ଫିରିଙ୍ଗିଆ, ୨୬/୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସଖିପଡା ଗାଁ ର କାଳୀଞ୍ଜି ସାହିରେ ବର୍ଷ ତମାମ ଜଳ ସଙ୍କଟ ଦେଖା ଦେଇଛି l ଏହି କାଳୀଞ୍ଜି ସାହିରେ ପାଣିର ବ୍ୟବସ୍ଥା ନଥିବାରୁ ଗତ ବର୍ଷେ ତଳେ ପାଣି ଯୋଗାଇବାକୁ ଫିରିଙ୍ଗିଆ ନୁଆଁ ପଦର ମୁଖ୍ୟ ରାସ୍ତାର ସଖିପଡା ଠାରେ ହଣ୍ଡା, ଗରା,ବାଲଟି ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ରାସ୍ତା ଅବରୋଧ ପରେତତ୍କାଳୀନ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହାନ୍ତ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝା ସୁଝା କରି ତୁରନ୍ତ ଅସୁବିଧା ଦୃଷ୍ଟିରୁ ପାଣି ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ । ଏହି କାଳୀଞ୍ଜି ସାହି ପର୍ଯ୍ୟନ୍ତ ସଖିପଡ଼ା ଠାରେ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ରୁ ପାଇପ ସଂଯୋଗ କରିବା ସହ ପାଣି ଯୋଗାଇବା ବ୍ୟବସ୍ଥା ମଧ୍ୟ କରିଥିଲେ l ପାଇପ ଲାଗିବା ସହ ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଥିଲା କିନ୍ତୁ ଏହି କାଳୀଞ୍ଜି ସାହି ଉଚ୍ଚ ସ୍ଥାନରେ ଥିବା ହେତୁ ପାଣି ନ ଉଠି ବାରୁ ଲୋକଙ୍କ ସମସ୍ୟା ପୂର୍ବ ଭଳି ପାଣି ସମସ୍ୟା ଲାଗି ରହିଛି l
ବର୍ତ୍ତମାନ ଖରା ଦିନ ଆରମ୍ଭ ହୋଇଥିବାରୁ ପାଣି ସମସ୍ୟା ଜଟିଳ ହେବାରେ ଲାଗିଛି ଅଧିକାଂଶ ଲୋକ ଗାଁ ପାଖରେ ଥିବା ବାଘ ନଦୀ ଠାରୁ ପାଣି ବ୍ୟବହାର କରୁଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନ ଗ୍ରାମ ବାସୀ ପାଣି ଅସୁବିଧା ରୁ ଗାଁକୁ ଯାଇଥିବା ପାଣି ପାଇପ କୁ ଚାରିପଟେ ଖୋଳି ପ୍ରାୟ ୪ ରୁ ୫ ଫୁଟ ଭିତରୁ ଏକ କଣା କରି ପାଇପ ଲଗାଇ କମ କମ ପାଣି ଭିତରୁ ବାଲଟି କିମ୍ବା ଛୋଟ ବେଲା ସାହାଯ୍ୟରେ ବାହାର କରି ପାଣି ନେଉଥିବା ଦେଖିବାକୁ ମିଳିଛି l
ଅନ୍ୟପଟେ ଗ୍ରାମ ବାସୀଙ୍କ କହିବା ମୁତାବକ ଏହି ପାଇପ ପାଣି ଗୋଟାଏ ଦିନ ଆସିଲେ ଗୋଟାଏ ଦିନ ବନ୍ଦ ରହୁଛି। ପାଣି ନଆସିଲେ ପ୍ରତିଦିନ ଭଳି ନଦୀରୁ ପାଣି ଆଣି ବ୍ୟବହାର ପିଇବା ଓ ସମସ୍ତ ବ୍ୟବହାର କରୁଥିବା କହିଛନ୍ତି ଗ୍ରାମ ବାସୀ l ଗାଁରେ ପ୍ରାୟ ୧୭ ରୁ ୧୮ ଘର ପରିବାର ବସବାସ କରୁଥିବା ବେଳେ ପାଣି ସମସ୍ୟା ଗ୍ରାମ ବାସୀଙ୍କ ପାଇଁ ଗୁରୁତର ସମସ୍ୟା ହୋଇ ରହିଛି । ତୁରନ୍ତ ସଖିପଡ଼ା ଗାଁର କାଳୀଞ୍ଜି ସାହିରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ। ଆଗାମୀ ଦିନରେ ପାଣି ସମସ୍ୟାର ସମାଧାନ ନହେଲେ ବାଧ୍ୟ ହୋଇ ରାଜ ରାସ୍ତା ଅବରୋଧ ସହ ଆନ୍ଦୋଳନ କରିବୁ ବୋଲି ଗ୍ରାମର ରବୀନ୍ଦ୍ର ନାୟକ, ଗୋକୁଳ ନାୟକ, ଚିକୁ ବେହେରା, ମଧୁ ସାହାଣୀ, ମହେଶ୍ୱର ନାୟକ, ବାନ୍ଧୁ ସାହାଣୀ କହିଛନ୍ତି l ଏହି ଘଟଣା କୁ ନେଇଁ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରା ଙ୍କୁ ପଚାରିବାରୁ ଏହି ସାହିରେ ପାଣି ସମସ୍ୟା ରହିଛି ଉଚ୍ଚ ଜାଗା ହୋଇଥିବାରୁ ଗାଁ କୁ ଦିଆଯାଇଥିବା ପାଇପ ପାଣି ଉଠି ପାରୁନାହିଁ । ଏ ବିଷୟରେ ଅବଗତ ମଧ୍ୟ ଅଛି ତୁରନ୍ତ ଏହି ଗାଁରେ ପାଣି ବ୍ୟବସ୍ଥା ପାଇଁ ଏକ ନୂତନ ନଳକୂପ ବ୍ୟବସ୍ଥା କରାଯାଇ ଲୋକଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l