ମଧ୍ୟ ତାଲିକାରେ ହିତାଧିକାରୀ ଭାବରେ ସେମାନଙ୍କୁ ଯୋଡ଼ାଯାଇଥିବା ଅଭିଯୋଗ ହୋଇଛି ।
ଏଭଳି କେତେକ ଚଞ୍ଚକତା ସମ୍ପର୍କରେ ସୂଚନାକର୍ମୀ ସୁରଥ ପଟେଲଙ୍କ ଆର୍ଟିଆଇରୁ ସୂଚନା ମିଳିବା ପରେ ‘ପ୍ରମେୟ’ ଟିମ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା । ପ୍ରଥମେ ବେଲପଡା ବ୍ଲକରେ ଯୋଜନାର ଉପଯୋଗିତା କେତେ ସତ କେତେ ମିଛ ତାହାର ଯାଞ୍ଚ କରାଯାଇଥିଲା । ସମ୍ପୂର୍ଣ୍ଣ ବ୍ଲକରେ ୧୧୫୧ଜଣ ହିତାଧିକାରୀ ମିଲେଟ୍ ଚାଷ କରିଥିବା ବିଭାଗ କହିଛି । ତେଣୁ ବ୍ଲକର ମଣ୍ଡଳ ଗାଁରେ ବିଭାଗୀୟ ତଥ୍ୟ ସହ ବାସ୍ତବତାର ମେଳ କରାଯାଇଥିଲା । ତାଲିକା ଅନୁଯାୟୀ ଆମେ ପ୍ରଥମେ ହିତାଧିକାରୀ ତାଲିକାର ୧୦୫୪ ନମ୍ବରରେ ଥିବା ଜୟନ୍ତୀ ସେଠଙ୍କ ପାଖକୁ ଯାଇ ଭେଟିବା ସହ ମାଣ୍ଡିଆ ଚାଷ ସମ୍ପର୍କରେ ପଚାରିଥିଲୁ । ହେଲେ ସେ କୌଣସି ଚାଷ କରିନାହାନ୍ତି ବୋଲି ସିଧାସିଧା କହିଥିଲେ । କିନ୍ତୁ ବିଭାଗ ପକ୍ଷରୁ ଦାଖଲ ରିପୋର୍ଟରେ ସେ ପ୍ରାୟ ୧ ଏକର ଜମିରେ ଚାଷ କରିଥିବା ସହ ତାଙ୍କ ସ୍ୱାମୀ ଦୁଃଖନାଶନ ସେଠ ବୋଲି ଉଲ୍ଲେଖ ରହିଛି । ଏଥିସହ ତାଙ୍କ ନାଁରେ ଏକ ଆଧାର କାର୍ଡ ଏବଂ ୟୁଜିବିର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି । ଯାହାକୁ ଦେଖି ହିତାଧିକାରୀ ଶ୍ରୀମତୀ ସେଠ ସବୁ ତଥ୍ୟ ମିଛ ଅଟେ । ତାଙ୍କ ନାଁରେ ଅନ୍ୟ କେହି ସହୟତା ରାଶି ହଡ଼ପ ପାଇଁ ଉଦ୍ୟମ କରିଥିବା କହିଛନ୍ତି । ଏପରିକି ତାଙ୍କ ଜମି ଏଥର ପଡ଼ିଆ ପଡ଼ିଥିବା ସେ କହିଥିଲେ । ପରେ ତାଙ୍କ ଜମିକୁ ଯାଇ ଦେଖିବାରୁ ସେଠାରେ ସିଲେର ବା ସିଲେଟ ଗଛ ଉଠିଥିବା ଦେଖିବାକୁ ମିଳିଥିଲା । ତେଣୁ ହିତାଧିକାରୀଙ୍କ ନାଁରେ ମିଲେଟ ସହାୟତା ରାଶି ହଡ଼ପ ପାଇଁ ଷଡ଼ଯନ୍ତ୍ର ହୋଇଥିବା ସ୍ପଷ୍ଟ ହୋଇଥିଲା ।
ସେହିପରି ମଣ୍ଡଳ ଗାଁ ନାଁରେ ଉଠିଥିବା ପ୍ରାୟ ହିତାଧିକାରୀଙ୍କ ଚିହ୍ନବର୍ଣ୍ଣ ନଥିବା ବେଳେ ଅନ୍ୟ ଗାଁର ଲୋକଙ୍କୁ ସେଠି ହିତାଧିକାରୀ ଭାବରେ ଉଲ୍ଲେଖ କରାଯାଇଛି । ତେବେ ଏହା କେବଳ ଉଦାହରଣ ମାତ୍ର । ସମୁଦାୟ ୭ଟି ବ୍ଲକରୁ ଏଭଳି ଅନେକ ଚଞ୍ଚକତାର ଅଭିଯୋଗ ଏବେ ସାମ୍ନାକୁ ଆସୁଛି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀଙ୍କୁ ପଚାରିବାରୁ ଏଭଳି ହେବା ନିହାତି ଭାବରେ ସାଂଘାତିକ । ଯଦି କୌଣସି ବି ସ୍ଥାନରେ ବେଆଇନ କାର୍ଯ୍ୟ କରାଯାଇଛି, ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜିଲ୍ଲାର ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ମୁରିବାହାଲ ଏବଂ ତୁରେକେଲାରେ ମାଣ୍ଡିଆ ଚାଷ ହୋଇଥିଲା । ୭ଟି ବ୍ଲକରେ ସମୁଦାୟ ୭୬୫୫ ହେକ୍ଟରର ଚାଷଜମିରୁ ୫୬୭୭ ହେକ୍ଟର ଜମିରେ ମାଣ୍ଡିଆ କରାଯାଇଥିଲା । ସେଥିରୁ ହେକ୍ଟର ପ୍ରତି ୮ କ୍ୱିଣ୍ଟାଲ ଆଧାରରେ ୪୫ହଜାର ୪୨୨ କ୍ୱିଣ୍ଟାଲ ମାଣ୍ଡିଆ ଅମଳ ହୋଇଥିବା ବେଳେ ୩୫ହଜାର ୭୬୮ କ୍ୱିଣ୍ଟାଲ ବିକ୍ରି କରିବାକୁ ଟାର୍ଗେଟ ନିଆଯାଇଛି । ଅମଳ ମାଣ୍ଡିଆକୁ ପ୍ରତି ବ୍ଲକରେ ୩ଟି ଲେଖାଏ ମଣ୍ଡି ଅନୁଯାୟୀ ସମୁଦାୟ ୨୧ଟି ମଣ୍ଡିରେ କିଣାଯାଉଛି । ଯାହାର କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୪୨ଶହରୁ ୪୫ଶହ ଟଙ୍କା ରହିଛି । ହେଲେ ଏଥିରେ ମଧ୍ୟ କାଗଜଚାଷ ହୋଇଥିବା ଅଭିଯୋଗ ଉଠିଛି ।