ଭୁବନେଶ୍ୱର,୧୭/୦୧: “ଆସନ୍ତୁ, ଆସନ୍ତୁ, ଆସନ୍ତୁ । ଅଫର୍ ପରେ ଅଫର୍ ଚାଲିଛି । ଯିଏ ଆଗେ ଆସିବ, ତାକୁ ସବୁ ସୁବିଧା ଦେବୁ । ପର୍ଯ୍ୟାପ୍ତ ପ୍ରୋତ୍ସାହନ ରାଶି ମିଳିବ । ଶୀଘ୍ର ଆସନ୍ତୁ, ବିଦେଶକୁ ବିମାନ ଉଡ଼ାନ୍ତୁ ।” ଆନ୍ତର୍ଜାତିକ ବିମାନ ଚଳାଚଳ ବଢ଼ାଇବାକୁ ଦୁଇ ମାସ ହେବ ଭଣ୍ଡାର ଖୋଲି ଏମିତି ଡାକ ଛାଡ଼ିଛନ୍ତି ସରକାର । ଖାସ୍ ଏଥିପାଇଁ ସରକାର ସ୍ୱତନ୍ତ୍ର ନୀତି ବି ଆଣିଛନ୍ତି । କ୍ୟାବିନେଟ ଅନୁମୋଦନ ବି ଦେଇଛନ୍ତି । ତଥାପି ଫୁସ୍ । କେହି ଆସୁନାହାନ୍ତି । ଓଡ଼ିଶାର ଅଫର୍କୁ ମୁହଁ ମୋଡ଼ୁଛନ୍ତି ଏୟାରଲାଇନ୍ସ କମ୍ପାନି । ଏଯାଏଁ ଗୋଟିଏ ବି ଆବେଦନ ଆସିନି ।
ବିମାନବନ୍ଦରର ଭିତ୍ତିଭୂମି ବଢ଼ି ଚାଲିଛି । ଟର୍ମିନାଲ ବଢ଼ୁଛି । ହେଲେ ଓଡ଼ିଶାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଜୋର୍ ଧରିପାରୁନି । ଧୁକେଇ ଧୁକେଇ ୩ଟି ରୁଟ୍ରେ ଓଡ଼ିଶାରୁ ବିଦେଶକୁ ଉଡ଼ୁଛି ବିମାନ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ଚଳାଚଳ କରୁଛି ଭୁବନେଶ୍ୱର ବିମାନବନ୍ଦରରୁ । ଏସବୁ ବିମାନ ସପ୍ତାହକୁ ୨ଥର ଲେଖାଏଁ ଯାଉଛି, ୨ ଥର ଆସୁଛି । ଦୁବାଇ ବିମାନର ଚାହିଦା ଭଲ ରହିଛି । ହେଲେ ବାକି ଆନ୍ତର୍ଜାତିକ ରୁଟରେ ବିମାନ ସିଟ୍ ବହୁ ସଂଖ୍ୟାରେ ଫାଙ୍କା ରହୁଛି । କେବଳ ସରକାରଙ୍କ ସବ୍ସିଡି ପାଇଁ ହିଁ ଏୟାରଲାଇନ୍ସକୁ ବିମାନ ଚାଲିଛି ।
ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ନୂଆ ନୀତି ଆଣିଛନ୍ତି । କ୍ୟାବିନେଟ ଅନୁମୋଦନ ପରେ ପ୍ରୋତ୍ସାହନ ମିଳିବାରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ କିଛି ନୂଆ ଡୋମେଷ୍ଟିକ (ଦେଶ ଭିତରେ) ରୁଟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ହେଲେ ବିଦେଶ ଉଡ଼ାଣ କ୍ଷେତ୍ରରେ ବିମାନ କମ୍ପାନି ଆଗ୍ରହ ଦେଖାଇନାହାନ୍ତି । ସରକାର ଚାହୁଁଛନ୍ତି, ଚାହିଦା ଥିବା ଯେଉଁ ଦେଶକୁ ଏଯାଏଁ ଓଡ଼ିଶା ବିମାନ ସେବାରେ ଯୋଡ଼ି ହୋଇନାହିଁ, ସେ ଦେଶକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡ଼ିବ । ଆଗେଇବ ରାଜ୍ୟର ପର୍ଯ୍ୟଟନ ।
ସରକାର ଘୋଷଣା କଲେ, ଏଥିପାଇଁ ବିମାନ ସେବା ପ୍ରଦାନକାରୀ ଏୟାରଲାଇନ୍ସକୁ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ଦିଆଯିବ । ଆନ୍ତର୍ଜାତିକ ବିମାନ (୧୮୦ ଆସନ ବିଶିଷ୍ଟ)କୁ ପ୍ରତି ଥର ଉଡ଼ାଣ ପାଇଁ ୧୦ ଲକ୍ଷ ଟଙ୍କା ଓ ୭୫୦ କିମିରୁ ଅଧିକ ଦୂରତା ପାଇଁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ । ଚୁକ୍ତିନାମା ହେବାର ୩ ମାସ ଭିତରେ ଆନ୍ତର୍ଜାତିକ ରୁଟରେ ବିମାନ ସେବା ଆରମ୍ଭ କରିବାକୁ ହେବ । ଏହି ନୀତି ଆଣିବା ପୂର୍ବରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଆନ୍ତର୍ଜାତିକ ରୁଟ୍ରେ ଆବୁଧାବି, ଓମାନ, ବାହାରେନ, କୁଏତକୁ ବିମାନ ସେବା ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ମାତ୍ର ଏଯାଏଁ ଗୋଟିଏ ବି ଏୟାରଲାଇନ୍ସ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ନିଜ ଆଡ଼ୁ ଆଗ୍ରହ ଦେଖାଇନାହାନ୍ତି ବା ଆବେଦନ କରିନାହାନ୍ତି । ଯେତେ ଡାକିଲେ ବି କୌଣସି କମ୍ପାନି ଧରାଛୁଆଁ ଦେଉ ନାହାନ୍ତି ।
ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ପରିବହନ ବିଭାଗକୁ ଏହା ନିରାଶ କରିଛି । ସୂତ୍ର ଅନୁସାରେ ସରକାର ଏବେ ଯୋଜନା କରୁଛନ୍ତି, ଆହୁରି କିଛି ଲୋଭନୀୟ ଅଫର ଦେଇ ଏୟାରଲାଇନ୍ସକୁ ମନାଇବେ । ଏଥିପାଇଁ ଶୀଘ୍ର ଏକ ସମ୍ମିଳନୀ କରି ଏୟାରଲାଇନ୍ସ କମ୍ପାନି ପ୍ରତିନିଧିଙ୍କୁ ଡାକିବେ । ସେଠାରେ ଏୟାରଲାଇନ୍ସ କମ୍ପାନିଙ୍କ ମତାମତ ଲୋଡ଼ିବେ ସରକାର । ଆଉ କ’ଣ କରିବାକୁ ହେବ, ସେ ଦିଗରେ ଆଲୋଚନା ହେବ ।
ହୋଟେଲ କ୍ରାଉନର ମ୍ୟାନେଜିଂ ଡାଇରେକ୍ଟର ଦେବାଶିଷ ପଟ୍ଟନାୟକ କହିଛନ୍ତି, ଆବୁଧାବି, ଦୋହା, ଶ୍ରୀଲଙ୍କା, ଇସ୍ତାନାବୁଲ୍କୁ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ, ଯାତ୍ରୀଙ୍କର ଚାହିଦା ରହିବ । ସରକାର ଏୟାରଲାଇନ୍ସକୁ ବିଭିନ୍ନ ସୁବିଧା ଓ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ମାତ୍ର କେବଳ ଘୋଷଣା କରିଦେଲେ ହେବନି । ଏୟାରଲାଇନ୍ସ କମ୍ପାନି ସହ ଉଚ୍ଚସ୍ତରୀୟ ଆଲୋଚନା କରି ସେମାନଙ୍କ ଭିତରେ ଭରସା ବଢ଼ାଇବାକୁ ହେବ । ନିୟମିତ ପ୍ରୟାସ କଲେ ଆମେ ନିଶ୍ଚିତ ସଫଳ ହେବୁ । ଆମ ପର୍ଯ୍ୟଟନ ବହୁ ଆଗକୁ ବଢ଼ିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବର୍ତ୍ତମାନ ଚାଲୁଥିବା ଆନ୍ତର୍ଜାତିକ ବିମାନ ଭିତରୁ ଦୁବାଇ ବିମାନର ଚାହିଦା ଅଧିକ ରହୁଛି । ହେଲେ ସିଙ୍ଗାପୁର ଓ ବ୍ୟାଙ୍କକ ବିମାନରେ ଆସନ ପୂରଣ ହେଉନି । ଯେତିକି ଆସନ ଖାଲି ରହୁଛି, ତା’ର ଭଡ଼ା ବାବଦକୁ ସରକାର ଏୟାରଲାଇନ୍ସ କମ୍ପାନିକୁ ସବ୍ସିଡି ଦେଉଛନ୍ତି । ନୂଆ ନୀତିରେ ଆହୁରି ଅଧିକ ପ୍ରୋତ୍ସାହନ ରାଶି ମିଳିବ । ତଥାପି ଏୟାରଲାଇନ୍ସ ମଙ୍ଗୁ ନାହାନ୍ତି ।