ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ

Published By : Prameya | January 20, 2025 8:57 AM

ଭୁବନେଶ୍ୱର,୨୦/୦୧: ଠକେଇ  ଅଭିଯୋଗରେ ଗିରଫ ହୋଇଥିବା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ଓରଫ ହଂସିକାଙ୍କ ମାମଲା  ଦିନକୁ ଦିନ ନୂଆ ମୋଡ଼ ନେଉଛି । ୫୦ କୋଟି  ଡିଲ୍‌କୁ ନେଇ ହୋଇଥିବା ବିବାଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି । ଏନେଇ ଇଡିର ଅଧିକାରୀମାନେ  ଆୟକର ବିଭାଗ ସହ ଯୋଗାଯୋଗ କରିଛନ୍ତି ।  ଟଙ୍କା କେଉଁଠୁ ଆସିଥିଲା ? କିଏ ଦେଇଥିଲା ? କାହାକୁ ଦେଇଥିଲା । କେଉଁ ମାଧ୍ୟମରେ ଦେଇଥିଲା ଇଡି ଏହାର ଖୋଳତାଡ଼ କରିବ । 

ଗତ ୨୮ ତାରିଖରେ ଗିରଫ ହୋଇଥିଲେ  ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତି ।  ବିଏନ୍‌ଏସ୍‌ ୩୨୯ (ଗୃହରେ ଅନଧିକାର ପ୍ରବେଶ), ୩୧୮ (ପ୍ରବଞ୍ଚନା) ଓ ୩୧୯  (ଛଦ୍ମବେଶ ଧାରଣ କରି ପ୍ରବଞ୍ଚନା) । ଏ ସବୁ  ଦଫାରେ ସଜା ୭ ବର୍ଷକୁ କମ୍‌ ଥିବାରୁ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ନୋଟିସ୍‌ ଦେଇ ଛାଡ଼ି ପାରିବ । ହେଲେ ଇନ୍‌ଫୋସିଟି ଥାନା ପୁଲିସ୍‌ ସେମାନଙ୍କୁ ଜେଲ୍‌ ପଠାଇଥିଲା । ପରେ ଉକ୍ତ ମାମଲାର ତଦନ୍ତ  ଭାର ନେଇଥିଲା ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ । ସେ  ସମୟରେ ଜଣା ପଡ଼ିଥିଲା ଜଣେ ଶିକ୍ଷାନୁଷ୍ଠାନ  ମାଲିକଙ୍କ ସହ କୋଟି କୋଟି ଟଙ୍କାର ଡିଲ୍‌  ବିବାଦରୁ ଏ ସବୁ କାଣ୍ଡ ଘଟିଛି ।  

ଶିକ୍ଷାନୁଷ୍ଠାନ ମାଲିକଙ୍କୁ ୫୦ କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ ହଂସିକା । ସେଥିପାଇଁ  ହଂସିକାକୁ ୨୦% କମିଶନ ଦେବେ ବୋଲି କହିଥିଲେ ଶିକ୍ଷାନୁଷ୍ଠାନ ମାଲିକ । ହଂସିକା ଏଥିରେ ସଫଳ ହୋଇଥିଲେ । ୫୦ କୋଟି ଟଙ୍କାର କଳାଧନକୁ ବିଭିନ୍ନ ଏନ୍‌ଜିଓ ସଂସ୍ଥା ଜରିଆରେ ଧରାଧରି କରି  ଶିକ୍ଷାନୁଷ୍ଠାନ ମାଲିକକକୁ ଟଙ୍କା କରାଇ ଦେଇଥିଲେ  ହଂସିକା । ହେଲେ ଶିକ୍ଷାନୁଷ୍ଠାନ ମାଲିକ ହଂସିକାଙ୍କୁ କମିଶନ ଦେଇ ନଥିଲେ । ଫଳରେ ହଂସିକାଙ୍କ  ସହ ଏହି ବିବାଦ ଦେଖା ଦେଇଥିଲା । ସ୍ପେଶାଲ୍‌  କ୍ରାଇମ୍‌ ୟୁନିଟ୍‌ର ତଦନ୍ତ ପରେ ଆୟକର ବିଭାଗ ମଧ୍ୟ ଏହି ୫୦ କୋଟିର କାରବାର ବିଷୟରେ  ଜାଣିବାକୁ ପାଇଥିଲା । ଏବେ ଏ ସବୁ ଯାଞ୍ଚ  ଇଡି ଆରମ୍ଭ କରିଛି । ଏହି କୋଟି କୋଟି ଟଙ୍କା ଡୋନେସନ୍‌ ପଛରେ ଶିକ୍ଷାନୁଷ୍ଠାନମାଲିକଙ୍କ କେଉଁ  ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ତନାଘନା  ଆରମ୍ଭ କରି ଦେଇଛି ଇଡି । ଏଥିରେ କିଛି ନେତାଙ୍କ ଲିଙ୍କ୍‌ ରହିଛି ବୋଲି ଜଣାପଡ଼ିଛି । ଖୁବ୍‌ଶୀଘ୍ର  ଇଡି ସେମାନଙ୍କୁ ନୋଟିସ୍‌ କରି ଜେରା କରିବ ।  

ଅନ୍ୟପକ୍ଷରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ  ଅଭିଯୋଗ ପରେ ଇନ୍‌ଫୋସିଟି ଥାନାରେ ପୁଣି  ଏକ ମାମଲା ରୁଜୁ ହୋଇଛି । ଏତଲା ଦେଇଥିଲେ  ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଇନ୍ସପେକ୍ଟର ତଥା  ତଦନ୍ତକାରୀ ଅଧିକାରୀ ଏମ୍‌.କେ ଦାସ । ସେ  ଏତଲାରେ ଦର୍ଶାଇଛନ୍ତି, ହଂସିକା ଦେଶ-ବିଦେଶରୁ  ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼  ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିଲେ । ସେ  ସବୁ ଯୁବତୀଙ୍କ ଜରିଆରେ ଅନ୍ତରଙ୍ଗ ସମୟର  ଫଟୋ ସଂଗ୍ରହ କରୁଥିଲେ ହଂସିକା । ତା’ପରେ  ସେ ଫଟୋ ଜରିଆରେ ବ୍ଲାକ୍‌ ମେଲିଂ କରି କୋଟି  କୋଟି ଟଙ୍କା ରୋଜଗାର କରୁଥିଲେ । ଏସବୁ ତଥ୍ୟ  ହଂସିକାଙ୍କ ମୋବାଇଲ୍‌ରୁ ମିଳିବା ପରେ ଥାନାରେ  ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି  ହଂସିକାଙ୍କ ବିରୋଧରେ ଆଇପିସି ଦଫା ୧୨୦ ବି  (ଅପରାଧିକ ଷଡଯନ୍ତ୍ର), ଇମୋରାଲ୍‌ ଟ୍ରାଫିକିଂ  (ପ୍ରିଭେନ୍‌ସନ୍‌) ଆକ୍ଟ-୫ ଲଗାଇଛି । 

ତା’ଛଡ଼ା ନକଲି କାଗଜ ପତ୍ର ଦେଇ ପାସ୍‌ପୋର୍ଟ ହାତେଇଥିଲେ ହଂସିକା । ଏ କଥା ସ୍ପେଶାଲ୍‌ କ୍ରାଇମ୍‌  ୟୁନିଟ୍‌ ଜାଣିବା ପରେ ଇନ୍‌ଫୋସିଟି ଥାନାରେ  ଦୁଇ ଦିନ ତଳେ ଏତଲା ଦେଇଥିଲେ । ଏନେଇ  ଇନ୍‌ଫୋସିଟି ଥାନା ୧୧/୨୦୨୫ରେ ଏକ ମାମଲା ରୁଜୁ  କରିବା ସହ ଆଇପିସି ଦଫା ୪୧୭, ୪୧୯, ୪୨୦,  ୪୬୮, ୪୭୧, ୧୨ ପାସ୍‌ପୋର୍ଟ ଆକ୍ଟରେ ଲାଗାଇ  ତଦନ୍ତ କରୁଛି । ଏହାରି ଭିତରେ ଇନ୍‌ଫୋସିଟି  ଥାନାର ପୂର୍ବତନ ଆଇଆଇସିଙ୍କ ପାଇଁ ଅଡୁଆ  ବଢ଼ିଛି । କାରଣ ୨୦୦୮ ମସିହାରେ ଉତ୍ତରପ୍ରଦେଶ  ଗ୍ୟାଙ୍ଗ୍‌ ଷ୍ଟାର ବ୍ରିଜେସ୍‌ ସିଂହଙ୍କୁ କମିଶନରେଟ୍‌ ପୁଲିସ୍‌  ଗିରଫ କରିଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା  ସେ ଓଡ଼ିଶାରୁ ପାସ୍‌ପୋର୍ଟ ହାତେଇଛି । ତା’ପୁଣି ନକଲି କାଗଜ ପତ୍ର ମାଧ୍ୟମରେ । ପାସ୍‌ପୋର୍ଟ  ନୟାପଲ୍ଲୀ ଥାନା ପୁଲିସ୍‌ ଯାଞ୍ଚ କରିଥିଲା । ସେଥିପାଇଁ  ସେତେବେଳେ ନୟାପଲ୍ଳୀ ଥାନା ଅଧିକାରୀଙ୍କୁ  ନିଲମ୍ବିତ କରାଯାଇଥିଲା । ଏବେ ହଂସିକାଙ୍କ କ୍ଷେତ୍ରରେ  ସମାନ ଘଟଣା ଘଟିଛି । ପୁଲିସ୍‌ର ଅବହେଳା  ପାଇଁ ସେ ନକଲି କାଗଜ ପତ୍ରରେ ପାସ୍‌ପୋର୍ଟ  ହାତେଇ ବିଦେଶ ବୁଲିବାକୁ ଯାଇଥିଲେ । ସେ  ଯେଉଁ ମସିହାରେ ପାସ୍‌ପୋର୍ଟ ପାଇଥିଲେ  ସେତେବେଳେ ଇନ୍‌ଫୋସିଟି ଥାନା ଦାୟିତ୍ୱରେ  ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ପୁଲିସ୍‌ କମିଶନର ଏସ୍‌. ଦେବ  ଦତ୍ତ ସିଂହ ସୂଚନା ଦେଇଛନ୍ତି ।  

ହଂସିକାଙ୍କ ମୋବାଇଲ୍‌ ଫୋନ୍‌ରୁ ପୁଲିସ୍‌  ଯେଉଁ ସବୁ ତଥ୍ୟ ପାଇଥିଲା ସେ ଆଧାରରେ  ଆଉ ଏକ ଏତଲା ଦିଆଯାଇଛି । ଏହାରି  ଭିତରେ ଉପକୂଳ ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତି ତଥା  ସାନବାବୁ ନାଁରେ ପରିଚିତ ଜଣେ ନେତା ସହ  ହଂସିକାଙ୍କ ଲିଙ୍କ୍‌ ମିଳିଛି । ୨୦୨୩ ଶେଷ ଆଡ଼କୁ ହଂସିକାଙ୍କ ସହ ସାନବାବୁ ସିଙ୍ଗାପୁର ଯାଇଥିଲେ ।  ତା’ପୁଣି ଏକ ବ୍ୟବସାୟିକ ଡିଲ୍‌ରେ । ହେଲେ  ସିଙ୍ଗାପୁରରେ କି ଡିଲ୍‌ ହେଲା, ତାହା କେବଳ  ସାନବାବୁ ଓ ହଂସିକାଙ୍କୁ ଜଣାଥିବ । ଏ ସବୁର  ଗୁମର ଖୋଲିବା ପାଇଁ ପୁଲିସ୍‌ ତାଙ୍କୁ ଦ୍ୱିତୀୟ  ପର୍ଯ୍ୟାୟ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.