ମାଲକାନଗିରି, ୨୦/୧ (ଆପ୍ର) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏବେ ଚମକୁଛନ୍ତି ଆନ୍ତର୍ଜାତୀୟ ଇଂରାଜୀ ପତ୍ରିକା ଫେମିନାରେ । ରାଷ୍ଟ୍ରପତି ଓ ନାମୀ ଦାମୀ ସେଲିବ୍ରେଟିଙ୍କ ସହିତ ଆନ୍ତର୍ଜାତୀୟ ଫେମିନା ମାଗାଜିନରେ ସ୍ଥାନ ପାଇ ରାଜ୍ୟ ଓ ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛନ୍ତି ଆଦିବାସୀ ଝିଅ ଜୟନ୍ତୀ।
ଫେମିନାର ଫେବ୍-୬୫ ତାଲିକାରେ ସ୍ଥାନ ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ ଫେମିନାର ଡିସେମ୍ବର ସଂଖ୍ୟାରେ ପ୍ରକାଶ ପାଇଛି। ଜଙ୍ଗଲରାଣୀ ଓ ବଡ଼ିଦିଦି ଭାବେ ପରିଚିତ ଜୟନ୍ତୀଙ୍କୁ ଏହି ଉପଲବ୍ଧି ନିମନ୍ତେ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି। ଫେମିନା ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ଦେଶର ଅନେକ ମହିଳା ସ୍ଥାନ ପାଇଛନ୍ତି।ତାଲିକାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସିନେ ଅଭିନେତ୍ରୀ ଆଲିଆ ଭଟ୍ଟ, ନିତା ଅମ୍ବାନୀ, କିରଣ ରାଓ ଙ୍କ ପରି ଅନେକ ନାମୀଦାମୀ ମହିଳା ରହିଛନ୍ତି।
ଗତ ବର୍ଷ ଜୟନ୍ତୀ ପ୍ରତିଷ୍ଠିତ ଫୋର୍ବସ୍ ଇଣ୍ଡିଆ ମାଗାଜିନରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ସେ ଏଫ୍ଡବ୍ଲୁଏମ୍ଆଇ, ୱିମେନ୍ ଆଣ୍ଡ୍ ନେଟଵର୍କରେ ଫିଲୋସିପ୍ ଗ୍ରହଣ କରିଥିଲେ। ଏହାପରେ ଜଙ୍ଗଲରାଣୀ ଭଳି ଅଭିଯାନ ଆରମ୍ଭ କରି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ପରମ୍ପରା, ସଂସ୍କୃତି ଲୋକଲୋଚନକୁ ଆଣିଥିଲେ।
ଆଦିବାସୀ ଝିଅଙ୍କୁ ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦେବା ସହ ଦେଶ ଓ ଦୁନିଆର ପ୍ରତି ଖବର ଯେପରି ସେମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ବଡ଼ିଦିଦି ସଂଗଠନ ଗଢ଼ି ୬ବର୍ଷରୁ ଅଧିକ ହେଲା ଆଦିବାସୀ କିଶୋରୀ, ଯୁବତୀ ଏବଂ ମହିଳାଙ୍କୁ ଋତୁସ୍ରାବ ବିଷୟରେ ସଚେତନ କରୁଛନ୍ତି। ୨୦ଜଣ ଶିକ୍ଷିତ ଆଦିବାସୀ ଯୁବତୀ ବଡ଼ିଦିଦି ସଂଗଠନ ପାଇଁ ବର୍ତ୍ତମାନ କାମ କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସାନିଟାରିରେ ପ୍ୟାଡ୍ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରଦାନ କରୁଛନ୍ତି। କିଛି ସ୍ଥାନରେ ପ୍ୟାଡ୍ ବ୍ୟାଙ୍କ ମଧ୍ୟ ନିଜସ୍ବ ଉଦ୍ୟମରେ ତିଆରି କରିଛନ୍ତି। ଆଗକୁ ଆହୁରି ଅନେକ କାମ କରିବାକୁ ବାକି ରହିଛି, ନିଜ ଜୀବନ କୁ ସମାଜ ସେବା କ୍ଷେତ୍ର ରେ ସମର୍ପି ଦେବେ ବୋଲି ଜୟନ୍ତୀ କହିଛନ୍ତି।