ନୂଆଦିଲ୍ଲୀ: ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଥିବା ଏକ ହ୍ରଦରୁ ୩ ଜଣ ୧୭ ବର୍ଷିୟ ବାଳକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ହେଉଛନ୍ତି ବିଶ୍ୱ, ଛତ୍ରିୟନ ଓ ଭରତ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ଉଦ୍ଧାର ହୋଇଥିବା ମୃତଦେହ ଗୁଡିକରେ ଗଭୀର କ୍ଷତ ସହ ତାଙ୍କ ଦେହରେ ପୋଡା ଚିହ୍ନ ରହିଥିବା ଦେଖିବାକୁ ମିଳିଛି।
ଗୁରୁବାର ପୋଲିସକୁ ଉକ୍ତ ହ୍ରଦରେ ତିନୋଟି ମୃତଦେହ ଭାସୁଥିବା ନେଇ ସୂଚନା ମିଲିଥିଲା। ଏହି ସୂଚନା ଆଧାରରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପାଣି ଭିତରୁ ମୃତଦେହଗୁଡିକୁ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା।
ସମସ୍ତ ମୃତକ ମାନେ ୱଲଜାବାଦରେ ଥିବା ଏକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଷ୍ଟମର୍ଟମ ପାଇଁ ସେମାନଙ୍କ ମୃତଦେହ ଗୁଡିକୁ ଛେଙ୍ଗଲାପଟ୍ଟୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର କାରଣ ସହ ମୃତ୍ୟୁର ସମୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।
ମୃତ ଦେହ ମିଳିବା ମାମଲାରେ ପୋଲିସ ଜଣକୁ ଅଟକ ରଖି ଘଟଣାର ଛାନଭିନ କରୁଛି। ତେବେ ଆମେ ଏହି ମୃତ୍ୟୁ ପଛର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛୁ ବୋଲି ଜଣେ ପୋଲିସ ଅଧିକାରି ସୂଚନା ପ୍ରଦାନ କରିଛନ୍ତି।