ଭୁବନେଶ୍ୱର ୧୭/୦୧ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱରରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରନ୍ତ୍ରମଙ୍କୁ ଭେଟି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ହେଉଥିବା ସକାରାତ୍ମକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଶିକ୍ଷା ଦୃଶ୍ୟପଟ୍ଟରେ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା ଉପରେ ଆଲୋଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ଏକ ଦ୍ୱିପାକ୍ଷିକ ସାକ୍ଷାତ୍ ଆଲୋଚନାରେ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥା, ସିଙ୍ଗାପୁର ସହିତ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗକୁ ସୁଦୃଢ଼ କରିବା ଏବଂ ଜ୍ଞାନ ସେତୁକୁ ସୁଦୃଢ଼ କରିବା ଉପରେ ଫଳପ୍ରଦ ବିଚାରବିମର୍ଶ କରିଥିଲେ । ଆଉ ଏକ ପୃଥକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସିଙ୍ଗାପୁରର ରାଷ୍ଟ୍ରପତି ଓ ପ୍ରତିନିଧିମଣ୍ଡଳୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।
ଏମଓୟୁ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଙ୍ଗାପୁର ଏବଂ ଓଡ଼ିଶା ମଧ୍ୟରେ ଆଜି ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଏମଓୟୁ ଦ୍ୱାରା ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଏମଓୟୁଗୁଡିକ ଓଡ଼ିଶାର ଦକ୍ଷତା ପରିସଂସ୍ଥାନ, ଏକବିଂଶ ଶତାବ୍ଦୀର ଦକ୍ଷତା ମାଧ୍ୟମରେ ଓଡ଼ିଶାର ମାନବ ପୁଞ୍ଜିକୁ ଅଧିକ ସଶକ୍ତ କରିବ । ଶିଳ୍ପ କ୍ଷେତ୍ରକୁ ସୁଦୃଢ କରିବା ସହ ଗବେଷଣା, ନବସୃଜନ କ୍ଷେତ୍ରକୁ ମଜଭୂତ୍ କରିବ । ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଏହା ଏକ ସ୍ୱାଗତଯୋଗ୍ୟ ବୁଝାମଣା । ଏହା ଦ୍ୱାରା ଓଡ଼ିଶାର ଦକ୍ଷତା ଇକୋସିଷ୍ଟମ ସୁଦୃଢ଼ ହେବ । ରାଜ୍ୟର ଶିଳ୍ପ ଏବଂ ସାମାଜିକ-ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଭାରତ-ସିଙ୍ଗାପୁର ବ୍ୟାପକ ରଣନୈତିକ ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଶ୍ରୀ ପ୍ରଧାନ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ଥର୍ମନଙ୍କ ଦୁଇ ଦିନିଆ ଗସ୍ତ ଓଡ଼ିଶା ସହ ସିଙ୍ଗାପୁରର ସମ୍ପର୍କରେ ନୂତନ ଦିଗ ଯୋଡ଼ିବା ସହ ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଭୁବନେଶ୍ୱର ସ୍ଥିତ ଓ୍ୱାର୍ଲଡ୍ ସ୍କିଲ୍ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ।