ଭୁବନେଶ୍ବର, ୨୦।୧ : ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କ ସର୍ବନିମ୍ନ ବୟସ ୬ ବର୍ଷ ହୋଇଥିବା ଆବଶ୍ୟକ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷରୁ ଅଧିକ ହୋଇଥିଲେ ପିଲାଙ୍କ ଆଡମିଶନ ହୋଇପାରିବ।
ସେହିପରି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଏକ ଶିଶୁବାଟିକା’ ଖୋଲାଯିବ । ୫ରୁ ୬ ବର୍ଷ ମଧ୍ୟରେ ଥିବା ଶିଶୁମାନେ ଏଠାରେ ନାମ ଲେଖାଇପାରିବେ । ସେମାନଙ୍କୁ ପ୍ରି-ସ୍କୁଲ ଶିକ୍ଷା ବା ପ୍ରାକ-ସ୍କୁଲ ଶିକ୍ଷା ପ୍ରଦାନ କରାଯିବ । ସେମାନେ ୬ ବର୍ଷରେ ପହଞ୍ଚିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଏହି ନିୟମ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ ହେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଶିକ୍ଷା ବର୍ଷରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜାତୀୟ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟରେ ପୁରୁଣା ୧୦+୨ ପାଠ୍ୟ ଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଲାଗୁ କରାଯିବ। ଏହା ଅନୁଯାୟୀ ବୟସ ଯଥାକ୍ରମେ ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ରଖାଯାଇଛି। ପ୍ରାକ୍ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ବ୍ୟାପକ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ଵାରୋପ କରାଯାଇଛି।