ଭୁବନେଶ୍ୱର,୧୭/୦୧: ଦିନ ଗଡ଼ି ଚାଲିଛି, ହେଲେ କେଁ ତୁଟୁନି । କାହା ମୁଣ୍ଡରେ ସୁନା କଳସ ଢାଳିବେ? କିଏ ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ? ନିଗମ ଓ ବୋର୍ଡଗୁଡ଼ିକରେ ମୁଖିଆ ଭାବେ ପୁରୁଖା ନା ପ୍ରବୀଣଙ୍କୁ ନିଯୁକ୍ତି ମିଳିବ । ଏଯାଏ ବିଜେପି ଅଙ୍କ କଷିପାରୁନି । ଏପଟେ ୬ ମନ୍ତ୍ରୀ ପଦ ଖାଲିଥିବାରୁ ବହୁ ବିଧାୟକଙ୍କ ଆଖି ମଧ୍ୟ ରହିଛି । କେଉଁ ଫର୍ମୁଲାରେ ମନ୍ତ୍ରୀ ପଦ ପୂରଣ ହେବ ତାହା ମଧ୍ୟ ଚୂଡ଼ାନ୍ତ ହୋଇନି । ଚାତକ ଭଳି ଅପେକ୍ଷା କରି କରି ଆଶାୟୀ ଛଟପଟ ହେଲେଣି ।
ନିଜ ଦମ୍ରେ ୨୪ ବର୍ଷର ବିଜେଡି ସରକାରକୁ ହଟେଇ ବିଜେପି କ୍ଷମତାକୁ ଆସିଲା । ଦଳ ପାଇଁ ଦୀର୍ଘ ବର୍ଷ ହେବ ପରିଶ୍ରମ କରିଥିବା ନେତାମାନେ ନିଶ୍ଚୟ ପୁରସ୍କୃତ ହେବେ । ଦଳ ସେମାନଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରିବ ଏମିତି ଆଶା ବାନ୍ଧିଲେ କିଛି ନେତା । ମାତ୍ର ଛାମୁ ଯାହା ଦେଲେ ହରଷେ...ପାଉ ପାଉ ଗଲା ବରଷେ ନ୍ୟାୟରେ ଏଯାଏ ନିଗମ ଲଡ଼ୁ ମିଳିନି । ଓଡ଼ିଶା ସରକାରଙ୍କର ନିଗମ ଓ ବୋର୍ଡ ସଂଖ୍ୟା ପ୍ରାୟ ୩୭ । ସରକାର ବଦଳିବା ପରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ସହ ଉପଦେଷ୍ଟାମାନେ ପଦ ଛାଡ଼ିଛନ୍ତି । ତେଣୁ ଏହି ପଦରେ ଦଳୀୟ ନେତାଙ୍କୁ ଥଇଥାନ କରିବାକୁ ଦଳ ଓ ସରକାର ମଧ୍ୟ ବିଚାର ବିମର୍ଶ କରିଥିଲେ । ମାତ୍ର ଦଳର ହାଇକମାଣ୍ଡ ଏହାକୁ ଅନୁମୋଦନ କରିନାହାନ୍ତି । ନୂଆବର୍ଷ କିମ୍ବା ମକର ବେଳକୁ ଏ ନିଯୁକ୍ତିର ଆଶା ଥିଲା । ଆଶା କିନ୍ତୁ ଶୂନ୍ୟ ଫୋଟକା ପରି ମିଳେଇଗଲା ।
ନୂଆ ସରକାରକୁ ୭ ମାସ ପୂରିଲାଣି । ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଲବିରେ ଥିବା ବିଜେପି ନେତାମାନେ ଅଥୟ ହେଲେଣି । କାହିଁକି ନିଗମ ଓ ବୋର୍ଡରେ ନିଯୁକ୍ତିକୁ କେନ୍ଦ୍ରୀୟ ହାଇକମାଣ୍ଡ ଅନୁମୋଦନ କରୁନାହାନ୍ତି ତା’ର ଜବାବ କାହା ପାଖରେ ନାହିଁ । ନିକଟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ରାଜ୍ୟ କୋର୍ କମିଟି ଏ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି । ବିଜେପି ଜିଲ୍ଲା ଓ ରାଜ୍ୟ ସଭାପତି ଚୟନ ପରେ ନିଗମ ଓ ବୋର୍ଡ ତାଲିକାରେ ମୋହର ବାଜିବାର ସମ୍ଭାବନା ଅଛି ।
ମନ୍ତ୍ରିମଣ୍ଡଳରେ ମଧ୍ୟ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଏଥିପାଇଁ ମଧ୍ୟ ଯୋଗ୍ୟ ଚେହେରା ଖୋଜା ଚାଲିଛି । ବହୁ ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିଲା ବେଳେ ମନ୍ତ୍ରୀ ଲଡ଼ୁ ଖାଇବାକୁ ବହୁ ବିଧାୟକ ଟାକି ବସିଛନ୍ତି । ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି । ନୂଆଦିଲ୍ଲୀ ସୂତ୍ର କହୁଛି, ବିଧାନସଭାର ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ୪ଟି ମନ୍ତ୍ରୀପଦ ପୂରଣ ନେଇ ଚାଲିଛି ବିଚାରବିମର୍ଶ । ଏହାକୁ କାଳେ ବିଜେପି ହାଇକମାଣ୍ଡ ‘ହଁ’ ମାରିଛନ୍ତି । ମାତ୍ର କେଉଁ ମାପଦଣ୍ଡରେ ଖାଲି ପଦବି ପୂରଣ ହେବ ତାହା ଏବେ ତଣ୍ଟିରେ କଣ୍ଟା । ଆଶାୟୀ ଅଧିକ, ପଦ କମ୍ । ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ, ଆପିକଲ, ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ, ପର୍ଯ୍ୟଟନ ନିଗମ, ଚଳଚ୍ଚିତ୍ର ନିଗମ ସହ ନିର୍ମାଣ ଶ୍ରମିକ ଓ ଖଦି ବୋର୍ଡ ଭଳି ପ୍ରାୟ ଦୁଇ ଡଜନରୁ ଅଧିକ ପ୍ରମୁଖ ସଂସ୍ଥାରେ କିଏ ହେବ ମୁଖିଆ? ଏହାକୁ ନେଇ ବିଜେପିର ନେତାମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଧାଁ ଦୌଡ଼ । ହେଲେ କାହିଁକି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନି? ଏହାର ଉତ୍ତର ଦେବାକୁ ଦଳରେ ତଳୁ ଉପର ଯାଏ ଥତମତ ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ରାଜ୍ୟରେ ଏହି ପଦରେ କିଛି ବର୍ଷ ହେବ କାହାକୁ ନିଯୁକ୍ତି ମିଳିନି । ବୋର୍ଡ ଏବେ ଏକରକମ ଅଚଳ । ମହିଳା କମିଶନ ଅଧ୍ୟକ୍ଷା ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରେ ବସିବାକୁ ବହୁ ମହିଳା ନେତ୍ରୀ କଳ, ବଳ ଓ କୌଶଳ ଲଗାଇଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ହେଉଛି ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା । ଏ ପରିଷଦରେ ଜଣେ ଅଧ୍ୟକ୍ଷ ଓ ଏକାଧିକ ସଦସ୍ୟ ନିଯୁକ୍ତି ପାଇବେ । ଏହାକୁ ଦୃଷ୍ଟିରେ ରଖି ବିଜେପିର ବହୁ ଓଜନିଆ ନେତା ରେସ୍ରେ ଦୌଡ଼ି ଥକି ଗଲେଣି । ଫଳ କିନ୍ତୁ ବାହାରୁନି ।
ବିଜେଡି ସରକାର ୧୪ ଜିଲ୍ଲାରେ ଗଠନ କରିଥିଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ଏହି ପରିଷଦର ପରାମର୍ଶଦାତା ଭାବେ ବିଜେପି ସରକାର ଦଳର ଆଦିବାସୀ ନେତାମାନଙ୍କୁ ଏହାର ପରାମର୍ଶଦାତା ସହ ସଦସ୍ୟଭାବେ ଥଇଥାନ କରିପାରେ । ବହୁ ଜନଜାତି ନେତା ନିଜ ସଂପର୍କକୁ ଆଧାର କରି ଲବିକୁ ତେଜୀୟାନ୍ କରିଛନ୍ତି । ବିଭିନ୍ନ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ମଧ୍ୟ ନୂଆ ନିଯୁକ୍ତି ମିଳିପାରେ । ସରକାର ଗଢ଼ିବା ପରେ ଦଳୀୟ କୋର କମିଟି ବୈଠକରେ ଏ ପ୍ରସଙ୍ଗ ଆଲୋଚନା ହୋଇଥିଲା । ମାତ୍ର ନୂଆଦିଲ୍ଲୀର ସବୁଜ ସଂକେତ ଏଯାଏ ମିଳିନି।
ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସଂଗଠନ ଓ ସରକାର ତାଳମେଳ ରଖି ବାଟ ଚାଲିବାକୁ ପରାମର୍ଶ ଦେଇଛନ୍ତି । ସଂଗଠନକୁ ଦୃଷ୍ଟିରେ ରଖି ନିଗମ ଓ ବୋର୍ଡଗୁଡ଼ିକର ମୁଖିଆ କିଏ ହେବ ନିଷ୍ପତ୍ତି ହେବ ବୋଲି ଦଳରେ ଚର୍ଚ୍ଚା ଚାଲିଛି ।